Odisha Sun Times
ଜଗତସିଂହପୁର : ରଘୁନାଥପୁରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ ଚାଲିଥିବା ବେଳେ ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମୁହଁ ଖୋଲିଛନ୍ତି। ଜିଲ୍ଲା ପାଇଁ ଆଦୌ ତ୍ୟାଗ ନଥିବା ବ୍ୟକ୍ତିଙ୍କର ପ୍ରତିମୂର୍ତ୍ତି ସ୍ଥାପନ ଗ୍ରହଣୀୟ ନୁହେଁ ବୋଲି ଦାମ କହିବା ସହ ବିଷ୍ଣୁଙ୍କ ଦୁର୍ନୀତିଗ୍ରସ୍ତ ଅନୁଗତମାନେ ଏମିତି କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।
ଦାମ କହିଛନ୍ତି, ଗୋପବନ୍ଧୁ ହେଲେ ତ୍ୟାଗ ଓ ସେବାର ପ୍ରତୀକ। ଏମିତି ଏକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନିନ୍ଦନୀୟ। ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ତାଙ୍କ ଅନୁଗତମାନେ ମଧ୍ୟ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ। ବିଷ୍ଣୁ ମନ୍ତ୍ରୀ ଓ ବିଧାୟକ ଥିବା ବେଳେ ସେମାନେ ତାଙ୍କଠାରୁ ଭରପୂର ଫାଇଦା ନେବା ସହ ଗରିବ ଲୋକମାନଙ୍କୁ ଲୁଟିଛନ୍ତି। ଅନ୍ୟପଟେ ବିଷ୍ଣୁଙ୍କ ଅନୁଗତମାନେ କହିଛନ୍ତି, ଦାମବାବୁ ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ତ କିଛି କରି ନାହାନ୍ତି ବରଂ ବ୍ୟକ୍ତିଗତ ସମ୍ପତ୍ତି ବଢ଼ାଇଛନ୍ତି। ଜିଲ୍ଲାରେ ସେ ଯେଉଁ ବିକାଶ କରିଛନ୍ତି ତାର ତାଲିକା ଜିଲ୍ଲାବାସୀଙ୍କ ପାଖରେ ରଖିବାକୁ ଏମାନେ ଆହ୍ବାନ ଦେଇଛନ୍ତି।
Follow Us