ଡରାଇଲାଣି ସମୁଦ୍ର: ୨୩ରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା

Advertisment

ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷିବ, ବାତ୍ୟା ଚିତ୍ର ସ୍ପଷ୍ଟ କରିନି ଆଇଏମ୍‌ଡି

ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷିବ, ବାତ୍ୟା ଚିତ୍ର ସ୍ପଷ୍ଟ କରିନି ଆଇଏମ୍‌ଡି

ଡରାଇଲାଣି ସମୁଦ୍ର: ୨୩ରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା

Image Courtesy of India Today

ଭୁବନେଶ୍ବର: ଆସନ୍ତା ୨୨ ତାରିଖ ସୁଦ୍ଧା ଦକ୍ଷିଶ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବା ସହ ଉତ୍ତର-ପୂର୍ବ ଦିଗରେ ଗତି କରିବ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଅବପାତର ରୂପରେଖ କ’ଣ ରହିବ ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇ ନାହିଁ। ତେବେ ୨୩ ତାରିଖ ସକାଳଠାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ୨୩ ତାରିଖଠାରୁ କେନ୍ଦ୍ରୀୟ ଓ ୨୪ ତାରିଖଠାରୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ୨୩ ତାରିଖ ପୂର୍ବରୁ ଫେରି ଆସିବାକୁ କୁହାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଅବପାତ ପ୍ରଭାବରେ ୨୪ ଓ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୪ ତାରିଖରେ ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା(୭ରୁ ୨୦ ସେମି) ହେବାକୁ ଥିବା ବେଳେ କଟକ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହୋଇପାରେ। ୨୫ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାଠାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର କେ‌ତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୩ ତାରିଖ ସକାଳଠାରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା‌ ପ୍ରତି ୪୦ରୁ ୫୦ କିମି ରହିବ। ସ୍ଥଳ ବିଶେଷରେ ପବନର ବେଗ ୬୦ କିମି ଛୁଇଁପାରେ। ୨୪ ତାରିଖଠାରୁ ଏହାର ପ୍ରଭାବ ଉତ୍ତର ବଙ୍ଗୋପସାଗରରେ ରହିବ ଏବଂ ଘଣ୍ଟାପ୍ରତି ପବନର ବେଗ ୫୦ରୁ ୬୦ କିମି ହୋଇପାରେ। ଝଟକା ପବନର ବେଗ ୭୦ କିମି ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପକ୍ଷରେ ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ଝାରସୁଗୁଡାଠାରେ ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଟପିଛି। ସମ୍ବଲପୁରରେ ୪୨ ଡିଗ୍ରି ଥିବା ବେଳେ ସୁନ୍ଦରଗଡ଼ରେ ୪୧.୭, ହୀରାକୁଦରେ ୪୧.୬, ବଲାଙ୍ଗୀରରେ ୪୧.୨, ବୌଦ୍ଧ ଓ ଖୋର୍ଦ୍ଧାରେ ୪୧, ନୂଆପଡ଼ାରେ ୪୦.୪, ଭବାନୀପାଟଣା ଓ କେନ୍ଦୁଝରରେ ୪୦ ଡିଗ୍ରି ଲେଖାଏ ରହିଥିଲା। ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗଳି ସହ ଉଷ୍ମଆଦ୍ର ପାଣିପାଗ ସ୍ଥିତି ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ଯାଏଁ ବଢ଼ିବାର ସମ୍ଭାବନା ରହିଛି। ୨୨ ତାରିଖ ବେଳକୁ ନୂଆପଡ଼ା ଓ ବୌଦ୍ଧ ତାପମାତ୍ରା ୪୩ ଡିଗ୍ରି ଛୁଇଁପାରେ। ଉପକୂଳ ଓ ଉତ୍ତର ଓଡ଼ିଶାର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ଡେଇଁଯିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe