କରୋନା ପାଇଁ ବନ୍ଦ ଚୈତ୍ର୍ୟର ଦଣ୍ଡନୃତ୍ୟ : ଆର୍ଥିକ ସଙ୍କଟରେ ଦଣ୍ଡ କଳାକାର

Advertisment
କରୋନା ପାଇଁ ବନ୍ଦ ଚୈତ୍ର୍ୟର ଦଣ୍ଡନୃତ୍ୟ : ଆର୍ଥିକ ସଙ୍କଟରେ ଦଣ୍ଡ କଳାକାର

YouTube

ଅନୁଗୁଳ : ବିଶ୍ବରେ କରୋନା ପ୍ରଭାବ କଳାକାରଙ୍କ ଜୀବନ ସହ ଜୀବିକାକୁ ବି ପ୍ରଭାବିତ କରିଛି। ସରକାରୀ ଅବହେଳା ଯୋଗୁଁ ଭତ୍ତା ପାଇବାରୁ ହଜାର ହଜାର କଳାକାର ବଞ୍ଚିତ ହୋଇଥିବା ବେଳେ ଏବେ ‌କରୋନାର ମୁକାବିଲା ପାଇଁ ଲକ୍‌ଡାଉନ ହେବା ଫଳରେ ସେମାନେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି।

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କଳାସଂସ୍କୃତିରେ ଦଣ୍ଡର ସ୍ବତନ୍ତ୍ର ସ୍ଥାନ ରହିଛି। ଦଣ୍ଡ କଳାକାରଙ୍କ ପାଇଁ ଚୈତ୍ର ମାସ ହେଉଛି ସବୁଠାରୁ ପବିତ୍ର ମାସ। ଚୈତ୍ର ମାସରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହିତ ପାଳିତ ହୋଇଥାଏ କାମନାକାଳୀ( ଶିବଗୌରୀ) ଦଣ୍ଡବ୍ରତ। ମାନସିକ ପାଇଁ ବହୁ ଲୋକ ଏହି ସମୟରେ ଦଣ୍ଡବ୍ରତ ରଖିଥାନ୍ତି। ପଣା ସଂକ୍ରାନ୍ତିର ୧୩ ଦିନ(କେତେକ ଜାଗାରେ ୨୧ ଦିନ) ପୂର୍ବରୁ ବିଧିମତେ ଦଣ୍ଡ ଉଠିଥାଏ। ବ୍ରତଧାରୀମାନେ ବିଭିନ୍ନ ଗ୍ରାମ ପରିକ୍ରମା କରିଥାନ୍ତିି। ପଣା ସଂକ୍ରାନ୍ତିରେ ଏହା ଉଦ୍‌ଯାପିତ ହେଉଥିବାବେଳେ ଏହାର ଦିନକ ପୂର୍ବରୁ ଅନୁଷ୍ଠିତ ହୋଇଥାଏ ମେରୁଯାତ୍ରା। ମେରୁଯାତ୍ରାରେ ଭବ୍ୟ ଆୟୋଜନ ହୋଇଥାଏ। ଚୈତ୍ୟ ମାସରେ ଦଣ୍ଡ ପାଇଁ ସହର, ଗାଁ ସବୁ ଉତ୍ସବମୁଖର ହୋଇଉଠିଥାଏ। ଚଳିତବର୍ଷ ଏପ୍ରିଲ ୧୩ ତାରିଖରେ ପଣା ସଂକ୍ରାନ୍ତି ପଡ଼ୁଛି। ତେଣୁ ମାର୍ଚ୍ଚ ୩୧ରେ ବିଧିମତେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥାନ୍ତା। କିନ୍ତୁ କରୋନା ମୁକାବିଲ‌ା ପାଇଁ ସରକାରଙ୍କ କଟକଣା ଯୋଗୁଁ ଏଥର ତାହା ସମ୍ଭବ ହୋଇନାହିଁ। ଦଣ୍ଡବ୍ରତ ସମୟକୁ ଛାଡ଼ି ଦେଲେ ଅନ୍ୟ ସମୟରେ ଦଣ୍ଡନୃତ୍ୟ(ଉଦଣ୍ଡ) କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ।

ଦଣ୍ଡ କଳାକାରମାନେ ଏହି ସମୟରେ ଭଲ ରୋଜଗାର କରିଥାନ୍ତି। ଉତ୍କଳୀୟ ଦଣ୍ଡ ସଂସ୍କୃତି ସମାଜ ମଂଗଳ ସଂଘର ସଭାପତି ହରମୋହନ ସାହୁଙ୍କ ଅନୁସାରେ, ଅନୁଗୁଳ ଜିଲ୍ଲାରେ କେବଳ ୫ ହଜାର ପାଖାପାଖି କଳାକାର ରହିଛନ୍ତି। ୧୦୪ଟି ଦଣ୍ଡଦଳ ଏହି ସଂଘର ସଦସ୍ୟ ରହିଛନ୍ତି। ସଂଘ ବାହାରେ ମଧ୍ୟ ବହୁ ଦଣ୍ଡଦଳ ରହିଛନ୍ତି। ଗୁରୁ ତ୍ରିପୁର କୁମାର ଜେନାଙ୍କ କହିବା ଅନୁସାରେ, ପ୍ରତିବର୍ଷ ଗୋଟିଏ ଗୋଟିଏ ଦଳ ୬୦ରୁ ୧୧୦ଟି କଲ୍‌ ପାଇଥାନ୍ତି। ପର୍ବପର୍ବାଣି ସମୟରେ କାର୍ଯ୍ୟକ୍ରମ ହୋଇଥାଏ। ଏହାବ୍ୟତୀତ ଗାଁ ଗଣ୍ଡାରେ ଦଣ୍ଡଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏଭଳି କାର୍ଯ୍ୟକ୍ରମରେ କଳାକାରମାନେ ଭଲ ଦୁଇ ପଇସା ରୋଜଗାର ହୋଇଥାଏ ବୋଲି କହିଛନ୍ତି।

ମାତ୍ର, କରୋନା ‌ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଏବେ ଦୋହଳିଗଲାଣି। ସ୍ବାଭାବିକ ଅବସ୍ଥା ଫେରିଲେ ବି ଏଥର ସେଭଳି କାର୍ଯ୍ୟକ୍ରମ ଆୟୋଜନ ନେଇ ଆଶଙ୍କା ରହିଛି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନୁଗୁଳ ଜିଲ୍ଲାରେ ମାତ୍ର ୧୨୩୦ ଜଣ ବିଭିନ୍ନ ବର୍ଗର କଳାକାର ସାମିଲ ହୋଇଛନ୍ତି। ତେବେ ସହାୟତା ପାଉଥିବା ଦଣ୍ଡ କଳାକାରଙ୍କ ସଂଖ୍ୟା ଶହେରୁ ବି କମ୍ ହେବ। ସରକାରଙ୍କ ନିୟମ ଅନୁସାରେ, ୫୦ ବର୍ଷରୁ ଅଧିକ ବୟସର କଳାକାରଙ୍କୁ ଭତ୍ତା ଯୋଗାଇବାର ନିୟମ ରହିଥିଲେ ହେଁ ଏବେ ୬୮ ବର୍ଷରୁ ଅଧିକ ବୟସ କେଇଜଣ ମାତ୍ର କଳାକାର ଏହି ଭତ୍ତା ପାଉଛନ୍ତି ବୋଲି ସଂଘର ସଭାପତି ଶ୍ରୀ ସାହୁ କହିଛନ୍ତି। ଅପରପକ୍ଷରେ ଯେଉଁମାନଙ୍କୁ ବି ଭତ୍ତା ପାଉଛନ୍ତି, ମାର୍ଚ୍ଚ ମାସର ଭତ୍ତା ବି ସେମାନଙ୍କୁ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe