ଦେବଗଡ଼: ସାଧାରଣତଃ ବିଦ୍ୟୁତ୍ ତାର ସଂଯୋଗ ପାଇଁ ଲୁହା ଏବଂ ସିମେଣ୍ଟ ଖୁଣ୍ଟର ବ୍ୟବହାର କରାଯାଇଥାଏ। ମାତ୍ର ବିଦ୍ୟୁତ୍ ବିଭାଗର ଅଭିନବ ଉପାୟ ଦେଖିବାକୁ ମିଳୁଛି ରିଆମାଳ ବ୍ଲକ ଅନ୍ତର୍ଗତ ତୁଟାବାରୀ ଗ୍ରାମରେ। ଏଠାରେ ଲୁହା କିମ୍ବା ସିମେଣ୍ଟ୍ ଖୁଣ୍ଟ ନୁହେଁ କାଠଖୁଣ୍ଟ ଭରସାରେ ବିଦ୍ୟୁତ ତାରକୁ ଛାଡ଼ି ଦିଆଯାଇଛି। ମୁଣ୍ଡ ଉପରେ ବିପଦ ଥିଲେ ବି ବିଭାଗର ନୀରବଦ୍ରଷ୍ଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ନିକଟରେ ରହିଛି ପ୍ରାଥମିକ ବିଦ୍ୟାଳୟ। ଉକ୍ତ ସ୍ଥାନରେ ଏପରି ବିପଜ୍ଜନକ ଭାବେ ବିଦ୍ୟୁତ୍ ତାର ଟଣାଯାଇଛି। ଖୁଣ୍ଟ ବଦଳାଇବା ନେଇ ଗ୍ରାମବାସୀ ଦାବି କରିଆସୁଥିବାବେଳେ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଟାଟା ପାୱାର ବିଦ୍ୟୁତ ଯୋଗାଣ ବିତରଣ ସେବା ନିଜ ହାତକୁ ନେଇଥିବାବେଳେ ବିଭାଗର ବହୁ ସ୍ଥାନରେ ସଂସ୍କାର ଆଣିବ ବୋଲି ଲୋକମାନେ ଆଶା ରଖିଥିଲେ। କିନ୍ତୁ ଟାଟାପାୱାର ନେବା ପରେ ମଧ୍ୟ କୌଣସି ସୁଧାର ହୋଇ ନଥିବା ଦେଖିବାକୁ ମିଳୁଛି।
ଏଥିପ୍ରତି ଜିଲ୍ଲାପ୍ରଶାସନ ଏବଂ ବିଦ୍ୟୁତ୍ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ ଏସଡିଓ ଆନନ୍ଦ କାଲୋଙ୍କ ସହିତ ଯୋଗାଯୋଗ କରିବାରୁ ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
Follow Us