ଶ୍ରୀନୀଳଚକ୍ର ବାନା ନେବାକୁ ଦଇତାପତି-ଚୁନରା ସେବକ କଳି

ଶ୍ରୀନୀଳଚକ୍ର ବାନା ନେବାକୁ ଦଇତାପତି-ଚୁନରା ସେବକ କଳି

Eisamay

ପୁରୀ : ମହାପ୍ରଭୁଙ୍କ ସେବା ଲାଗି ରବିବାର ଦିନ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗୁଥିବା ବାନା ନେବା ଲାଗି ଦଇତାପତି ଓ ଚୁନରା ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଦଇତାପତିମାନେ ଆଜିଠୁ ଶ୍ରୀମନ୍ଦିରର ସେବା ନୀତି ଆପଣାଇଥିବାରୁ ବାନା ଉପରେ ସେମାନଙ୍କ ହକ୍‌ ଦାବି କରିଥିଲେ। ମାତ୍ର ଏହାକୁ ଚୁନରା ସେବାୟତମାନେ ବିରୋଧ କରିଥିଲେ। ଉଭୟ ସେବାୟତଙ୍କ ମଧ୍ୟରେ ଯୁକ୍ତି ତର୍କ ଲାଗି ରହିବାରୁ ବାନା ବାନ୍ଧିବାକୁ ଯାଇଥିବା ଚୁନରା ସେବାୟତ ଶ୍ରୀମନ୍ଦିରର ଅର୍ଦ୍ଧଭାଗ‌ରେ ପ୍ରାୟ ଦେଢ଼ରୁ ଦୁଇଘଣ୍ଟା ଅଟକି ରହିଥିଲେ। ଫଳରେ ନୀଳଚକ୍ରରେ ବାନା ବନ୍ଧା ଦେଖିବାକୁ ଚାହିଁ ବସିଥିବା ଭକ୍ତମାନେ ଏ ଦୃଶ୍ୟ ଦେଖିବାରୁ ବଞ୍ଚିତ ହୋଇଥିଲେ।

ବରିଷ୍ଠ ଚୁନରା ସେବକ ଶରତ ମହାନ୍ତିଙ୍କ କହିବା ମୁତାବକ, ପ୍ରତିଦିନ ଚୁନରା ସେବକ ଯେଉଁ ବାନା ବାନ୍ଧନ୍ତି ତା’ ପରଦିନ ବାନା ଓହ୍ଲାଯାଇ ୧୪ ହାତରୁ ଅଧିକ ଲମ୍ବର ବାନା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ପ୍ରଦାନ କରାଯାଏ। ୧୪ ହାତ ଲମ୍ବରୁ ଛୋଟ ବାନା ଚୁନରା ସେବକମାନେ ନେଇଯାଆନ୍ତି। ଏହା ଦୀର୍ଘଦିନ ଧରି ଚଳି ଆସୁଛି। ମାତ୍ର ଆଜି ଦଇତାପତି ସେବକମାନେ ପ୍ରବେଶ କରିବା ପରେ ସେମାନଙ୍କ ସେବା ନୀତି ଶ୍ରୀମନ୍ଦିର ମଧ୍ୟରେ ଆରମ୍ଭ ହୋଇଥିବାରୁ ବାନା ଉପରେ ସେମାନଙ୍କର ହକ୍‌ ଦାବି କରି ବାନା ମାଗିଥିଲେ। ଏହାକୁ ନେଇ ଦୁଇଘଣ୍ଟା କାଳ ବିବାଦ ଲାଗି ରହିବାରୁ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିରରେ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିଥିଲେ। ଶେଷରେ ଦଇତାପତିମାନଙ୍କୁ ବାନା ଦିଆଯାଇଥିଲା। ତେବେ ଯଦି ଏହାର ନ୍ୟାୟିକ ବିଚାର କରାନଯାଏ ତେବେ ଚୁନରା ସେବକମାନେ ବାନା ବାନ୍ଧିବାକୁ ଯିବେ ନାହିଁ ବୋଲି କହିଛନ୍ତି। ଏଣେ ଜିଲ୍ଲାପାଳ ସୋମବାର ଉଭୟ ସେବକଙ୍କୁ ନେଇ ଏକ ବୈଠକ ଡାକିଛନ୍ତି। ବିବାଦର ସମାଧାନ ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe