ବଜାରରେ ନିଆଁ : ଡାଲି ଦର ୧୦୦ ଟଙ୍କା ଡେଇଁଲା

Advertisment
ବଜାରରେ ନିଆଁ : ଡାଲି ଦର ୧୦୦ ଟଙ୍କା ଡେଇଁଲା

ଭୁବନେଶ୍ବର/କଟକ : ଗତ ଦୁଇ ଦିନ ଭିତରେ ଡାଲି ଦର ଅଚାନକ ଓ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ହରଡ଼ ଓ ମୁଗ ଡାଲି ଦର ୧୦୦ ଟଙ୍କା ଡେଇଁଛି। ପାଇକାରୀ ଦର ୯୦ ଟଙ୍କା ପାର୍ ହୋଇ ଯାଇଥିବାରୁ ଖୁଚୁରା ବଜା‌ର ଦର ୧୦୦ ଟଙ୍କାକୁ ଟପିଛି। ତେବେ ବିରି ଡାଲି ୧୨୦ ଟଙ୍କାକୁ ଟିପଯାଇଛି। ପ୍ରଥମେ ପିଆଜ ଓ ପରେ ପରେ ପରିବା ଦର ବୃଦ୍ଧି ଖାଉଟିଙ୍କୁ କନ୍ଦେଇଥିବାବେଳେ ଏ‌େବ‌‌ ଡାଲି ଦର ବୃଦ୍ଧି ଖାଉଟିଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତେବେ ଆଗକୁ ଏହି ଦର ବୃଦ୍ଧି ଆହୁରି ହୁ ହୁ ହୋଇ ବଢ଼ିବା ନେଇ ଆଶଙ୍କା କରାଯାଉଛି ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଗଲାଣି। ଫଳରେ ଏବେଠାରୁ ମାଲ୍ କଳାବଜାରୀ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି କୁହାଯାଉଛି। ତେଣୁ ତୁରନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟିଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

publive-image

ପାଇକାରୀ ବଜାରରୁ ମିଳିଥିବା ସୂଚନାନୁସାରେ ମାନକୁ ନେଇ ହରଡ଼ ଡାଲି ୮୦ ଟଙ୍କାରୁ ୯୦ ଟଙ୍କା ଓ କିଛି ଉନ୍ନତମାନର ଡାଲି ୯୨ ଟଙ୍କା ରହିଛି। ସେହିଭଳି ମୁଗ ଡାଲି ୭୫ ଟଙ୍କାରୁ ୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି ଓ ବିରି ଡାଲି ୮୦ ଟଙ୍କାରୁ ୧୦୦ ଟଙ୍କା ରହିଛି। କିଛି ଉନ୍ନତମାନର ବିରି ଡାଲି ପାଇକାରୀ ବଜାରରେ କିଲୋ ପିଛା ୧୨୦ ଟଙ୍କା ରହିଛି। ପାଇକାରୀ ଦର ବୃଦ୍ଧି ପାଇଥିବାରୁ ଖୁଚୁରା ବଜାରରେ ସ୍ବତଃ କିଲୋ ପିଛା ୧୦ରୁ ୧୨ ଟଙ୍କା ବୃଦ୍ଧି ପାଇଛି। ଫଳରେ ଖୁଚୁରା ବଜାରରେ ମୁଗ ଓ ହରଡ଼ ଡାଲି ୧୦୦ ଟଙ୍କା ଡେଇଁଥିବାବେଳେ ବିରି ୧୨୦ ଟଙ୍କା ପାର୍ ହୋଇସାରିଛି। ଗତ ଦୁଇ ଦିନ ପୂର୍ବେ ସବୁ ଡାଲି କ୍ବିଣ୍ଟାଲ ପିଛା ଏକ ହଜାର ଟଙ୍କା କମ୍ ଥିଲା ବୋଲି ପାଇକାରୀ ବ୍ୟବସାୟୀମାନେ ଜଣାଇଛନ୍ତି। ପୂର୍ବରୁ ଦର ବୃଦ୍ଧି ଏମିତି ଅତର୍କିତଭାବେ ବୃଦ୍ଧି ପାଇବା କେବେ ନଥିଲା ବୋଲି ସେମାନେ କହିଛନ୍ତି। ଓଡ଼ିଶା ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ ସୂଚନାନୁସାରେ ଚଳିତ ବର୍ଷ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଡାଲିଜାତୀୟ ଫସଲ କ୍ଷତିଗ୍ରସ୍ତ ହୋଇଛି। ଅମଳ ହ୍ରାସ ପାଇଛି। ତେଣୁ ଦର ବୃଦ୍ଧି ହେବା ସ୍ବାଭାବିକ। କିନ୍ତୁ ଅସ୍ବାଭାବିକ ଦର ବୃଦ୍ଧିକୁ ସେ ନାପସନ୍ଦ କରିଛନ୍ତି। ଏଥିପାଇଁ ସରକାରଙ୍କ ବିପଣନ ବ୍ୟବସ୍ଥା ଓ ବଜାର ପରିଚାଳନାଗତ ତ୍ରୁଟିକୁ ସେ ଦାୟୀ କରିଛନ୍ତି। ଏହି ପରିସ୍ଥିତିରେ କଳାବଜାର ସ୍ଥିତି ଉପୁଜିବା ଆଶଙ୍କାକୁ ନେଇ ସେ କର୍ପୋରେଟ୍‌ ଜଗତ ତଥା ମଲ୍ ସଂସ୍କୃତି ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି। ବଜାର ବିଶେଷଜ୍ଞମାନଙ୍କ ମତରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରକୁ ଅଦୃଶ୍ୟରେ କର୍ପୋରେଟ୍ ଜଗତ ପଶି ଆସିଛି। ଫଳରେ ଡାଲି ଜାତୀୟ ଫସଲ ଉପରେ ସେମାନଙ୍କ କବ୍‌ଜା ରହିଛି। ସେମାନେ ସବୁ ଆଡ଼େ ଖଞ୍ଜିଥିବା ଏଜେଣ୍ଟମାନଙ୍କ ଜରିଆରେ ଚାଷୀମାନଙ୍କଠାରୁ ଡାଲି କିଣି ଗଚ୍ଛିତ ରଖିସାରିଛନ୍ତି। ସରକାର ଏହାକୁ ଦେଖୁଥି‌ଲେ ବି ଜାଣିଶୁଣି ଆଡ଼ ନଜର କରିଛନ୍ତି। ତେଣୁ ବିରି-ମୁଗ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ହରଡ଼ ଡାଲି ଦର ବୃଦ୍ଧି ପାଇଁ ଏହା ଏକ ପ୍ରମୁଖ କାରଣ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe