କନ୍ଦାଉଛି ଦଶିପୁରରୁ ବଳରାମଗଡ଼ି ୨.୫ କିମି ରାସ୍ତା

Advertisment
କନ୍ଦାଉଛି ଦଶିପୁରରୁ ବଳରାମଗଡ଼ି ୨.୫ କିମି ରାସ୍ତା

ବାଲେଶ୍ବର: ରାସ୍ତା ପାଇଁ ଦଶନ୍ଧି ଦଶନ୍ଧି ଧରି ଦହଗଞ୍ଜ ହେଉଛୁ। ବିଶେଷକରି ବର୍ଷାଦିନେ ଘରୁ ବାହାରିବା କଷ୍ଟକର ହେଉଛି। କେଉଁଠି ଆଣ୍ଠୁଏରୁ ଅଧିକ ଖାଲ ତ କେଉଁଠି କାଦୁଅ ପଚପଚ। ପ୍ରତିଦିନ ଏହି ରାସ୍ତାରେ କିଛି ନା କିଛି ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ସବୁଠୁ ବଡ଼ କଥା, ଅଞ୍ଚଳରେ କାହାର ଦେହ ଖରାପ ହେଲେ ଏଠାକୁ ଜରୁରୀକାଳୀନ ଗାଡ଼ି ଆସିପାରେ ନାହିଁ। ଆମ୍ବୁଲାନ୍ସ କର୍ମଚାରୀ ରାସ୍ତାର ଅବସ୍ଥା ଦେଖି ଆସିବାକୁ ଭୟ କରନ୍ତି। ଯଦି କିଏ ସାହସ କରି ଆସିଲା ତାହାହେଲେ ରାସ୍ତାରେ ଗାଡ଼ି ଫସି ରହୁଛି। ବର୍ଷ ବର୍ଷ ଧରି ଭୋଗିଆସୁଥିବା ସମସ୍ୟା ବାବଦରେ ବାରମ୍ବାର ପ୍ରଶାସନ ଓ ରାଜନେତାଙ୍କୁ ଜଣାଇଛୁ ଏବଂ ରାସ୍ତା ଅବସ୍ଥା ମଧ୍ୟ ଦେଖାଇଛୁ। ହେଲେ କିଛି ସୁଫଳ ମିଳିଲା ନାହିଁ। ନିର୍ବାଚନ ସମୟରେ ମାଳ ମାଳ ନେତା ଏଠାକୁ ଆସନ୍ତି। ଆଉ ରାସ୍ତାର ଅବସ୍ଥା ଦେଖି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଅଜାଡ଼ି ଦିଅନ୍ତି। ହେଲେ ନିର୍ବାଚନ ସରିଲେ ଆମ କଥା ଭୁଲି ଯାଆନ୍ତି। ସ୍ଥାନୀୟ ରାଜନେତା ନା ଜିଲ୍ଲା ପ୍ରଶାସନ କେହି ଆମ ଦୁଃଖ ଶୁଣୁନାହାନ୍ତି। ଏମିତି କହିଛନ୍ତି ସଦର ବ୍ଲକ ପରିଖି ପଞ୍ଚାୟତବାସୀ।

publive-image

ପରଖି ପଞ୍ଚାୟତ ଦଶିପୁର ପଡ଼ିଆଠାରୁ ବଳରାମଗଡ଼ି ଯିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଉକ୍ତ ଅଞ୍ଚଳରେ ଚିଙ୍ଗୁଡ଼ି ଚାଷ ଅଧିକ ହେଉଥିବା ବେଳେ ପ୍ରତିଦିନ ଟ୍ରାକ୍ଟର ଯିବାଆସିବା କରିବା ଦ୍ବାରା ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। ରାସ୍ତା ଉପରେ ଅଞ୍ଚଳର ପାଖାପାଖି ୭ ଶହ ପରିବାର ନିର୍ଭର କରୁଥିବା ବେଳେ ୧୦ ହଜାର ଲୋକ ବିଭିନ୍ନ ଅଞ୍ଚଳରୁ ଏହି ରାସ୍ତାରେ ଯାତାୟାତ କରିଥାନ୍ତି। ବିଶେଷକରି ଗୋପୀନାଥପୁର, ଛାନୁଆ, ବାହାବଳପୁର ଆଦି ପଞ୍ଚାୟତର ଲୋକ ଏହି ରାସ୍ତା ଉପରେ ଅଧିକ ନିର୍ଭରଶୀଳ। ୨.୫ କିମି ରାସ୍ତାର ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ପାଲଟିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାଦେଇ ପରିଖି ହାଇସ୍କୁଲର ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ିକୁ ପିଲା ଯାତାୟାତ କରୁଛନ୍ତି। ରାସ୍ତା ଶୋଚନୀୟ ହୋଇଥିବାରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାରେ ଶିକାର ହେଉଛନ୍ତି ଅଞ୍ଚଳବାସୀ। ହେଲେ ଏ ଦିଗରେ ଆଦୌ ଦିଗରେ ଆଦୌ ଗୁରୁତ୍ବ ଦିଆଯାଉନଥିବା ଅଞ୍ଚଳର ଯୁବ ସମାଜସେବୀ ଏସ୍‌କେ ଆରଫାନ୍‌(ଆରୟନ୍‌), ଜୀବନ କୃଷ୍ଣ ଗିରି, ରିହାନ୍‌ ଅଲ୍ଲୀ ଖାଁ, ଏସ୍‌କେ ରୋଶନ, ଏସ୍‌କେ ରାଜ, ମୁନ୍ନା ଅଲ୍ଲୀ ଖାନ୍‌, ଏସ୍‌କେ ଆବେଦ, ରାକେଶ କୁମାର ଗିରି, କାର୍ତ୍ତିକ ଚନ୍ଦ୍ର ଗିରି ପ୍ରମୁଖ ଅଭିଯୋଗ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ୟାସ୍‌ ବାତ୍ୟା ପରେ ଉକ୍ତ ରାସ୍ତା ମରାମତି ପାଇଁ ଟଙ୍କା ଆସିଥିଲା। ପରେ ପୁଣି ପଞ୍ଚାୟତକୁ ୩ ଲକ୍ଷ ଟଙ୍କା ଆସି ପଡ଼ିଛି। ହେଲେ ଦୁର୍ଭାଗ୍ୟ, ଆଜିଯାଏଁ ରାସ୍ତା ମରାମତି ହେଲାନାହିଁ। କାହିଁକି ରାସ୍ତା କାମ ହେଉନାହିଁ, ଏଥିରେ ମୁଖ୍ୟ ସମସ୍ୟା କ’ଣ ରହିଛି ଏ ବାବଦରେ ପରିଖି ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ଏହି ପଞ୍ଚାୟତରେ ୧୦ ହଜାର ଭୋଟର ରହିଛନ୍ତି ଓ ଭୌଗୋଳିକ ଦୃଷ୍ଟିକୋଣରୁ ଏହି ପଞ୍ଚାୟତ ସଦର ବ୍ଲକର ସବୁଠୁ ବଡ଼ ପଞ୍ଚାୟତ। ୧୭ଟି ୱାର୍ଡ ରହିଥିବା ବେଳେ ପ୍ରତି ୱାର୍ଡରେ ୭/୮ଟି ରାସ୍ତା ରହିଛି। ତେଣୁ ସବୁ ରାସ୍ତା ମରାମତି କରିବା ପାଇଁ ଟଙ୍କା ପର୍ଯ୍ୟାପ୍ତ ଆସୁନାହିଁ। ଯାହାଫଳରେ ରାସ୍ତା ମରାମତି ହୋଇପାରୁନାହିଁ। ନିକଟରେ ଟଙ୍କା ଆସିଛି, ଖୁବ୍‌ଶୀଘ୍ର ରାସ୍ତା ମରାମତି ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe