ପରିବହନ ସମସ୍ୟା: ବିକ୍ରି ହେଉନି, କ୍ଷେତରେ ପଚୁଛି ୩ଶହ କୁଇଣ୍ଟାଲ ବିଲାତି

ପରିବହନ ସମସ୍ୟା: ବିକ୍ରି ହେଉନି, କ୍ଷେତରେ ପଚୁଛି ୩ଶହ କୁଇଣ୍ଟାଲ ବିଲାତି

ମାଛଗଡ଼ (ସାହାରପଡ଼ା) : କ୍ଷେତରେ ପଡ଼ିଛି କୁଇଣ୍ଟାଲ କୁଇଣ୍ଟାଲ ବିଲାତି। ସବୁଗୁଡ଼ିକ ପାଚି ଯାଇଛି। କିଛି ପଚିବା ଆରମ୍ଭ କଲାଣି। ପ୍ରାୟ ୩ଶହରୁ ଊର୍ଦ୍ଧ୍ବ କୁଇଣ୍ଟାଲ ବିଲାତି ନଷ୍ଟ ହେବାକୁ ଯାଉଛି। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଦମାହୁଦା ପଞ୍ଚାୟତ କୁମୁଳାବାହାଳି ଗ୍ରାମରେ ବିଲାତି ଚାଷର ଏମିତି ଅବସ୍ଥା ‌ହୋଇଛି।

କୁମୁଳାବାହାଳି ଗ୍ରାମରେ ୫ଜଣ ଚାଷୀ ସ୍ୱୟଂସହାୟକ ଗୋଷ୍ଠୀରୁ ପାଖାପାଖି ୨ଲକ୍ଷ ଟଙ୍କା ଋଣ ନେଇ ପ୍ରାୟ ୧୨ ଏକର ଜମିରେ ବିଲାତି ଚାଷ କରିଥିଲେ। ଚାଷୀ ବାଜାୟ ମୁଣ୍ଡା, ଜବାହରଲାଲ ହେମ୍ବ୍ରମ, ହରିହର ମହାନ୍ତ ଓ ପରମେଶ୍ୱର ସେଠୀ ମିଶି ଜମି ଚାଷ କରିଛନ୍ତି। ସେହିପରି ଆଉ ଜଣେ ଚାଷୀ ଡାଳପକା ଗ୍ରାମପଞ୍ଚାୟତ କୁଦାବେଡ଼ା ଗ୍ରାମର ଜୟକୃଷ୍ଣ ମହାନ୍ତ ତାଙ୍କ ପୁତ୍ରବଧୂଙ୍କ ନାମରେ ସ୍ବୟଂସହାୟକ ଗୋଷ୍ଠୀରୁ ୫୦ ହଜାର ଟଙ୍କା ଋଣ କରି ପ୍ରାୟ ୪ ଏକର ଜମିରେ ବିଲାତି ଚାଷ କରିଛନ୍ତି। ଲକ୍‌ଡାଉନ ପୂର୍ବରୁ ଏ ସମସ୍ତ ଚାଷୀ ପ୍ରାୟ ୫-୭ କୁଇଣ୍ଟାଲ ବିଲାତି ତୋଳି ଦେଇଥିଲେ। ସବୁତକ ପାଚିଯାଇଥିଲା। ହଠାତ କଟକଣା ଲାଗୁ ହେବା ପରେ ତାହା ଆଉ ବଜାରକୁ ଯାଇପାରିଲା ନାହିଁ। ବେପାରୀ ମଧ୍ୟ ଆସୁନଥିବାରୁ ତାହା ସେମିତି ରହିରହି ପଚିଗଲାଣି। ବଗିଚାରେ ମଧ୍ୟ ଅନୁରୂପ ଅବସ୍ଥା। ଅଧିକାଂଶ ଗଛରେ ବିଲାତି ପାଚିଯାଇ ଝଡ଼ିଗଲାଣି। ନିଜ କଷ୍ଟ ଉପାର୍ଜିତ ଫଳ‌ର ଏମିତି ରୂପ ଦେଖି ଚାଷୀମାନେ ଲୁହ ଗଡ଼ାଉଛନ୍ତି। କଟକଣା ଲାଗୁ ହେବା ପୂର୍ବରୁ ସେମାନେ ମାତ୍ର ୧୦ ଟନ୍‌ ବିଲାତି ବିକ୍ରି କରିଥିଲେ। କ୍ଷେତରେ ଆହୁରି ୩୦-୩୨ ଟନ୍‌ ଅର୍ଥାତ ୩ଶହରୁ ୩୨୦ କୁଇଣ୍ଟାଲ ବିଲାତି ପଡ଼ିରହିଛି।

ଗୋଟିଏପଟେ କରୋନା ଭୟରେ ଲୋକେ ବଜାରକୁ ଆସୁନାହାନ୍ତି। ଗାଁ ଗାଁରେ ମଧ୍ୟ ଲୋକମାନେ ବାଉଁଶ ପକାଇ ଅବରୋଧ କରିଛନ୍ତି। ମାଗଣା ଯାଚିଲେ ମଧ୍ୟ ଲୋକେ ନେଉ ନାହାନ୍ତି। ତାଲାବନ୍ଦ ଯୋଗୁଁ ଗାଡ଼ି ଚଳାଚଳ ନାହିଁ। ଫଳରେ ଆନନ୍ଦପୁର, କରଞ୍ଜିଆ, କେନ୍ଦୁଝର ଆଦି ବଜାରକୁ ନେଇ ହେଉନାହିଁ ବୋଲି ଚାଷୀମାନେ କହିଛନ୍ତି। ଯାହା ଫଳରେ କ୍ଷେତରେ ଟ୍ରିପ୍‌ ଟ୍ରିପ୍‌ ବିଲାତି ପଚିଶଢ଼ି ଗଲାଣି। କରୋନା କଟକଣା ମାନରେ ଚାଷ ଉଜୁଡ଼ିଯାଇଛି। ପାଖରେ ଟଙ୍କା ବି ନାହିଁ। ଏମିତି ଅବସ୍ଥାରେ ଋଣ ଟଙ୍କା ତଥା ଧାରକରଜ କେମିତି ଶୁଝିବେ, ତାକୁ ନେଇ ସେମାନଙ୍କ ମଧ୍ୟରେ ଭାଳେଣି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe