ବିପଜ୍ଜନକ ‘ସିଲିକୋସିସ୍‌’: ଏସ୍‌ସିବିରେ ଚିକିତ୍ସିତ ହୋଇଛନ୍ତି ୧୪୮

ଖଣିଖାଦାନରୁ ଉତ୍ପନ୍ନ ମାରାତ୍ମକ ସିଲିକୋସିସ୍‌ ରୋଗକୁ ନେଇ ଓଡ଼ିଶାରେ ଚର୍ଚ୍ଚା ନାହିଁ। ଅନେକ ଏହି ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜାଣନ୍ତି ମଧ୍ୟ ନାହିଁ। ତେବେ ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ପ୍ରଭୃତି ରାଜ୍ୟରେ ସିଲିକୋସିସ୍‌ ରୋଗ ଥିବା ନେଇ ବିଶେଷଜ୍ଞମାନେ ମତ ଦିଅନ୍ତି।

sfhfssfhfhs

ଗାର୍ଗୀ ଶତପଥୀ
ସମ୍ବଲପୁର: ଖଣିଖାଦାନରୁ ଉତ୍ପନ୍ନ ମାରାତ୍ମକ ସିଲିକୋସିସ୍‌ ରୋଗକୁ ନେଇ ଓଡ଼ିଶାରେ ଚର୍ଚ୍ଚା ନାହିଁ। ଅନେକ ଏହି ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜାଣନ୍ତି ମଧ୍ୟ ନାହିଁ। ତେବେ ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ପ୍ରଭୃତି ରାଜ୍ୟରେ ସିଲିକୋସିସ୍‌ ରୋଗ ଥିବା ନେଇ ବିଶେଷଜ୍ଞମାନେ ମତ ଦିଅନ୍ତି। ଓଡ଼ିଶାରେ ଯକ୍ଷ୍ମା ଏବଂ ଆଜ୍‌ମା ଆଳରେ ଏହାକୁ ଲୁଚାଇ ଦିଆଯାଉଛି। କଟକ ଏସ୍‌ସିବି ବଡ଼ଡାକ୍ତରଖାନାରେ ଗତ ସାଢ଼େ ୧୧ ବର୍ଷ ମଧ୍ୟରେ ୧୪୮ ଜଣ ସିଲିକୋସିସ୍‌ରେ ଚିକିତ୍ସିତ ହୋଇଥିବାର ତଥ୍ୟ ଦିଆଯାଇଛି। ଏଥିମଧ୍ୟରୁ ୭୪ ଜଣ ସିଲିକୋସିସ୍‌ ସହିତ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ପୂର୍ବରୁ ବୁର୍ଲା ଭିମ୍‌ସାରରେ ୨୦୧୯ରୁ ଆଜି ପର୍ଯ୍ୟନ୍ତ ୫ ଜଣ ସନ୍ଦିଗ୍ଧ ସିଲିକୋସିସ୍‌ ଆକ୍ରାନ୍ତ ଥିବା ନେଇ ଏକ ରିପୋର୍ଟ ଅଗଷ୍ଟ ୧୯ ତାରିଖ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ସିଲିକୋସିସ୍‌ର କୌଣସି ଚିକିତ୍ସା ନାହିଁ ବୋଲି ଡାକ୍ତରମାନେ କହି ଆସୁଛନ୍ତି। କିନ୍ତୁ ଏହି ରୋଗରେ ଆଜି ପର୍ଯ୍ୟନ୍ତ କେତେଜଣଙ୍କର ମୃତ୍ୟୁ ହୋଇଛି ତାର ହିସାବ ଉଭୟ ଏସ୍‌ସିବି ବା ଭିମ୍‌ସାର୍‌, କାହା ପାଖରେ ନାହିଁ।

ରୋଗର ଚିକିତ୍ସା ନାହିଁ, ମୃତ୍ୟୁ ତଥ୍ୟ ବି ନାହିଁ

ସୂଚନା ଅଧିକାର ଆଇନ ଅନୁସାରେ ମିଳିଥିବା ତଥ୍ୟ ମୁତାବକ ଏସ୍‌ସିବି ଶ୍ବାସ ମେଡିସିନ୍‌ ବିଭାଗରେ ସମୁଦାୟ ୧୩୬ ଏବଂ ଫୁସ୍‌ଫୁସ୍‌ ବିଭାଗରେ ୧୨ ଜଣ ସିଲିକୋସିସ୍‌ ରୋଗୀ ଚିକିତ୍ସିତ ହୋଇଥିଲେ। ପ୍ରତିବର୍ଷ ଏହି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶ୍ବାସ ମେଡିସିନ୍‌ ରୋଗ ବିଭାଗରେ ଯକ୍ଷ୍ମା ସହିତ ସିଲିକୋସିସ୍‌ରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୨୦୧୪ ମସିହାରେ ୭ ଓ ୩, ୨୦୧୫ରେ ୯ ଓ ୨, ୨୦୧୬ରେ ୩ ଓ ୧, ୨୦୧୭ରେ ୧୨ ଓ ୮, ୨୦୧୮ରେ ୧୧ ଓ ୭, ୨୦୧୯ରେ ୧୪ ଓ ୮, ୨୦୨୦ରେ ୨ ଓ ୧, ୨୦୨୧ରେ ୬ ଓ ୪, ୨୦୨୨ରେ ୨୩ ଓ ୧୨, ୨୦୨୩ରେ ୮ ଓ ୫, ୨୦୨୪ରେ ୨୧ ଓ ୧୨ ଏବଂ ୨୦୨୫ ମସିହାରେ ବର୍ତ୍ତମାନ ସୁଦ୍ଧା ୨୦ ଓ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଫୁସଫୁସ ରୋଗ ବିଭାଗରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୨୦୨୩ ମସିହାରେ ୨, ୨୦୨୪ରେ ୭ ଓ ୨୦୨୫ ମସିହାରେ ୩ ଜଣ ଅଛନ୍ତି। ସିଲିକୋସିସ୍ ଏକ ଫୁସ୍‌ଫୁସ୍‌ଜନିତ ରୋଗ। ଯାହା ସିଲିକା ନାମକ ଏକ ଗୁଣ୍ଡ ବା କଣିକା ଯୋଗୁଁ ହୋଇଥାଏ। ପଥର, ସୁନାଖଣି, ଚୂନପଥର ଖଣି, କାଚ ଖଣି, କୋଇଲା ଖଣି ସମେତ ବିଭିନ୍ନ ପ୍ରକାର ଖଣି ଓ ସିମେଣ୍ଟ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ମୁଖ୍ୟତଃ ଏଥିରେ ଆକ୍ରାନ୍ତ ହୋଇଥାଆନ୍ତି। ଓଡ଼ିଶାରେ ଯେଉଁଭଳି ଭାବରେ ସିମେଣ୍ଟ କାରଖାନା, ଚୂନପଥର ଖଣି, ପଥର ଖଣି ଓ ଖୋଲାମୁହଁ କୋଇଲା ଖଣି ସଂଖ୍ୟା ବଢ଼ିବାରେ ଲାଗିଛି, ସେ ଦୃଷ୍ଟିରୁ ସିଲିକୋସିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିବା ଅମୂଳକ ନୁହେଁ। କିନ୍ତୁ ଏହାକୁ ନେଇ ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଜାରି ହେଉନଥିବାରୁ ସ୍ଥିତି ସ୍ପଷ୍ଟ ହୋଇ ପାରୁନାହିଁ। ଖଣି ନିକଟବର୍ତ୍ତୀ ଅଞ୍ଚଳର ଲୋକମାନଙ୍କଠାରେ ବି ଏହି ରୋଗର ଆଶଙ୍କା ରହୁଛି। ତେଣୁ ସିଲିକୋସିସ୍‌ର ନିରାକରଣକୁ ସ୍ବାସ୍ଥ୍ୟ ବିଭାଗ ପ୍ରାଥମିକତା ଦେଲେ ଅନେକ ଅମୂଲ୍ୟ ଜୀବନ ରକ୍ଷା ପାଇପାରିବ। 

ଏସ୍‌ସିବି ଫୁସ୍‌ଫୁସ୍‌ ରୋଗ ବିଭାଗର ମୁଖ୍ୟ ଡାକ୍ତର ମନୋରଞ୍ଜନ ଦାଶ କହିଛନ୍ତି, ସିଲିକୋସିସ୍‌ ଏକ ମାରାତ୍ମକ ରୋଗ। ଡାକ୍ତରଖାନାକୁ ଏଭଳି ରୋଗୀ ମୁଖ୍ୟତଃ ଶିଳ୍ପାଞ୍ଚଳରୁ ଆସି ଥାଆନ୍ତି। ପୂର୍ବରୁ ବାରିପଦା, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ରୋଗୀ ଆସୁଥିଲେ। ବର୍ତ୍ତମାନ ସବୁ ଅଞ୍ଚଳର ଡାକ୍ତରଖାନାରେ ପଲ୍‌ମୁନାରି ବିଭାଗ ଖୋଲିବା ପରେ ଏସ୍‌ସିବିକୁ ରେଫରାଲ୍‌ ରୋଗୀ ଅଧିକ ଆସୁଛନ୍ତି। କଟକ ଏବଂ ଏହାର ନିକଟସ୍ଥ ଅଞ୍ଚଳର ରୋଗୀ ସଂଖ୍ୟା ଅଧିକ। ବାଲେଶ୍ବର ଜିଲ୍ଲାର ଅନେକ ଶ୍ରମିକ ରାଜସ୍ଥାନ ଓ ଗୁଜରାଟରେ ମାର୍ବଲରୁ ମୂର୍ତ୍ତି ତିଆରି କରୁଛନ୍ତି। ସେମାନଙ୍କ ପାଖରେ ଏହି ରୋଗ ଅଧିକ ଦେଖାଯାଉଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ଓ ଚିକିତ୍ସା ହେଲେ ରୋଗୀ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବ। ଏ ସଂକ୍ରାନ୍ତରେ ଅଧିକ ସଚେତନତାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe