ମଦ ବେପାରରେ ସାମିଲ୍‌ ନ ହେବାରୁ ଝିଅକୁ ନିର୍ଯାତନା: ସାବତ ମା’ କବଳରୁ ଦଶମ ପଢ଼ୁଆ ନାବାଳିକା ଉଦ୍ଧାର

ଚୋରା ମଦ ବେପାରରେ ନାବାଳିକା ଝିଅ ସାମିଲ୍‌ ନ ହେବାରୁ ସାବତମା’ ଅକଥନୀୟ ନିର୍ଯାତନା ଦେଉଥିଲା। ଖବର ପାଇ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି)ସଦସ୍ୟମାନେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି।

ମା’ଶୁଦ୍ଧିକ୍ରିୟା ପାଇଁ ଛୁଆକୁ ବିକିଦେଲା ବାପା

ନୟାଗଡ଼: ଚୋରା ମଦ ବେପାରରେ ନାବାଳିକା ଝିଅ ସାମିଲ୍‌ ନ ହେବାରୁ ସାବତମା’ ଅକଥନୀୟ ନିର୍ଯାତନା ଦେଉଥିଲା। ଖବର ପାଇ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି)ସଦସ୍ୟମାନେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ଝିଅଟିର ମୁହଁ ଓ ଶରୀରର ଅନ୍ୟ ସ୍ଥାନରେ ଆଘାତ ଲାଗିଥିବାରୁ ଚିକିତ୍ସା ପରେ ତାଙ୍କୁ ନୟାଗଡ଼ ବାଳାଶ୍ରମରେ ରଖାଯାଇଛି। ଅନ୍ୟ ଦୁଇ ଭଉଣୀଙ୍କୁ ମଧ୍ୟ ସମାନ ଢଙ୍ଗରେ ନିର୍ଯାତନା ଦିଆଯାଉଛି ବୋଲି ପୀଡ଼ିତା ଅଭିଯୋଗ କରିବା ପରେ ଆଜି ସେମାନଙ୍କୁ ସିଡବ୍ଲୁସି ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ପୀଡ଼ିତା ନାବାଳିକାଙ୍କ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନ୍‌ଏସି ଅଞ୍ଚଳରେ। ଦୀର୍ଘ ଦିନ ପୂର୍ବରୁ ସେ ଓ ତାଙ୍କର ଦୁଇ ସାନଭଉଣୀ ନିଜ ମା’ଙ୍କୁ ହରାଇଥିଲେ। ତିନିଝିଅ ଛୋଟ ହୋଇଥିବାରୁ ସେମାନଙ୍କର ଲାଳନପାଳନ ପାଇଁ ପୀଡ଼ିତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ। ସବୁକିଛି ଠିକ୍‌ଠାକ୍ ଚାଲଥିବା ବେଳେ ହଠାତ ଦୁଇ ମାସ ତଳେ ହୃଦ୍‌ଘାତରେ ବାପାଙ୍କର ମୃତ୍ୟୁ ହୋଇଥିଲା। 

ଏହା ପରେ ଝିଅମାନଙ୍କ ପ୍ରତି ସାବତମା’ର ଭଲ ପାଇବା ବଦଳି ଯାଇଥିଲା। ସେ ଘରେ ଚୋରା ମଦ ବେପାର ଆରମ୍ଭ କରିଥିଲେ। ପୀଡ଼ିତାଙ୍କର ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଏହି ବ୍ୟବସାୟରେ ଲିପ୍ତ ରହିଛନ୍ତି। ଯେହେତୁ ବାପା ମରିଯିବା ପରେ ତିନି ଭଉଣୀଙ୍କର ଆଉ କେହି ସାହା ଭରସା ନଥିଲେ, ସେଥିପାଇଁ ସେମାନଙ୍କୁ ଚୋରା ମଦ ବେପାରରେ ସାମିଲ୍‌ କରିବା ପାଇଁ ସମସ୍ତେ ଚାପ ପକାଇଥ‌ିଲେ। କିନ୍ତୁ ଏହି ବେଆଇନ କାର୍ଯ୍ୟରେ ସାମିଲ୍‌ ହେବେ ନାହିଁ ବୋଲି ତିନିଭଉଣୀ କହିବାରୁ ସାବତମା’ ସମସ୍ତଙ୍କୁ ପ୍ରବଳ ମାଡ଼ ମାରୁଥିଲା। ଗତକାଲି ମାଡ଼ରେ ପୀଡ଼ିତାଙ୍କ ମୁହଁ ଫାଟି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଏହି ଖବର ପ୍ରଚାରିତ ହୋଇଯିବା ପରେ ପଡ଼ୋଶୀମାନେ ସିଡବ୍ଲୁସିକୁ ଯୋଗାଯୋଗ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟାନ ପ୍ରଧାନଙ୍କ ସୂଚନା ମୁତାବକ ପୀଡ଼ିତାଙ୍କ ସାବତମା’ ଓ ଅନ୍ୟ ସଦସ୍ୟମାନଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଗତକାଲି ଉଦ୍ଧାର ହୋଇଥିବା ପୀଡ଼ିତାଙ୍କ ଶରୀରରେ ଆଘାତ ଚିହ୍ନ ଥିଲା। ଆଜି ଉଦ୍ଧାର କରାଯାଇଥିବା ତାଙ୍କର ଅନ୍ୟ ଦୁଇ ଭଉଣୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଏହା ପରେ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe