ସରିନି କଣ୍ଟ, ଭାଙ୍ଗି ପାରିବନି ଦଇତା ନିଯୋଗ : ଆପତ୍ତି ଉଠାଇଲେ‌ ପ୍ରେମାନନ୍ଦ ଗୋ‌ଷ୍ଠୀ

Advertisment
ସରିନି କଣ୍ଟ, ଭାଙ୍ଗି ପାରିବନି ଦଇତା ନିଯୋଗ : ଆପତ୍ତି ଉଠାଇଲେ‌ ପ୍ରେମାନନ୍ଦ ଗୋ‌ଷ୍ଠୀ

ପୁରୀ : ଗତକାଲି ଦଇତା ନିଯୋଗର ସମାନ୍ତରାଳ ବୈଠକ ପରେ ସଂଖ୍ୟା ଗରିଷ୍ଠତାକୁ ଆଳ କରି ଦଇତା ନିଯୋଗକୁ ଭାଙ୍ଗି ଦେବା ପାଇଁ ହୋଇଥିବା ନିଷ୍ପତ୍ତି କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହେଁ। ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ପ୍ରେମାନନ୍ଦଦାସ ମହାପାତ୍ର ଓ ତାଙ୍କ ସହଯୋଗୀମାନେ କହିଛନ୍ତି। ପ୍ରେମାନନ୍ଦଙ୍କ ମତରେ, ନିଯୋଗର କଣ୍ଟ ପୂରିବାକୁ ଆହୁରି ଅଢେଇ ବର୍ଷ ବାକି ରହିଛି। ଏଭଳି ପରିସ୍ଥିତିରେ ଗତକାଲି ପତି ମହାପାତ୍ର ଗୋଷ୍ଠୀ ନିଯୋଗ ଭାଙ୍ଗିବାକୁ ନେଇଥିବ‌ା ନିଷ୍ପତ୍ତି ସହିତ ସେମାନେ ସହମତ ନୁହନ୍ତି ବୋଲି ସେ ରୋକଠୋକ କହିଛନ୍ତି। ଏପରିକି ସଂଖ୍ୟାଗରିଷ୍ଠତାକୁ ନେଇ ଭୁଲ ତଥ୍ୟ ଦିଆଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ପତି ମହାପ‌ାତ୍ର ଗୋ‌ଷ୍ଠୀ ଯଦି ପୃଥକ ଭାବେ ନିର୍ବାଚନ କରିନ୍ତି ତାକୁ ମଧ୍ୟ ପ୍ରେମାନନ୍ଦ ଗୋଷ୍ଠୀ ଗ୍ରହଣ କରିବେ ନାହିଁ। ସେମାନେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ସଭାପତି ଓ ପ୍ରେମାନନ୍ଦଙ୍କୁ ସଂପାଦକ ଭାବେ ମାନିବେ ବୋଲି ଶୁଣାଇ ଦେଇଛନ୍ତି। ପ୍ରଶାସନ ଯଦି ସମାନ୍ତରାଳ ନିଯୋଗକୁ ଅନୁମତି ଦିଏ ସେମ‌ାନେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ଗତକାଲିର ସମାନ୍ତରାଳ ବୈଠକ ପରେ ଦଇତା ନିଯୋଗ ଦୁଇ ଭାଗ ହୋଇଯାଇଛି। ନିଯୋଗର ସ୍ଥାୟୀ ସଭାପତି ନବ କିଶୋର ପତି ମହାପାତ୍ର, ଜଗନ୍ନାଥ ସ୍ବାଇଁ ମହାପାତ୍ର, ତାଙ୍କ ପୁଅ ରାଜା ସ୍ବାଇଁ ମହାପାତ୍ର ଓ କିଛି ଯୁବ ଦଇତା ନିଯୋଗ ଭାଙ୍ଗିବା ପାଇଁ ନେତୃତ୍ବ ନେଉଥିବା ବେଳେ ଅନ୍ୟପକ୍ଷରେ ରାମକୃଷ୍ଣ ଦାସ ମହାପାତ୍ର (ଟିକିପୁଅ), ପ୍ରେମାନନ୍ଦ ଦାସ ମହାପାତ୍ର ଓ ବିନ‌ାୟକ ଦାସ ମହାପାତ୍ର ପୂର୍ବ କମିଟିକୁ ବଳବତ୍ତର ରଖିବାକୁ ଅଣ୍ଟା ଭିଡିଛନ୍ତି। ଗତକାଲିର ଘଟଣା ପରେ ପତି ମହାପାତ୍ର ଗୋଷ୍ଠୀ ଓ ପ୍ରେମା ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ନିଯୋଗରେ ଗଣ୍ଡଗୋଳ ସୃଷ୍ଟି ପଛ‌ରେ ଶ୍ରୀମନ୍ଦିରର ପ୍ରଶାସନର ଭୂମିକା ଥିବା ବିନାୟକ ଦାସ ମହାପାତ୍ର ଅଭିଯୋଗ କରିଛନ୍ତି। ନିଯୋଗର ସମୟ ପୂରି ନଥିବା ବେଳେ ଏହାକୁ ଭାଙ୍ଗିବାକୁ ଚିଠି ଲେଖିବା ଘଟଣା ମନ୍ଦିର ପ୍ରଶାସନର ଘରଭଙ୍ଗା ନୀତିକୁ ପ୍ରମାଣ କରୁଛି। ଏଭଳି ବିବାଦ ତିଆରି କଲେ ଆଗାମୀ ଦିନରେ ଚରମ ବିଶୃଙ୍ଖଳା ଉପୁଜିବ ବୋଲି ଶ୍ରୀ ଦାସ ମହାପାତ୍ର ଚେତାଇ ଦେଇଛନ୍ତି।

ସୂଚନାଯୋଗ୍ୟ,, ଶ୍ରୀମନ୍ଦିର ପ୍ରଶାସନ ଦଇତା ନିଯୋଗ ଭାଙ୍ଗି ସାନି ନିର୍ବାଚନ ନ କଲେ ପାଳିଆ ପୁରସ୍କାର ମିଳିବ ନାହିଁ ବୋଲି ଚେତାବନୀ ଦେଇଥିଲା। ମନ୍ଦିର ପ୍ରଶାସନର ଏହି ଚିଠିକୁ ଆଳ କରି ପତି ମହାପାତ୍ର ଗୋଷ୍ଠୀ ନିଯୋଗ ଭାଙ୍ଗିବାକୁ ଏକ ଅନୁମତି ପତ୍ର ପ୍ରଶାସନକୁ ଦେଇଥିଲେ। କିଛି ସଭ୍ୟଙ୍କ ଦସ୍ତଖତ ଥିବା ଏକ ଦରଖାସ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦିଆଯାଇଥିଲା। ନିଯୋଗ ସୋସାଇଟି ରେଜିଷ୍ଟ୍ରେସନ ଆଇନ୍‌ (ବାଇ ଲ’) ମୁତାବକ ପଞ୍ଜୀକୃତ ହେବାର ୯୦ ଦିନ ଭିତରେ ନୂତନ କର୍ମକର୍ତ୍ତା ନିର୍ବାଚନ ହେବା କଥା। ମାତ୍ର ଆଜି ପର୍ଯ୍ୟନ୍ତ ଚୟନ ଭିତ୍ତିରେ ତାହା କରାଯାଉଛି। ମାତ୍ର ପ୍ରେମ‌ାନନ୍ଦଙ୍କ ଗୋଷ୍ଠୀ ଏହାକୁ ଖଣ୍ଡନ କରିଛନ୍ତି। ନିଯୋଗର ବାଇ ଲ’ ପ୍ରସ୍ତୁତ ହୋଇନଥିବାରୁ ୨୦୧୬, ଜୁନ ୬ ତାରିଖ ବୈଠକ ବିବରଣୀରେ ଆସନ୍ତା ପାଞ୍ଚବର୍ଷ ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିବ ନାହିଁ ବୋଲି ବିବରଣୀରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଅର୍ଥାତ ୨୦୨୧ ପର୍ଯ୍ୟନ୍ତ ନିର୍ବାଚନ ହୋଇ ପାରିବ ନାହିଁ। ବାଇ ଲ’ ପ୍ରସ୍ତୁତ ‌ହୋଇନଥିବାରୁ କମିଟି ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ପ୍ରସ୍ତାବରେ ବର୍ତ୍ତମାନ ଆପତ୍ତି ଉଠାଉଥିବା ପତି ମହାପାତ୍ର ଓ କିଛି ସଭ୍ୟ ମଧ୍ୟ ଦସ୍ତଖତ କରିଛନ୍ତି। ଗୋଟିଏ ଗୋଷ୍ଠୀ ନିଯୋଗ ଭାଙ୍ଗି ସାରିଥିବା କହୁଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ଗ୍ରହଣ କରୁନଥିବାରୁ ଶ୍ରୀମନ୍ଦିର ପ୍ରଶାସନର ଭୂମିକା ଗୁରୁତ୍ବ ବହନ କରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe