ମୁଖ୍ୟମନ୍ତ୍ରୀଙ୍କୁ ଦାମଙ୍କ ପ୍ରଶଂସା, ଧର୍ମେନ୍ଦ୍ରଙ୍କୁ ସମାଲୋଚନା

Advertisment
ଆତ୍ମସମୀକ୍ଷା କରନ୍ତୁ ବିରୋଧୀ ଦଳ: ଦାମ

ଜଗତସିଂହପୁର : ବିଜେଡିରୁ ବିଜେପିକୁ ଯାଇଥିବା ଏବଂ ପରେ ବିଜେପି ଛାଡି ଦେଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି କେନ୍ଦ୍ରରେ ବିଜେପି ସରକାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ନେତାଙ୍କୁ ଟାର୍ଗେଟ୍ କରିଛନ୍ତି। ଅନ୍ୟପଟେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ତାଙ୍କର ଅନୁଗତମାନେ ରାଜ୍ୟରେ ବେଶ୍ ନାଟକବାଜି କରି ଚାଲିଛନ୍ତି ବୋଲି ଡାକ୍ତର ରାଉତ ବିବୃତି ଦେଇଛନ୍ତି। କହିଛନ୍ତି ଯେ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ସମାଲୋଚନା କରୁଛି। କିନ୍ତୁ ବି‌ଜେପି ନେତାମାନେ ନିଜ ଅପାରଗତା ଓ ଦୁର୍ନୀତିକୁ ଭୁଲି ଯାଉଛନ୍ତି। ସବୁକ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅହରହ ଚିନ୍ତା କରୁଛନ୍ତି। ତାଙ୍କର ଦୃଷ୍ଟିଭଙ୍ଗୀକୁ ଦେଶ ଓ ଦେଶ ବାହାରେ ଏପରିକି ଜାତିସଂଘରେ ପ୍ରଶଂସା କରାଯାଉଛି। ରାଜ୍ୟ ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ରାଜ୍ୟର ବିକାଶ ପ୍ରତି ତାଙ୍କ ସରକାରର ସାମ୍ବିଧାନିକ କର୍ତ୍ତବ୍ୟ ଓ ଦାୟିତ୍ବ ଭୁଲି ଯାଉଛନ୍ତି। କେନ୍ଦ୍ର ସରକାର ଅଣ ବିଜେପି ଓ ଅନଗ୍ରସର ରାଜ୍ୟ ସରକାରମାନଙ୍କୁ ନାନା ଭାବରେ ହଇରାଣ କରୁଛନ୍ତି। ସେଠାରେ କିପରି ବିଜେପି ସରକାର ହୋଇପାରିବ ସେଥିପାଇଁ ସର୍ବଦା ଚକ୍ରାନ୍ତ ଚାଲିଛି।

ବିଜେପିର ଦୁର୍ନୀତି ପାରାଦୀପ ତୈଳ ବିଶୋଧନାଗାରରେ ବେଶ୍ ପ୍ରତିଫଳିତ। କୋଟି କୋଟି ଟଙ୍କା କେତେ ଜଣ ନିର୍ଦ୍ଦିଷ୍ଟ ନେତା ଲୁଟ୍ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହାର ପୃଷ୍ଠପୋଷକ ସାଜିଛନ୍ତି। ତୈଳ ବିଶୋଧନାଗାର ନିକଟସ୍ଥ ରାମଚଣ୍ଡିପଡ଼ା ଗାଁରେ ଥିବା ୧୪ ଏକର ଜଙ୍ଗଲ କିସମ ଜମିରେ ୪ ଫୁଟ ଉଚ୍ଚର ବାଲିସ୍ତୁପକୁ ନେଇ ନିର୍ମାଣ କାର୍ଯ୍ୟ କରାଯାଇଛି। ବିଜେପି ସମର୍ଥିତ ଠିକାଦାରମାନେ ପାରାଦୀପଠାରୁ ୫୬ କିମି ଦୂର ତାରପୁର ପାଖ ମିଠାବାଲି ସରକାରୀ ସ୍ବୀକୃତ ସୈରାତରୁ ବାଲି ଯୋଗାଇ କୋଟିକୋଟି ଟଙ୍କା ଆତ୍ମସାତ କରୁଛନ୍ତି। ଦୁର୍ନୀତି ସହ ଜଡ଼ିତ ବିଜେପି ନେତାମାନଙ୍କୁ ରାଜ୍ୟବାସୀ ଖୁବଶୀଘ୍ର ଜବାବ ଦେବେ ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe