ଆଜି ବିଶ୍ବ ପରିବେଶ ଦିବସ: ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲକୁ ମାଡ଼ିଆସୁଛି ବିପଦ

Advertisment
ଆଜି ବିଶ୍ବ ପରିବେଶ ଦିବସ: ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲକୁ ମାଡ଼ିଆସୁଛି ବିପଦ

The New Indian Express

ରାଉରକେଲା: ରବିବାର ସାରା ବିଶ୍ବ ପାଳନ କରୁଛି ବିଶ୍ବ ପରିବେଶ ଦିବସ। ୧୯୭୨ ଠାରୁ ପ୍ରତିବର୍ଷ ଜୁନ୍‌ ୫ରେ ପାଳନ ହେଉଥିବା ଏହି ଦିନଟି ଆମମାନଙ୍କ ପାଇଁ ଅନେକ ଗୁରୁତ୍ବବହନ କରେ। କାରଣ ଧନଜୀବନ ସୁରକ୍ଷିତ ରଖିବାକୁ ପରିବେଶ ସୁରକ୍ଷା ଜରୁରୀ। ଏହି ଦିବସ ଜଙ୍ଗଲ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଙ୍ଗଠନ ଓ ଶିଳ୍ପାନୁଷ୍ଠାନ ଗୁଡ଼ିକ ପକ୍ଷରୁ ପରିବେଶ ଦିବସ ପାଳନ ସହ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା। ବିଡମ୍ବନା, ଦିନଟିଏ ଗଲା ପରେ ପରିବେଶ ସୁରକ୍ଷା କଥା ଆମେ ଭୁଲି ଯାଉ। ଅନେକ ସଚେନତା କାର୍ଯ୍ୟକ୍ରମ କେବଳ  କାର୍ଯ୍ୟକ୍ରମରେ ହିଁ ସୀମିତ ରହିଯାଉଛି। ଜଙ୍ଗଲରେ ଗଛଗୁଡ଼ିକ କାଟି ସେହି ସ୍ଥାନରେ ଗଢ଼ି ଉଠିଛି ବସ୍ତି। ଏମିତି ସ୍ଥିତି ଉପୁଜିଛି ରାଉରକେଲା ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲରେ। ପ୍ରାୟ ୮୫୦ ପରିବ୍ୟାପ୍ତ ଦୁର୍ଗାପୁର ପାହାଡରେ ସବୁଜିମା ସୃଷ୍ଟି ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା  ବ୍ୟୟରେ ଚାରାରୋପଣ ହେଉଛି। ଯେତିକି ଚାରା ଲଗାଯାଉଥିବା ବନ ବିଭାଗର ବିଭାଗୀୟ ଅଧିକାରୀ କରୁଛନ୍ତି, ତା’ର ଅଧା ଗଛ ମଧ୍ୟ ଲାଗୁ ନଥିବା ପାହାଡକୁ ଦେଖିଲେ ଜଣାପଡୁଛି।

ଅନ୍ୟପଟେ ଜବରଦଖଲକାର ତାଡନାରେ ପାହାଡ ବିଦୀର୍ଣ୍ଣ ହୋଇଯାଇଛି। ତେଣୁ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲକୁ ମାଡ଼ିଆସୁଛି ବିପଦ। ରାତାରାତି ଗଛକାଟି ପାହାଡ଼କୁ ଲଣ୍ଡା କରି ଛିଡା କରି ଦେଉଛନ୍ତି ଘର। ବର୍ଷ ବର୍ଷ ଧରି ଚାଲିଛି ଏଭଳି ବେଆଇନ କାମ। ଛେଣ୍ଡ ହନୁମାନ ମନ୍ଦିର ପାହାଡ଼ ଆରମ୍ଭରୁ ସେକ୍ଟର-୨୧ ନୟାବଜାର ପର୍ଯ୍ୟନ୍ତ ପାହାଡର ଉଭୟ ପାର୍ଶ୍ବରେ ଗତ ୩/୪ ବର୍ଷ ତଳେ ଯେତିକି ଘର ନିର୍ମାଣ ହୋଇଥିଲା। ଏବେ ତା’ର ୫ ଗୁଣ ଘର ନିର୍ମାଣ ସରିଲାଣି।  ବନ ବିଭାଗର ଦାଗିଦ୍‌କୁ ବେଖାତିର କରି ବେଧଡକ୍‌ ଚାଲିଛି ଗୋଟିଏ ପରେ ଗୋଟିଏ ଘର। ବାସନ୍ତୀକଲୋନି, ଲେବରଟେନାମେଣ୍ଟ, ନୟାବଜାର, ସେକ୍ଟର-୬ ନିକଟ ବସ୍ତି ସମେତ ଉଭୟ ପାର୍ଶ୍ବରେ ଶହ ଶହ ବସ୍ତି ଗଢ଼ି ଉଠିଛି। କଳିଙ୍ଗ ବିହାର ହନୁମାନ ମନ୍ଦିର ପାର୍ଶ୍ବରେ  ଗତ କେଇ ମାସ ମଧ୍ୟରେ ଶହ ଶହ ଘର ନିର୍ମାଣ ସରିଲାଣି। ସବୁଠୁ ଆଶ୍ଚର୍ଯ୍ୟ କଥା, ବନ ବିଭାଗ କେବଳ ମାମଲା ରୁଜୁ କରି କାମ ସାରି ଦେଉଛନ୍ତି। ଗତ ୪/୫ ବର୍ଷ ମଧ୍ୟରେ ଦୁର୍ଗାପୁର ପାହାଡର ଉଭୟ ପାର୍ଶ୍ବରେ ଗଛଗୁଡ଼ିକୁ ବଳି ପକାଇ ଶହ ଶହ ଘର ନିର୍ମାଣ।

ବନ ବିଭାଗ ମାତ୍ର କେତୋଟି ହାତ ଗଣିତ ମାମଲା ରୁଜୁ କରିଛନ୍ତି। କିଛି ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା‌’ପୁଣି ଅଭିଯୋଗ ହେଲା ପରେ।  ଅଭିଯୋଗ ନ ଆସିଲେ ବନ ବିଭାଗ ଏହାର କୌଣସି ଟେର୍‌ ପାଉନି। ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ, ଏଥି‌ରେ ଦ୍ବିମତ ନାହିଁ। ସ୍ମାର୍ଟସିଟିର ପରିବେଶକୁ ରକ୍ଷା କରିବାକୁ ହେଲେ ଦୁର୍ଗାପୁର ପାହାଡକୁ ସବୁଜିମା କରିବାର ଆବଶ୍ୟକତା ରହିଛି। କିଛି ଜବରଦଖଲକାରୀ ଓ ଦଲାଲଙ୍କ ଯୋଗୁଁ ସବୁଜିମାଭରା ଦୁର୍ଗାପୁର ପାହାଡକୁ ବିପଦ ମାଡ଼ି ଆସୁଛି। ବିଶ୍ବ ପରିବେଶ ଦିନରେ ସହରର ସୁରକ୍ଷା ଦୃଷ୍ଟିରୁ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe