ନାଗରିକ ସମାଜ ପ୍ରଶ୍ନ ପଚାରିବାର ଅଧିକାର ତ୍ୟାଗ ନ କରୁ: ସୌମ୍ୟ

Advertisment

ଦଶପଲ୍ଲା ସମ୍ବାଦ ସାହିତ୍ୟଘରର ବାର୍ଷିକ ଉତ୍ସବ

ଦଶପଲ୍ଲା ସମ୍ବାଦ ସାହିତ୍ୟଘରର ବାର୍ଷିକ ଉତ୍ସବ

ନାଗରିକ ସମାଜ ପ୍ରଶ୍ନ ପଚାରିବାର ଅଧିକାର ତ୍ୟାଗ ନ କରୁ: ସୌମ୍ୟ

ଦଶପଲ୍ଲା/ନୟାଗଡ଼ : ଆମର ସାମାଜିକ ବ୍ୟବସ୍ଥା, ଗଣତନ୍ତ୍ର କୌଣସି କାରଣରୁ ନିମ୍ନଗାମୀ ହେଉଛି ବୋଲି ଯଦି କେହି ଭାବୁଥାଏ ସେଥିପାଇଁ ନେତା ଦାୟୀ ନୁହନ୍ତି, ନାଗରକି ସମାଜ ଦାୟୀ। କାହିଁକିନା ଆଜିକାଲି ପ୍ରଶ୍ନ ପଚାରିବାର ଅଧିକାରକୁ ସମସ୍ତେ ତ୍ୟାଗ କରି ଦେଇଛନ୍ତି। ଗଣତନ୍ତ୍ରରେ ପ୍ରଶ୍ନ ପଚାରିବା ଏକ ଅଧିକାର। ବର୍ତ୍ତମାନ ଭାରତବର୍ଷରେ କେହି ପ୍ରଶ୍ନ କରୁନାହାନ୍ତି ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ସାହିତ୍ୟଘରର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ। ‘ସମ୍ବାଦ ସାହିତ୍ୟଘର’ ଦଶପଲ୍ଲା ଶାଖାର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥିବା ଭାବେ ‌େଯାଗଦେଇ ସେ ଏହା କହିଛନ୍ତି।

ସାହିତ୍ୟ ଘର ଦଶପଲ୍ଲା ଶାଖା ସଭାପତି ଡ. ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତା ଗୋବିନ୍ଦ ଭବନଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ‌ହୋଇଯାଇଥିଲା। ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ, ମା’କୁ ସମ୍ମାନର କଥା କୁହାଯାଉଛି, ଏଣେ ମହିଳା ଯୋଦ୍ଧାଙ୍କ ଉପରେ ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ଅଶୋଭନୀୟ ଆଚରଣ ହୋଇଛି। ଏଭଳି ସ୍ଥିତିରେ ସଚିନ ତେନ୍ଦୁଲକରଙ୍କ ଭଳି ଖେଳାଳି ନିରବ ରହିଛନ୍ତି, ଡରୁଛନ୍ତି ନିଜ ମନକଥା କହିବାକୁ। ସାହିତ୍ୟିକ ନିରବ, ବୁଦ୍ଧିଜୀବୀ ନିରାପଦ ଦୂରତାରେ ରହିବାକୁ ଚାହୁଛନ୍ତି। ସତ କଥା କହିବାକୁ ଡର କାହିଁକି? ନାଗରିକ ସମାଜ ପ୍ରଶ୍ନ ପଚାରିବାର ଅଧିକାରକୁ ତ୍ୟାଗ ନ କରୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଖାଲି ଗପ, କବିତା ଲେଖିଲେ ହେବନାହିଁ ସାହିତ୍ୟିକମାନେ ନାଗରିକ ସମାଜର ନେତୃତ୍ବ ନେବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥି‌ଲେ।

ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା ଉଦ୍‌ଘାଟକ ଭାବେ ଯୋଗଦେଇ ସମାଜକୁ ଠିକ୍‌ ଦିଗରେ ନେବାରେ ସାହିତ୍ୟର ପ୍ରମୁଖ ଭୂମିକା ରହିଛି। ଏଦିଗରେ ‘ସମ୍ବାଦ ସାହିତ୍ୟଘର’ ଅନନ୍ୟ ଉଦ୍ୟମ କରୁଛି ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ, ମଣିଷର ବିଭିନ୍ନ ପ୍ରକାରର ଭୋକ ରହିଛି। ସାହିତ୍ୟ, ସଂସ୍କୃତିର ଭୋକ କିନ୍ତୁ ନିଆରା। ସଂସ୍କୃତିର ବଡ଼ ଦିଗ ହେଉଛି ସାହିତ୍ୟ, ସେଥିନେଇ ସାହିତ୍ୟଘରର ସୃଷ୍ଟି ହୋଇଛି। ଘର ହେଉଛି ସବୁଠୁ ଭଲ ଆଶ୍ରୟସ୍ଥଳ। ସାହିତ୍ୟ ସଙ୍କଟରେ ଥିବା ଆଶଙ୍କା କରି ସୌମ୍ୟବାବୁ ସାହିତ୍ୟଘରର ସୃଷ୍ଟି କରିଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟବକ୍ତା ନରସିଂହପୁର କଲେଜର ପ୍ରାକ୍ତନ ପ୍ରାଧ୍ୟାପକ କୁଳମଣି ବାରିକ ଗୋଟିଏ କଲମ, ଗୋଟିଏ ବହି ସମାଜକୁ ପରିବର୍ତ୍ତନ କରିପାରେ। ଆଜିର ସାହିତ୍ୟ ଏକ୍ଷେତ୍ରରେ କେତେ ସକ୍ଷମ ତା’ର ସମୀକ୍ଷା ସମୟ ଉପନୀତ ବୋଲି କହିଥିଲେ।

‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ ଉତ୍କଳୀୟ ଜନଜୀବନକୁ ଆଉ ଟିକିଏ ସଙ୍ଗଠିତ କରିବାରେ ସାହିତ୍ୟଘରର ଅନନ୍ୟ ଭୂମିକା ରହିଥିବା କହିଥିଲେ। ସେ କହିଥିଲେ, ବୃକ୍ଷରୋପଣଠାରୁ ରକ୍ତଦାନ, ହସ୍ତତନ୍ତ ପରିଧାନ ସମେତ ଓଡ଼ିଶାର ବିଭିନ୍ନ କଥାକୁ ‘ସମ୍ବାଦ ସାହିତ୍ୟଘର’ ଉଜ୍ଜୀବିତ କରୁଛି । ସମ୍ମାନିତ ଅତିଥି ତଥା ରାଜ୍ୟ ମହିଳା କମିସନର ପୂର୍ବତନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ‘ସମ୍ବାଦ ସାହିତ୍ୟଘର’ ଭଳି ଏକ ନିଆରା ଅନୁଷ୍ଠାନ ସୃଷ୍ଟି କରିଥିବାରୁ ପ୍ରତିଷ୍ଠାତା ଶ୍ରୀ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ।

ସଭା ପ୍ରାରମ୍ଭରେ ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ରାମକୃଷ୍ଣ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସାହିତ୍ୟଘର ଦଶପଲ୍ଲା ଶାଖା ସମ୍ପାଦକ ପ୍ରଫୁଲ୍ଲ କୁମାର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସହସମ୍ପାଦକ ନାରାୟଣ ସାହୁ, ‘ସମ୍ବାଦ’ ଦଶପଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ପଣ୍ଡା, ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ, ମହେଶ୍ବର ବେହେରା, ସନ୍ତୋଷ କୁମାର ସାହୁ, ସୁରେଶ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe