ଅବଧି ସରିବାକୁ ବସିଲାଣି, ଆଗଉନି କାମ; ବିପଦସଂକୁଳ ପୋଲରେ ଯାଉଛନ୍ତି ଛାତ୍ରଛାତ୍ରୀଙ୍କ ସହ ଶତାଧିକ ପଥଚାରୀ

ଅବଧି ସରିବାକୁ ବସିଲାଣି, ଆଗଉନି କାମ; ବିପଦସଂକୁଳ ପୋଲରେ ଯାଉଛନ୍ତି ଛାତ୍ରଛାତ୍ରୀଙ୍କ ସହ ଶତାଧିକ ପଥଚାରୀ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସୋରଡ଼ା ପଞ୍ଚାୟତ ସଦରମହକୁମାଠାରୁ ଆର୍‌ଡି ରାସ୍ତା ଭାୟା ଗୌଡ଼ଚାଞ୍ଚରାପଲ୍ଲୀ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା କାମର ଅବଧି ପୂର୍ଣ୍ଣାଙ୍ଗ ହେବାକୁ ବସିଥିବା ବେଳେ ଅଧପନ୍ତରିଆ ଭାବେ ପଡ଼ିରହିଥିବା କାର୍ଯ୍ୟ କିନ୍ତୁ ଆଗେଇବାର ନାଁ ଧରୁନି। ଏଥି ସହିତ ଅଧପନ୍ତରିଆ ଭାବେ ପଡ଼ିରହିଥିବା ବେଲପା ନାଳର ପୋଲ ନିର୍ମାଣ କାର୍ଯ୍ୟ ମାସ ମାସ ଧରି ଆଗେଇ ନ ପାରିବା କାରଣରୁ ଏବେ ପିଲାଙ୍କ ପାଇଁ ତାଳ ଗଛରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ଛାତ୍ରଛାତ୍ରୀ ଏବଂ ପଥଚାରୀଙ୍କ ପାଇଁ ବିପଦ ବଢ଼ାଉଛି।

publive-image

ସୂଚନା ମୁତାବକ, ନୂଆଗାଁ ବ୍ଲକ୍‌ ସୋରଡ଼ା ପଞ୍ଚାୟତ ସଦରମହକୁମାଠାରୁ ଆର୍‌ଡି ରାସ୍ତା ଭାୟା ଗୌଡ଼ଚାଞ୍ଚରାପଲ୍ଲୀ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩.୫ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ୩ କୋଟି ୭୪ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ଯାହାକି ୨୦୨୧ ମସିହା ନଭେମ୍ବର ମାସଠାରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ମସିହା ଅକ୍ଟୋବର ମାସ ସୁଦ୍ଧା ସରିବା କଥା। କିନ୍ତୁ ଇତି ମଧ୍ୟରେ କାର୍ଯ୍ୟ ଅବଧି ସରିଆସୁଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ କିନ୍ତୁ ଆଗେଇବାର ନାଁ ଧରୁନି। ଯେତେବେଳେ ବି ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହେଉଛନ୍ତି ଦାୟିତ୍ବରେ ଥିବା ଯନ୍ତ୍ରୀ ଠିକାଦାରଙ୍କ ଉପରେ ଦୋଷ ଲଦିଦେଇ ନିଜେ ଖସି ଯାଉଛନ୍ତି। ତେବେ ପ୍ରଶାସନ ଏବଂ ଠିକାଦାରଙ୍କ ଏଭଳି କାର୍ଯ୍ୟରେ ଜନସାଧାରଣ ଅତିଷ୍ଠ ହୋଇ ବେଲପା ନାଳ ଉପରେ ପୋଲ ହୋଇ ନପାରିବା କାରଣରୁ ଛାତ୍ରଛାତ୍ରୀମାନେ ରାଜରାସ୍ତା ଅବରୋଧ କରିଥିଲେ। ଏହାପରେ ଠିକାଦାର ନାଳ ଉପରେ ତାଳ ଗଛ ପକାଇ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି। କିନ୍ତୁ ପ୍ରତିଦିନ ଏହା ଉପର ଦେଇ ଶତାଧିକ ପଥଚାରୀ ଯିବାଆସିବା କରୁଥିବା କାରଣରୁ ତାହା ଦିନକୁ ଦିନ ସମସ୍ତଙ୍କ ପାଇଁ ବିପଦ ବଢ଼ାଉଛି। ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଏହି ଅସ୍ଥାୟୀ ପୋଲ ଉପରେ ଯିବାଆସିବା କରୁଥିବା ବେଳେ ସେମାନଙ୍କ ଦୁଃଖ କେବେ ଯେ ଦୂର ହେବ ତାହା ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ତେବେ ଚଳିତ ମାସ ୨୪ ତାରିଖରେ ଏହି କାର୍ଯ୍ୟର ଅବଧି ପୂରଣ ହେବାକୁ ଯାଉଥିବା ବେଳେ ଏ ଦିଗରେ ଉପରିସ୍ଥ ବିଭାଗୀୟ ଅଧିକାରୀ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe