ଛତିଶଗଡ଼ ଦାନ୍ତେଓ୍ଵାଡାରେ ନକ୍ସଲ୍ ହିଂସା : ଦୂରଦର୍ଶନରେ କାର୍ଯ୍ୟରତ ଓଡ଼ିଆ କ୍ୟାମେରାମ୍ୟାନ ନିହତ, ଦୁଇ ଯବାନ ସହିଦ୍

Advertisment
ଦୂରଦର୍ଶନ ଟିମ୍‌ ଉପରେ ନକ୍ସଲ ହମ୍‌ଲା, ଓଡ଼ିଆ କ୍ୟାମେରାମ୍ୟାନ, ୨ଯବାନ ମୃତ

ଭୁବନେଶ୍ୱର: ଆଜି ସକାଳେ ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲାକୁ ନିର୍ବାଚନୀ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ବେଳେ ଦୂରଦର୍ଶନର ଜଣେ କ୍ୟାମେରାମାନ ମାଓବାଦୀମାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ମାଓବାଦୀମାନଙ୍କ ସହିତ ଗୁଳି ବିନିମୟରେ ୨ ଜଣ ଯବାନ ମଧ୍ୟ ସହିଦ ହୋଇଥିିବା ଜଣାପଡ଼ିଛି। ମୃତ ଦୂରଦର୍ଶନର କାମେରାମ୍ୟାନଙ୍କ ନାମ ଅଚ୍ୟୁତାନନ୍ଦ ସାହୁ ଓ ତାଙ୍କ ଘର ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ  ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବ ଦିଲ୍ଲୀରୁ ଦୂରଦର୍ଶନର ଏକ ଟିମ୍‌ ଛତିଶଗଡ଼ ଆସିଥିଲା। ସେମାନେ ସୁରକ୍ଷାକର୍ମୀମାନଙ୍କ ସହିତ ଛତିଶଗଡ଼ର ଦାନ୍ତେଓ୍ଵାଡା ଜିଲ୍ଲା ଅରଣପୁରର ନୀଳବାୟା ଜଙ୍ଗଲ ଦେଇ ଯାଉଥିବା ବେଳେ ମାଓବାଦୀମାନଙ୍କ ଆମ୍ବୁସର ଶିକାର ହୋଇଥିଲେ। ମାଓବାଦୀମାନେ ଉଭୟ ପଟରୁ ସୁରକ୍ଷା କର୍ମୀଙ୍କୁ ଗୁଳି କରିବା ସହିତ ତାଙ୍କ ସହିତ ଥିବା ଦୂରଦର୍ଶନ ଟିମକୁ ମଧ୍ୟ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ସହିତ ୨ ଜଣ ଯବାନଙ୍କର ମୃତ୍ୟୁ ଘଟିଛି।

ଖବର ପାଇ ଦାନ୍ତେଓ୍ଵାଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅନ୍ୟ ଆହତମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଏପରିକି ମାଓବାଦୀଙ୍କ ଆକ୍ରମଣରେ କେତେକ ସ୍ଥାନୀୟ ଲୋକ ମଧ୍ୟ ଆହତ ହୋଇଥିବା ଦାନ୍ତେଓ୍ଵାଡା ଏଏସପି ଗେରେଖନାଥ ବଘେଲ କହିଛନ୍ତି।

ଗୁରୁତର ଅବସ୍ଥାରେ କ୍ୟାମେରାମ୍ୟାନ ଶ୍ରୀ ସାହୁଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଦୂରଦର୍ଶନ ଟିମ୍‌କୁ ସୁରକ୍ଷା ଦେବାକୁ ଯାଇ ଦୁଇଜଣ ଯବାନ ମଧ୍ୟ ନକ୍ସଲଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ ଯେ, ଛତିଶଗଡ଼ରେ ନିର୍ବାଚନ ପ୍ରକିୟା ଚାଲିଥିବା ବେଳେ ନିର୍ବାଚନ ବର୍ଜନ ପାଇଁ ମାଓବାଦୀମାନେ ଧମକ ଦେବା ସହିତ ସାମ୍ବାଦିକ, ପୁଲିସ, ରାଜନେତାଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି। ୨ ଦିନ ତଳେ ସିଅାରପିଏଫର  ଏକ ବୁଲେଟ୍‌ ପ୍ରୁଫ୍‌ ଗାଡ଼ିକୁ ନକ୍ସଲମାନେ ବିଜାପୁର ଜିଲ୍ଲାରେ ଉଡାଇ ଦେଇଥିଲେ। ଏଥିରେ ଜଣେ ଓଡ଼ିଅାଙ୍କ ସମେତ ୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe