ଟେଷ୍ଟ୍‌ ପାଇଁ ଆଗେଇଆସିଲେ ଡଙ୍ଗରିଆ, ୬୨ ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍‌

Advertisment

ନିୟମଗିରିରୁ ଜଣେ ପଜିଟିଭ୍‌, ଆଦିବାସୀ ନେତା ଓ ସରପଞ୍ଚଙ୍କୁ ପ୍ରଶଂସା

ନିୟମଗିରିରୁ ଜଣେ ପଜିଟିଭ୍‌, ଆଦିବାସୀ ନେତା ଓ ସରପଞ୍ଚଙ୍କୁ ପ୍ରଶଂସା

ଟେଷ୍ଟ୍‌ ପାଇଁ ଆଗେଇଆସିଲେ ଡଙ୍ଗରିଆ, ୬୨ ଜଣଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍‌

ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ନିୟମଗିରି ଅଞ୍ଚଳରୁ ଜଣେ ଡଙ୍ଗରିଆ କରୋନା ସଂକ୍ରମିତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ପ୍ରଶାସନ ଡ଼ଙ୍ଗରିଆଙ୍କ ମଧ୍ୟରେ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି I ଏମାନଙ୍କ ମଧ୍ୟରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅଣ୍ଟା ଭିଡ଼ିଛନ୍ତି ସ୍ଥାନୀୟ ସରପଞ୍ଚ ଡ୍ରିଂଜ ଜାକାଶିକା ଓ ଆଦିବାସୀ ନେତା ତଥା ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ଜିତୁ ଜାକାଶିକା I

ରୋଗ ମୁକ୍ତ ହେବା ପାଇଁ ନିୟମଗିରିର ଡଙ୍ଗରିଆଙ୍କ ନିୟମରାଜା, ପୂଜାର୍ଚ୍ଚନା, ଗୁଣିଆ ଓ ଦିଶାରୀଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରହିଛି। ଆଧୁନିକ ଚିକିତ୍ସା ଉପରେ ଏମାନଙ୍କ ବିଶେଷ ଭରସା ନାହିଁ। ଯାହାକି ପ୍ରଶାସନ ପାଇଁ ମୁଣ୍ଡ ବଥାର କାରଣ ହୋଇଥିଲା। ତେବେ ଡଙ୍ଗରିଆଙ୍କ ମଧ୍ୟରେ ବେଶ ଆଦୃତ ଥିବା ଡ୍ରିଂଜ ଜାକାଶିକା ଏବଂ ଜିତୁ ଜାକାଶିକାଙ୍କ ଉଦ୍ୟମ ବଳରେ ଆଜି ଚାଟିକଣାସ୍ଥିତ ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଏବଂ ବିଷମକଟକ ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଷମକଟକ ବ୍ଲକର କୁର୍ଲି ପଂଚାୟତସ୍ଥିତ ଗନ୍ଦିଲି ଗ୍ରାମରେ ଏମାନଙ୍କ ଆର୍‌ଟିପିସିଆର ପରୀକ୍ଷା କରାଯାଇଥିଲା I

ଗନ୍ଦିଲି ଗ୍ରାମର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ ଗତକାଲି ନିଜେ ପ୍ରକଳ୍ପ ପ୍ରଶାସକ ଏହି ଅଞ୍ଚଳରେ କୋଭିଡ ସ୍ଥିତି ସମୀକ୍ଷା ପାଇଁ ଆସିଥିଲେ I ଆଜି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ସ୍ବରୂପ ଗନ୍ଦିଲି ଗ୍ରାମର ୬୨ଜଣ ଡଙ୍ଗାରିଆଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିବା ଡିକେଡିଏ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ ସୂଚନା ଦେଇଛନ୍ତି I ଏହି ଅବସରରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକ୍ରା, ସରପଞ୍ଚ କୁର୍ଲି ଡ୍ରିଂଜ ଜାକାଶିକା ଓ ଜିତୁ ଜାକାଶିକା ପ୍ରମୁଖ ଉପସ୍ଥିତ ଥିଲେ। ଡ଼ଙ୍ଗରିଆଙ୍କୁ କରୋନା ପରୀକ୍ଷା ପାଇଁ ଆଗେଇ ଆସିବାକୁ ଉତ୍ସାହିତ କରିଥିବା କୁର୍ଲି ସରପଞ୍ଚ ଏବଂ ଜିତୁ ଜାକାଶିକାଙ୍କୁ ସ୍ଥାନୀୟ ପ୍ରଶାସନ ଏବଂ ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କୃତଜ୍ଞତା ଜଣାଇଛି I ତେବେ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି I

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe