vbcfal.in
ଭୁବନେଶ୍ବର : ରାଜ୍ୟରେ ଥିବା ବଡ଼ ବଡ଼ ଡ୍ୟାମ୍ ଆଉ କେବଳ ବନ୍ୟାଜଳ ନିୟନ୍ତ୍ରଣରେ ସୀମିତ ରହିବ ନାହିଁ। ଡ୍ୟାମ୍ ନିକଟରେ ଥିବା ସ୍ଥାନ ଗୁଡ଼ିକରେ ମନୋରଞ୍ଜନର ସୁଯୋଗ ମିଳିବ। ମ୍ୟୁଜିୟମ୍ ସାଙ୍ଗକୁ ଅଡିଓ ଭିଜୁଆଲ ସୋ, ଡ୍ୟାମ୍ ଟୁର, ବୋଟିଂ ଓ କ୍ୟାମ୍ପର ସୁବିଧା ଦିଆଯିବ। ବିଶେଷ କରି ସହର ନିକଟରେ ଥିବା ଡ୍ୟାମ୍କୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରାଯିବ। ଯାହା ଫଳରେ ଏହା ଅଧିକରୁ ଅଧିକ ଲୋକଙ୍କ ଆକୃଷ୍ଟ କରିବାରେ ସଫଳ ହେବ। ଆଜି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟରେ ଅନେକ ଡ୍ୟାମ୍ ପ୍ରକଳ୍ପ ରହିଛି। ଏସବୁ ଡ୍ୟାମ୍ଗୁଡ଼ିକ ଗୋଟିଏ ଗୋଟିଏ ଇଞ୍ଜିନିୟରିଂ ଶ୍ରେଷ୍ଠ ନମୁନା। ତେଣୁ ଏସବୁ ଡ୍ୟାମ୍ ଉଭୟ ଶିକ୍ଷଣୀୟ ଓ ମନୋରଞ୍ଜନର ଏକ ପ୍ରମୁଖ ସ୍ଥାନ। ତେଣୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଭିଓ ଭିଜୁଆଲ ମାଧ୍ୟମରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ସମ୍ବନ୍ଧରେ ସୂଚନା ଦେବା ଲାଗି ମ୍ୟୁଜିୟମ୍ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଛି। ଡ୍ୟାମ୍ର ଇକୋ ସିଷ୍ଟମ୍, ଜଳସେଚନ ପ୍ରକ୍ରିୟା, ଶକ୍ତି ଉତ୍ପାଦନ ଭଳି ବହୁବିଦ୍ଧ କାର୍ଯ୍ୟ ସମ୍ବନ୍ଧରେ ଛାତ୍ରଛାତ୍ରୀମାନେ ଜାଣିବାର ସୁଯୋଗ ପାଇବେ। କଳାହାଣ୍ଡି ଜିଲ୍ଳାରେ ଥିବା ଲୋୟର ଇନ୍ଦ୍ର ଡ୍ୟାମ୍, ଖୋର୍ଧାର ସାଳିଆ ଡ୍ୟାମ୍, ନୂଆପଡ଼ାର ପତାରା ଡ୍ୟାମ, କୋରାପୁଟର ଅପର କୋଲାବ, ଅନୁଗୁଳର ସମଲ ବ୍ୟାରେଜ୍, ମାଲକାନଗିରିର ବାଲିମେଳା, ଗଜପତିର ହରଭଙ୍ଗି, ନୟାଗଡ଼ର କୁଆଁରିଆ, ଗଞ୍ଜାମର ଘୋଡ଼ାହାଡ଼, ଧନେଇ, ଓ ଭଞ୍ଜନଗର ଡ୍ୟାମ, ରାୟଗଡ଼ାର ବଡ଼ନଳା, ସୁନ୍ଦରଗଡ଼ର ପିତାମହଲ, କେନ୍ଦୁଝରର କଞ୍ଝାରୀ-ସାଳନ୍ଦୀ, ସାନମାଛକାନ୍ଦଣା ଏମ୍ଆଇପି, ସୁନ୍ଦରଗଡ଼ର କାଂସବାହଲ, ମୟୂରଭଞ୍ଜର ଖଡ଼ଖାଇ, କଳାହାଣ୍ଡିର ଇନ୍ଦ୍ରାବତୀ ଓ କେନ୍ଦୁଝରର ହଦଗଡ଼ ଡ୍ୟାମ୍କୁ ମନୋରଞ୍ଜନ ସାଙ୍ଗକୁ ଶିକ୍ଷଣୀୟ ସ୍ଥାନ ଭାବେ ବିକଶିତ କରାଯାଇ ପାରିବ ବୋଲି ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଥିଲେ।
ସହର ନିକଟବର୍ତୀ ଡ୍ୟାମ୍ଗୁଡ଼ିକ ଅଧିକ ସଂଖ୍ୟାରେ ଲୋକଙ୍କୁ ଆକୃଷ୍ଟ କରିବାର କ୍ଷମତା ରହିଥିବାରୁ ଏସବୁକୁ ପ୍ରାଥମିକ ପର୍ଯ୍ୟାୟରେ ଚୟନ କରିବା ଲାଗି ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଗୁରୁତ୍ବାରୋପ କରିଥିଲେ। ଏଭଳି ୩/୪ଟି ଡ୍ୟାମ୍କୁ ଚିହ୍ନଟ କରାଯିବା ସହିତ ପରବର୍ତୀ ସମୟରେ ଏସବୁ ଡ୍ୟାମ୍ର ବିକାଶରୁ ମିଳିଥିବା ଅଭିଜ୍ଞତାକୁ ଭିତ୍ତି କରି ଅନ୍ୟଗୁଡ଼ିକୁ ବିକଶିତ କରାଯାଇ ପାରିବ। ପ୍ରତ୍ୟେକ ସ୍ଥାନର ବିକାଶ ପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ କରାଯିବ। ସେହିପରି ଡ୍ୟାମ୍ର ଜଳଭଣ୍ଡାରରେ ବୋଟିଂ ପାଇଁ ବନ ସୁରକ୍ଷା ସମିତି କିମ୍ବା ଟୁରିଜିମ ଏଜେନ୍ସି ସହାୟତାରେ ଏହାର କିଭଳି ପରିଚାଳନା କରାଯିବ ତାହାର ପଦେକ୍ଷପ ଗ୍ରହଣ କରିବା ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦେଶ ଦିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us