ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ସ୍ଥଳଭାଗକୁ ମାଡି ଆସୁଛି । ସମୁଦ୍ରରେ ଶକ୍ତିଶାଳୀ ହୋଇ ବାତ୍ୟା ଉପକୂଳ ମୁହାଁ ହୋଇଛି। ଗୁରୁବାର ରାତିରେ ସ୍ଥଳଭାଗ ଛୁଇଁ ‘ଦାନା’ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାରାଦୀପଠାରୁ ୨୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଧାମରା ବନ୍ଦରଠାରୁ ୨୪୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ‘ଦାନା’ରହିଛି। ସେହିପରି ସାଗରଦ୍ବୀପଠାରୁ ୩୧୦ କିଲୋମିଟର ଦୂରରେ ରହିଛି। ଦୂରତା କମିବା ସହିତ ଉପକୂଳ ଅଞ୍ଚଳରେ ବାସକରୁଥିବା ଲୋକଙ୍କ ମଧ୍ୟରେ ବାତ୍ୟା ‘ଦାନା’ କିଭଳି ପ୍ରଳୟ ରଚିବ ସେନେଇ ଆତଙ୍କ ବଢ଼ିବାରେ ଲାଗିଛି। ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ମୁହାଁ ହୋଇଛି।
ଭିତରକନିକା ଏବଂ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳଠାରୁ ଅଳ୍ପ ଦୂରରେ ‘ଦାନା’ ସ୍ଥଳଭାଗକୁ ଛୁଇଁବ ବୋଲି ଗୁରୁବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁରୁବାର ମଧ୍ୟରାତ୍ରିରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଏହା ଜାରି ରହିବ।
ଭିତରକନିକା ଓ ଧାମରା ପାଖରେ ସାମାନ୍ୟ ପରିବର୍ତ୍ତିତ ସ୍ଥାନରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ।
ଲ୍ୟାଣ୍ଡଫଲ୍ ପୂର୍ବରୁ ଧାମରା ଓ ଭିତରକନିକାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଧାମରାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଭିତରକନିକା ସହ ବାଲେଶ୍ୱରରେ ବର୍ଷା ସହ ପବନର ବେଗ ବଢ଼ିବାରେ ଲାଗିଛି।
ଅଧିକ ପଢ଼ନ୍ତୁ:
ବାତ୍ୟା ‘ଦାନା’ର ଗତିପଥରେ ସମାନ୍ୟ ପରିବର୍ତ୍ତନ: ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ନ ଛୁଇଁ ଅଳ୍ପ ଦୂରେଇବା ସମ୍ଭାବନା