ଅନାଥାଶ୍ରମରେ ନବଦମ୍ପତି ଡ୍ୟାନି-ଝିଲିକ୍‌

Advertisment

ବାହାଘର ‌‌ମୋ’ ପାଇଁ ସରପ୍ରାଇଜ୍‌ ଥିଲା: ଝିଲିକ୍‌

ବାହାଘର ‌‌ମୋ’ ପାଇଁ ସରପ୍ରାଇଜ୍‌ ଥିଲା: ଝିଲିକ୍‌

ଅନାଥାଶ୍ରମରେ ନବଦମ୍ପତି ଡ୍ୟାନି-ଝିଲିକ୍‌

ଭୁବନେଶ୍ୱର/ଯାଜପୁର : ସାତ ମାସର ଲୁଚାଛପା ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ରାଜନେତା ତଥା ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ (ଡ୍ୟାନି) ଓ ଓଲିଉଡ୍‌ ଅଭିନେତ୍ରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟ। ଗତକାଲି ରାତିରେ ଦୁହେଁ ଚିଲିକା କୂଳସ୍ଥିତ ସ୍ବସ୍ତି ଚିଲିକା ରିସର୍ଟରେ ବିବାହ କରିଛନ୍ତି। ରାଜସ୍ଥାନର ଯୋଧପୁର‌ରେ ବିବାହ ପାଇଁ ପ୍ରଥମେ ସ୍ଥାନ ନିରୂପଣ ହୋଇଥିଲେ ହେଁ ପରେ ଏହା ବଦଳି ଯାଇଥିଲା। ସଂଧ୍ୟାରେ ଉଭୟଙ୍କ ପରିବାରଲୋକେ ରିସର୍ଟରେ ପହଞ୍ଚିବା ପରେ ମେହେନ୍ଦି ରସମ୍‌ ଓ ନାଚଗୀତ ହୋଇଥିଲା। ରାତି ପ୍ରାୟ ୯ଟା ବେଳେ ହିନ୍ଦୁ ରୀତିନୀତିରେ ଉଭୟଙ୍କ ବିବାହ ହୋଇଥିଲା। ଏହି ବାହାଘରରେ ବିଧାୟକଙ୍କ ବାପା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡିର ରାଜ୍ୟ ଉପସଭାପତି ଡ. ପ୍ରଫୁଲ୍ଲ ଘଡ଼ାଇ, ମା’ ପ୍ରତିମା ଘଡ଼ାଇ, ମାମୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ମାଇଁ, ବଡ଼ମାମୁ, ପୂର୍ବତନ କାଉନସିଲର ଉଷାରାଣୀ ସାମଲ, ଦେବେନ୍ଦ୍ର ସାମଲ(ବିଟୁ), ବାବୁଲି ବୋଇତାଇ ଏବଂ କୋଲକାତାରୁ ଆସିଥିବା ଝିଲିକଙ୍କ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପାଖାପାଖି ଦେଢ଼ଶହ ଆତ୍ମୀୟସ୍ବଜନ, ବନ୍ଧୁ, ପରିବାରବର୍ଗ ଯୋଗ ଦେଇ ଏହି ବିବାହ ଉତ୍ସବକୁ ଉପଭୋଗ କରିଥିଲେ। ଝିଲିକଙ୍କ ବଡ଼ବାପାଙ୍କ ପୁଅ ବାପି ଦାଦା କନ୍ୟାଦାନ କରିଥିଲେ। ପୁଅଘର ପକ୍ଷରୁ ବଡ଼ମାମୁ କର୍ତ୍ତା ହୋଇଥିବା ଜଣାଯାଇଛି।

ଆଜି ସକାଳୁ ନବଦମ୍ପତି ଭୁବନେଶ୍ୱର ଫେରି ପ୍ରଥମେ ଖଣ୍ଡଗିରିସ୍ଥିତ ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଅପରାହ୍‌ଣ ପ୍ରାୟ ୪ଟା ବେଳେ ଦୁହେଁ ଡୁମଡୁମା ଫେଜ୍‌-୨ରେ ଥିବା ପ୍ରତିଭା ଅନାଥ ଆଶ୍ରମରେ ଅନାଥ ପିଲାଙ୍କ ଗହଣରେ ସେମାନେ ବିବାହ ଉତ୍ସବକୁ ପାଳନ କରିଥିଲେ। ଅନାଥ ପିଲାଙ୍କୁ ଫଳ, ମିଠା, ଚକଲେଟ୍‌ ବାଣ୍ଟିବା ସହ ସେମାନଙ୍କ ସହ ନାଚ, ଗୀତରେ ମସଗୁଲ୍‌ ହୋଇଥିଲେ। ନବଦମ୍ପତି ପ୍ରାୟ ଘଣ୍ଟାଏ କାଳ ସେଠାରେ ରହିବା ପରେ ଫେରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଘଡ଼େଇ ଅନାଥାଶ୍ରମକୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଥିବା ଜଣାଯାଇଛି।

ପ୍ରୀତିରଂଜନଙ୍କୁ ଜୀବନସାଥୀ ଭାବେ ପାଇ ଝିଲିକ ଖୁସି ଥିବା ଗଣମାଧ୍ୟମକୁ କହିଛନ୍ତି। ଝିଲିକ୍‌ କହିଛନ୍ତି ଯେ ଏହି ବାହାଘର ତାଙ୍କ ପାଇଁ ଏକ ସରପ୍ରାଇଜ୍‌ ଉପହାର ଥିଲା। ଗତ ଫେବ୍ରୁଆରି ୧୪ ତାରିଖ ଭାଲେଣ୍ଟାଇନ୍‌ ଡେ’ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାରିଖ ସ୍ଥିର ହୋଇନଥିଲା। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର୍‌ ଚର୍ଚ୍ଚା ହେବାରୁ ଦୁହେଁ ଏହାକୁ ଖଣ୍ଡନ କରିବା ସହ ଗୁଜବ ବୋଲି କହିଥିଲେ। ମାତ୍ର ଦୁଇ ଦିନ ତଳେ ଡ୍ୟାନି ଫୋନ୍‌ କରି ଝିଲିକଙ୍କୁ ବିବାହ କରିବେ ବୋଲି କହିଥିଲେ। ତେଣୁ ଏହା କୌଣସି ସର୍‌ପ୍ରାଇଜ୍‌ଠୁ କମ୍‌ ନଥିଲା ବୋଲି ଝିଲିକ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe