ଦିଲ୍ଲୀ ରାଜପଥରେ ମନମୋହିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼: ପ୍ରଥମ ସ୍ଥାନ ପାଇଲେ ଓଡ଼ିଶା ନୃତ୍ୟଶିଳ୍ପୀ

Advertisment
ଦିଲ୍ଲୀ ରାଜପଥରେ ମନମୋହିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼: ପ୍ରଥମ ସ୍ଥାନ ପାଇଲେ ଓଡ଼ିଶା ନୃତ୍ୟଶିଳ୍ପୀ

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ୧୭ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ସ‌‌ମେତ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଛି । ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣା ରଥ ରହିଥିଲା ।  ରାଜପଥରେ ‌ମେଢ଼ ପ୍ରଦର୍ଶିତ ହେବା ପରେ ବହୁ ପ୍ରଶଂସା ଲାଭ କରିଛି । ତେବେ ଏହା ପୂର୍ବରୁ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେଇଥିବା ୧୭ ରାଜ୍ୟର କଳାକାରମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିବା ନୃତ୍ୟ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ଓଡ଼ିଶା ଦ୍ବାରା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାକୁ ଜ୍ୟୁରି ଦ୍ବାରା ଉଚ୍ଚ ପ୍ରଶଂସା କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଓଡ଼ିଶାର ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ ଶିଳ୍ପୀ ପ୍ରଜ୍ଞାପନ ମେଢ଼ରେ ନୃତ୍ୟ ପରିବେଷଣ କରିଥିଲେ। ପ୍ରଜ୍ଞାପନ ମେଢ଼ର କଳାକାରମାନେ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଚଳିତବର୍ଷର ପ୍ରଜ୍ଞାପନ ମେଢ଼ ପ୍ରତିଯୋଗିତାରେ ଓଡ଼ିଶା ପଦକ ଜିଣିବା ଆଶା କରାଯାଉଛି ବୋଲି ମେଢ଼ ଡିଜାଇନ୍‌ କରିଥିବା ପ୍ରତିଷ୍ଠିତ ଶିଳ୍ପୀ ଗଜେନ୍ଦ୍ର ସାହୁ ଓ ଛତ୍ରପତି ବିଶ୍ବାଳ କହିଛନ୍ତି। ଦୁଇ ଶିଳ୍ପୀଙ୍କ କହିବା ଅନୁଯାୟୀ ପୂର୍ବରୁ ରାଜପଥରେ ପ୍ରଦର୍ଶିତ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ତୁଳନାରେ ଚଳିତ ବର୍ଷର ପ୍ରଜ୍ଞାପନ ମେଢ଼ ଉତ୍ତମ କାରୁକାର୍ଯ୍ୟ ଓ ଭିନ୍ନ ଶୈଳୀରେ ପ୍ରସ୍ତୁତ କରାଯାଇଛି। ଓଡ଼ିଶାର ମହାନ୍‌ ଐତିହ୍ୟକୁ ସାରା ଦେଶ‌ ଦେଖିଛି। ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe