ସରକାରଙ୍କ ନିର୍ଦ୍ଦେଶକୁ ଫୁ: ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ବି ଦଲାଲ ସକ୍ରିୟ

ସରକାରଙ୍କ ନିର୍ଦ୍ଦେଶକୁ ଫୁ: ପାରଳା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ବି ଦଲାଲ ସକ୍ରିୟ

ପାରଳାଖେମୁଣ୍ତି: ସରକାରୀ ଡାକ୍ତରଖାନା ନିକଟରେ ଦଲାଲ ଏବଂ ମଧ୍ୟସ୍ଥିଙ୍କୁ ହଟାଇବା ପାଇଁ ଗତବର୍ଷ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରିଥିଲେ। ପାରଳାଖେମୁଣ୍ତିରେ ମଧ୍ୟ କିଛି ଦଲାଲ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧରାପଡିବା ପରେ ଏଠାରେ ମଧ୍ୟ ଦଲାଲଗିରି କିଛିମାସ ହେଲା ବନ୍ଦ ହୋଇଯାଇଥିଲା। ତେବେ କିଛି ଦିନର ଅନ୍ତର ପରେ ଜିଲ୍ଲା ଚିକିତ୍ସାଳୟରେ ପୁନର୍ବାର ଦାଲାଲ ସକ୍ରିୟ ହୋଇଛନ୍ତି।
୨ଟି ଘଟଣାକୁ ଦେଖିଲେ ଏହି ଦଲାଲମାନେ କିପରି ଅତ୍ୟନ୍ତ ଚତୁରତାର ସହ ନିଜର ବ୍ୟବସାୟ ଚଳାଇଛନ୍ତି ତାହାର ପ୍ରମାଣିତ ହୋଇଯାଉଛି। ଗୁମ୍ମା ବ୍ଲକର ଯୋସଫ ମଣ୍ତଳ ନିଜର ଏକ ବର୍ଷର ଶିଶୁ କନ୍ୟାର ଝାଡାବାନ୍ତି ଚିକିତ୍ସା ପାଇଁ ପାରଳାଖେମୁଣ୍ତି ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସୁଥିଲେ। ଏହି ନିରୀହ ଆଦିବାସୀ ଦମ୍ପତି ବସରୁ ଓଲ୍ଲାଇବା ପରେ ଡାକ୍ତରଖାନା ବାଟରେ ତାଙ୍କୁ ଜଣେ ବ୍ୟକ୍ତି ଏକ ନିକଟତମ ବେସରକାରୀ କ୍ଲିନିକ୍‌କୁ ନେଇଯାଇଥିଲେ। ସେଠାରେ ଚିକିତ୍ସା କରାଇବା ସହ ତାଙ୍କୁ ନିଜ ଗ୍ରାମକୁ ପଠାଇଦେଇଥିଲେ । ତେବେ ତାଙ୍କ ଶିଶୁ କନ୍ୟାର ସ୍ବାସ୍ଥ୍ୟରେ କୌଣସି ପ୍ରକାର ଉନ୍ନତି ନହେବା ପରେ ଉକ୍ତ ଦମ୍ପତି ଦ୍ବିତୀୟ ଦିନ ଶିଶୁ କନ୍ୟାକୁ ପୁନର୍ବାର ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ବାଧ୍ୟ ହୋଇଥିଲେ। ପ୍ରଥମ ଦିନ ଅଯଥାରେ ତାଙ୍କୁ ୮୦୦ ଟଙ୍କା ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା। ପରୀକ୍ଷା କରିବା, ଔଷଧ କ୍ରୟ କରିବା ଇତ୍ୟାଦି ବାବଦରେ ତାଙ୍କର ଟଙ୍କା ଖର୍ଚ୍ଚ ହୋଇଥିବା କଥା ସୂଚନା ଦେଇଥିଲେ।

ସେହିପରି ଆଉ ଏକ ଘଟଣାରେ ଡାକ୍ତରଖାନାରେ ମାଗଣା ଏକ୍ସରେ ବ୍ୟବସ୍ଥା ରହିଥିବା ବେଳେ ଗୋଷାଣୀ ବ୍ଲକର ଗାରାବନ୍ଧ ନିକଟସ୍ଥ ହରିଶଚନ୍ଦ୍ରପୁର ଗ୍ରାମର ଏସ୍‌.ଲକ୍ଷ୍ମଣ ରାଓଙ୍କୁ ଏକ ଦୁଇଚକିଆ ଗାଡି ଧକ୍କା ଦେଇଥିଲା। ସେ ଗାରାବନ୍ଧ ଡାକ୍ତରଙ୍କର ପରାମର୍ଶ କ୍ରମେ ଅସ୍ତିଶଲ୍ୟ ବିଶେଷଜ୍ଞଙ୍କୁ ଦେଖାଇବା ପାଇଁ ପାରଳାଖେମୁଣ୍ତି ଆସିଥିଲେ। ଏହି ଖବର ପାଇଥିବା ଜଣେ ଦଲାଲ ତାଙ୍କ ସହ ଯୋଗାଯୋଗ କରି ଅସ୍ତିଶଲ୍ୟ ବିଶେଷଜ୍ଞଙ୍କୁ ସାକ୍ଷାତ କରାଇଦେବି ବୋଲି କହି ଆଉ ଜଣେ ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସା କରାଇ ଗ୍ରାମକୁ ପଠାଇଦେଇଥିଲେ। ଏହାର ଏକ ସପ୍ତାହ ପରେ ତାଙ୍କ ବ୍ୟଥା କମିନଥିବା ଯୋଗୁଁ ଆଉ ଜଣେ ବନ୍ଧୁଙ୍କୁ ଧରି ପୁନର୍ବାର ଅସ୍ତିଶଲ୍ୟ ବିଶେଷଜ୍ଞଙ୍କୁ ସାକ୍ଷାତ ଓ ପରାମର୍ଶ ପାଇଁ ଆସିଥିଲେ ଓ ସେତେବେଳେ ଲକ୍ଷ୍ମଣ ରାଓ ବୁଝିପାରିଥିଲେ କି ପ୍ରଥମଥର ସେ ଠକାମିର ଶିକାର ହୋଇଥିଲେ। ସୂଚନା ପ୍ରକାରେ ପ୍ରଥମ ଥର ଆସିଥିଲା ବେଳେ ତାଙ୍କ ଠାରୁ ଏକ୍ସରେ, ପ୍ଲାଷ୍ଟରିଂ, ଔଷଧ ଖର୍ଚ୍ଚ ଏବ˚ ପରାମର୍ଶ ଫିସ୍‌ ବାବଦକୁ ୨୦୦୦ ଟଙ୍କା ଦଲାଲ ଆତ୍ମସାତ କରିଦେଇଥିଲେ। ଏପରି ଅନେକ ଘଟଣା ଘଟୁଛି ଏବଂ ଦଲାଲମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଗଜପତି ପୁଲିସ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe