କେନ୍ଦୁଝର ଡିଡି କଲେଜରେ ଅଧ୍ୟାପକ ସଙ୍କଟ, ଅଧ୍ୟକ୍ଷ ପଦ ଖାଲି

Advertisment
କେନ୍ଦୁଝର ଡିଡି କଲେଜରେ ଅଧ୍ୟାପକ ସଙ୍କଟ, ଅଧ୍ୟକ୍ଷ ପଦ ଖାଲି

Wikimedia Commons

କେନ୍ଦୁଝର:  ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତାପାଇଁ ବାଧକ ସାଜୁଛି ଶିକ୍ଷା ଭିତ୍ତିଭୂମି। ବର୍ଷବର୍ଷ ଧରି ଅଧ୍ୟକ୍ଷ ପଦବି ଫାଙ୍କା ପଡ଼ିଥିବା ବେଳେ ୩୪ଟି ଅଧ୍ୟାପକ ପଦବି ଖାଲି ପଡ଼ିଛି। ଏହାଦ୍ବାରା ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ଯୁକ୍ତ ୩ ଓ ସ୍ନାତକୋତ୍ତର ଶ୍ରେଣୀ ପାଇଁ ଅଧ୍ୟକ୍ଷ ପଦ ସହ  ୮୦ଟି ଅଧ୍ୟାପକ ପଦବିକୁ ମଞ୍ଜୁରି ରହିଛି। ଏବେ ୪୬ ଜଣ ଅଧ୍ୟାପକ ଥିବାବେଳେ ୩୪ଟି ପଦବି ଫାଙ୍କା ପଡ଼ିଛି। ଦୀର୍ଘଦିନ ଧରି ଅଧ୍ୟକ୍ଷ ପଦ ଫାଙ୍କା ରହିଥିବାବେଳେ ନୃତତ୍ତ୍ବ ବିଭାଗରେ ମୋଟ ୩ଟି ଅନୁମୋଦିତ ପଦବି ମଧ୍ୟରୁ ଗୋଟିଏ, ପ୍ରାଣୀ ବିଜ୍ଞାନ ବିଷୟରେ ୫ଟି ଅଧ୍ୟାପକ ପଦବି ମଧ୍ୟରୁ ୩ଟି ଖାଲି ପଡ଼ିଛି। ରସାୟନ ବିଜ୍ଞାନର ୭ଟିରୁ ୨ଟି, କମ୍ପ୍ୟୁଟରରେ ୨ଟିରୁ ଗୋଟିଏ ପଦ, ବାଣିଜ୍ୟର ୧୦ଟିରୁ ୫ଟି, ଅର୍ଥନୀତି ୫ଟିରୁ ଗୋଟିଏ, ଇଂରାଜୀ ୮ଟିରୁ ୪ଟି ଅଧ୍ୟାପକ ପଦବି ଖାଲି ପଡ଼ିଛି।   ଗଣିତରେ ୪ଟିରୁ ଦୁଇଟି, ଓଡିଆ ଭାଷାରେ ୬ଟିରୁ ଦୁଇଟି, ପଦାର୍ଥ ବିଜ୍ଞାନରେ ୬ଟିରୁ ଗୋଟିଏ, ସଂସ୍କୃତରେ ୩ଟିରୁ ଗୋଟିଏ, ଜୀବବିଜ୍ଞାନରେ ୪ଟିରୁ ଗୋଟିଏ ପଦବି ଫାଙ୍କା ପଡ଼ିଛି। ଦର୍ଶନଶାସ୍ତ୍ରରେ ୩ଟି ପଦବିରୁ ସମସ୍ତ ପଦବି ଫାଙ୍କା ପଡ଼ିଥିବା ବେଳେ ଶିକ୍ଷା ବିଭାଗରେ କୌଣସି ଅଧ୍ୟାପକ ନାହାନ୍ତି।

ଉଚ୍ଚଶିକ୍ଷା ବିଭାଗ ଏଥିପ୍ରତି ଆଖିବୁଜି ଦେଇଛି। ୮୨ଟି ଅନୁମୋଦିତ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ୫୮ଟି ପଦବି ଖାଲି ପଡ଼ିଛି। ଗୋଟିଏ ମୁଖ୍ୟ କିରାଣି ପଦ ଫାଙ୍କା ପଡ଼ିଛି। ୪ଜଣ ବରିଷ୍ଠ କିରାଣିଙ୍କ ମଧ୍ୟରୁ ତିନୋଟି, ୧୨ଟି ଡେମୋଷ୍ଟ୍ରେଟର ପଦବି ମଧ୍ୟରୁ ୯ଟି, ୧୯ଟି ଲାବରୋଟାରୀ ଆଟେଣ୍ଡାଣ୍ଟ ପଦବି ମଧ୍ୟରୁ ୧୨ଟି ପଦବି ଫାଙ୍କା ରହିଛି। ୪ଟି ଷ୍ଟୋରକିପର ପଦବି ଅନୁମୋଦିତ ହୋଇଥିଲେ ମଧ୍ୟ ସମସ୍ତ ପଦବି ଫାଙ୍କା ରହିଛି। ଶାରିରୀକ ପ୍ରଶିକ୍ଷକ ପଦବିରେ କେହି ନାହାନ୍ତି।  ୬୫ ବର୍ଷରୁ ଊର୍ଦ୍ଧ୍ୱ ଏହି ମଣିଷ ତିଆରି କାରଖାନାରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡ଼ିଥିବାବେଳେ ଏବେ କେବଳ ପାଠପଢା ପାଇଁ ଅତିଥି ଅଧ୍ୟାପକ  ସାହା ବୋଲି ଜଣାପଡିଛି। ରାତ୍ର ଜଗୁଆଳୀ ୪ଟି ପଦ ମଧ୍ୟରୁ ୩ଟି ଖାଲି ରହିବା ଏହାର ବ୍ୟବସ୍ଥ୍‌ା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।  ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ତୁରନ୍ତ ଏହି ମହାବିଦ୍ୟାଳୟ ପାଇଁ  ସ୍ଥାୟୀ ଅଧ୍ୟାପକ ନିଯୁକ୍ତି କରିବା ସହ ଏହାକୁ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ଏହି କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁୁ ବୁଦ୍ଧିଜୀବି,ଶିକ୍ଷାବିତ,ପୁରାତନ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମହଲରେ ଦାବୀ ହେଉଛି ।

କେନ୍ଦୁଝର ଜିଲ୍ଲାର ଗର୍ବ ଓ ଗୌରବ କୁହାଯାଉଥିବା ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡି କେବଳ ଯେ ଏକକ ବିଦ୍ୟାଳୟ ପାଇଁ ଅନ୍ତରାୟ ସୃଷ୍ଟି କରୁଛି ତାହା ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି । ନିୟମିତ ଅଧ୍ୟାପକଙ୍କ ଅଭାବ ଯୋଗୁଁ ଅତିଥି ଅଧ୍ୟାପକମାନଙ୍କ ଦ୍ୱାରା ଶିକ୍ଷାଦାନ ଚାଲିଛି। ବର୍ଷ ବର୍ଷ ଧରି ଏହି ମହାବିଦ୍ୟାଳୟରେ ଅଧ୍ୟାପକ ସଂକଟ ଲାଗି ରହୁଥିଲେ ମଧ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଅଧ୍ୟାପକ ସାଙ୍ଗକୁ ଅନ୍ୟାନ୍ୟ ପଦବିରେ ଥିବା କର୍ମଚାରୀଙ୍କ ଅଭାବ ଯୋଗୁଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଘୋର ବାଧାପ୍ରାପ୍ତ ହେଉଛି। ଅଧ୍ୟାପକ ନିଯୁକ୍ତି କରାଯାଉ ନଥିବାରୁ ଶିକ୍ଷାଦାନ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି। କେତେ ସଂଖ୍ୟକ ଅତିଥି ଅଧ୍ୟାପକ ଆବଶ୍ୟକ ତା'ର ସବିଶେଷ ତଥ୍ୟ ଦେବାକୁ ଚିଠି କରାଯାଇଛି ବୋଲି ଡିଗ୍ରି କଲେଜ ଅଧ୍ୟକ୍ଷ ନରେନ୍ଦ୍ର ସାହୁ କହିଛନ୍ତି।  ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ମିଳିଲେ ଅତିଥି ଅଧ୍ୟାପକ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe