ପଞ୍ଚକ ଦର୍ଶନର ପ୍ରଥମ ଦିନ: ହବିଷ୍ୟାଳି, ବରିଷ୍ଠ ନାଗରିକ କଲବଲ

ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼, ଷ୍ଟାଣ୍ଡ୍‌ ନାଁରେ ଭକ୍ତଙ୍କୁ ଶୋଷଣ

ପଞ୍ଚକ ଦର୍ଶନର ପ୍ରଥମ ଦିନ: ହବିଷ୍ୟାଳି, ବରିଷ୍ଠ ନାଗରିକ କଲବଲ

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚକ। ପଞ୍ଚକର ପ୍ରଥମ ଦିନରେ ଭକ୍ତମାନେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରିଛନ୍ତି। କିନ୍ତୁ ପ୍ରଥମ ଦିନରେ ଭକ୍ତଙ୍କ ଆଗମନ କମ୍‌ ଥିଲେ ବି ଶ୍ରୀମନ୍ଦିର ଭିତରେ (ନାଟମଣ୍ଡପ ଓ ସାତପାହାଚ) ପ୍ରବଳ ଭିଡ଼ ହୋଇଛି। ଭିଡ଼ ଭିତରେ କଲବଲ ହୋଇଛନ୍ତି ଭକ୍ତ। ଶ୍ରୀମନ୍ଦିର ବାହାରେ ଓ ଭିତରେ ପ୍ରାୟ ୫ ଘଣ୍ଟା ଅପେକ୍ଷା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଅପରପକ୍ଷେ ଦୈନନ୍ଦିନ ଭକ୍ତମାନେ ଦିନରେ ମହାପ୍ରଭୁଙ୍କ ଦର୍ଶନ ଭିତର କାଠରୁ କରନ୍ତି। ରାତିରେ ବାହାର କାଠରୁ ଦର୍ଶନ କରିଥାନ୍ତି। କିନ୍ତୁ ଆଜିଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ କରି ଦିଆଯାଇଛି। ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।

ଶ୍ରୀମନ୍ଦିର ପ୍ରଶାସନର ଦର୍ଶନ ବ୍ୟବସ୍ଥା ଆଜି ହବିଷ୍ୟାଳିଙ୍କୁ କଲବଲ କରିଛି। ବହୁ ବୟସ୍କା ହବିଷ୍ୟାଳି ଦର୍ଶନ ନ ପାଇ ଫେରିଛନ୍ତି। ଅନ୍ୟମାନେ ଭିଡ଼ ଭିତରେ ପଶି ଦର୍ଶନ କରିବାକୁ ବାଧ୍ୟ ହୋଇଛନ୍ତି। ଯେଉଁମାନଙ୍କ ପାଖରେ ହବିଷ୍ୟାଳି ପରିଚୟପତ୍ର ନଥିଲା, ସେମାନେ ବଡ଼ ହଇରାଣ ହୋଇଛନ୍ତି। ଯେଉଁ ହବିଷ୍ୟାଳିମାନେ ପରିଚୟପତ୍ର ପକାଇ ଆସିଥିଲେ, ସେମାନଙ୍କୁ ବାରିକେଡ୍‌ ବାହାରେ ପୁଲିସ ଫାଣ୍ଡି କଡ଼ ଦେଇ ଛାଡ଼ିଥିଲେ। ଯେଉଁମାନେ ପରିଚୟପତ୍ର ପକାଇ ନଥିଲେ, ସେମାନଙ୍କୁ ଛଡ଼ାଯାଇନଥିଲା। ଏହାକୁ ନେଇ ଆଜି ଦିନତମାମ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ସେହିପରି ବରିଷ୍ଠ ନାଗରିକମାନେ ବି ଭିଡ଼ରେ ପଶି ଦର୍ଶନ କରିଛନ୍ତି। କାରଣ କେଉଁ ଧାଡ଼ି ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିଲା, ସେ ସମ୍ପର୍କରେ ବରିଷ୍ଠ ନାଗରିକମାନେ ଜାଣିପାରିନାହାନ୍ତି। ସେପଟେ ଡାକବାଜି ଜରିଆରେ ଏ ସଂପର୍କରେ କୌଣସି ସୂଚନା ଦିଆଯାଇନି।

ଫଳରେ ବରିଷ୍ଠ ନାଗରିକମାନେ ଭିଡ଼ରେ ପଶି ଦର୍ଶନ ପାଇଁ କଲବଲ ହୋଇଛନ୍ତି। ସେହିପରି ଜୋତାଷ୍ଟାଣ୍ଡ୍‌, ମୋବାଇଲ୍‌ ଷ୍ଟାଣ୍ଡ୍‌, ଲଗେଜ୍‌ ଷ୍ଟାଣ୍ଡ୍‌ ନାଁରେ ଭକ୍ତଙ୍କୁ ଶୋଷିତ ହୋଇଛନ୍ତି। ପୂର୍ବରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଗଣା ଜୋତା, ମୋବାଇଲ୍‌, ଲଗେଜ୍‌ ଷ୍ଟାଣ୍ଡ୍‌ର ବ୍ୟବସ୍ଥା କରାଯାଇଥିଲା। ଚଳିତବର୍ଷ ସେଭଳି ବ୍ୟବସ୍ଥା କରାଯାଇନଥିବାରୁ ଭକ୍ତମାନେ ଶୋଷଣର ଶିକାର ହେଉଥିବା ଜାଣି ବି ଏଠାରେ ନିଜର ଆସବାବ ରଖିବାକୁ ବାଧ୍ୟ ହୋଇଛନ୍ତି। ଯେଉଁଥିପାଇଁ ଏହି ଷ୍ଟାଣ୍ଡମାନେ ମନଇଛା ଦର କଷିଛନ୍ତି। ମୋବାଇଲ୍‌ ପିଛା ୨୫ ଟଙ୍କା ଲେଖାଏଁ ଆଦାୟ କରିଛନ୍ତି। ସେହିଭଳି ଅନ୍ୟ ଲଗେଜ୍‌ ପାଇଁ ବି ଲୁଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe