ଆର୍ଥିକ ରୂପେ କେବେ ବିକଶିତ ହେବ ଓଡ଼ିଶା? ୨୫ କିମି ବାଇକ୍‌ରେ ବୁହା ହେଲା ମୃତଦେହ

Advertisment
ଆର୍ଥିକ ରୂପେ କେବେ ବିକଶିତ ହେବ ଓଡ଼ିଶା? ୨୫ କିମି ବାଇକ୍‌ରେ ବୁହା ହେଲା ମୃତଦେହ

ବୀରମହାରାଜପୁର: ରାଜ୍ୟବାସୀଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଆସିଛି। ଓଡ଼ିଶାର ବିକାଶ ହେଉଛି। ୨୩ ବର୍ଷ ଧରି ଶାସନ କରୁଥିବା ରାଜ୍ୟ ସରକାର ଏଭଳି ଡେଙ୍ଗୁରା ବଜାଉଛନ୍ତି। ମାତ୍ର ତୃଣମୂଳସ୍ତରରେ ଲୋକେ ଅର୍ଥ ଅଭାବରୁ କିଭଳି ଦୟନୀୟ ଭାବେ ଜୀବନ ବିତାଉଛନ୍ତି, ତାହାର ନିଚ୍ଛକ ଚିତ୍ର ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଅମରପାଲି ଗ୍ରାମରେ ରବିବାର ସକାଳୁ ଦେଖିବାକୁ ମିଳିଛି। ମୃତକଙ୍କ ସଂପର୍କୀୟ ଆର୍ଥିକ ରୂପେ ଅନଗ୍ରସର ହୋଇଥିବାରୁ ମହିଳାଙ୍କ ମୃତଦେହକୁ ଜଙ୍ଗଲ ଭିତରେ ଖାଳ-ନାଳ ଅତିକ୍ରମ କରି ବାଇକ୍‌ରେ ୨୫ କିଲୋମିଟର ପର୍ଯ୍ୟନ୍ତ ‌ବୋହିଛନ୍ତି।

ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ କେଶାପାଲି ଗ୍ରାମର ଗୁଲାପି ବେହେରା (୪୫) ଦୀର୍ଘ ୪ ମାସ ହେବ ସୁବଳୟା ଥାନା ଅଧୀନ ଅମରପାଲି ଗ୍ରାମରେ ରହି ଆସୁଥିଲେ। ସେ ଅସୁସ୍ଥ ଥିବାରୁ ତାଙ୍କ ଭଉଣୀ ଜ୍ବାଇଁ ମହିମତ ଭେଷର ଘରେ ରହି ଚିକିତ୍ସିତ ହେଉଥିଲେ। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଡାକ୍ତରଖାନାକୁ ମଧ୍ୟ ଯାଇପାରି ନ ଥିଲେ। ତେବେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଏନେଇ ତାଙ୍କ କେଶାପାଲି ଗ୍ରାମରେ ରହୁଥିବା ଲୋକଙ୍କୁ ଖବର ଦିଆଯାଇ ଥିଲା।

ମୃତଦେହକୁ ଅମରପାଲିରୁ କେଶାପାଲି ନିଆଯିବା ସମୟରେ ଏହି ୨ଟି ଗାଁର ଲୋକ ଦେଖିଥିଲେ। ଏଥି ସହିତ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଧୀନ କଦଳୀପାଲି, ରେଙ୍ଗାଲି, ବଡ଼ମାଳ, ଯୁଯୁମୁରା ଥାନା ଅଧୀନ ଭାଲିଆକଟା, ବଡ଼ପାଟି,  ସାଲାଝରଣ ଓ ଅଇଁଳାଝରଣ ଗାଁର ଶତାଧିକ ଲୋକ ପ୍ରତକ୍ଷ୍ୟଦର୍ଶୀ ଥିଲେ। ଏହି ଦୃଶ୍ୟ ଯେଉଁମାନେ ଦେଖିଥିଲେ ସେମାନେ କ୍ଷୋଭ ପ୍ରକାଶ କରୁଥିଲେ। ଆର୍ଥିକ ରୂପେ ଓଡ଼ିଶା କେବେ ବିକଶିତ ହେବ ବୋଲି ମଧ୍ୟ କହୁଥିଲେ। 

କେଶାପାଲିରୁ ଗୁଲାପିଙ୍କ ପରିବାର ଲୋକେ ଆସିଥିଲେ ମଧ୍ୟ ମୃତଦେହ ନେବାପାଇଁ ଚାରିଚକିଆ ଯାନ ଯୋଗାଡ଼ କରି ପରି ନ ଥିଲେ। ଏପରି କି ମହାପରାୟଣ ଗାଡ଼ିକୁ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା। ପରିବାରର ସମସ୍ତେ କୁଲି ମଜୁରୀ କରି ଚଳୁଥିବାରୁ ଚାରିଚକିଆ ଯାନ ଭଡ଼ାରେ ନେବା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା। ଫଳରେ ମୃତଦେହ ନେବା ପାଇଁ ବାଇକ୍‌ ହିଁ ମାଧ୍ୟମ କରାଯାଇଥିଲା। ଜଣେ ବାଇକ୍‌ ଚଳାଇଲେ। ବାଇକ୍‌ ଚାଳକଙ୍କ ପଛକୁ ଅର୍ଥାତ ମଝିରେ ମୃତଦେହକୁ ବସାଯାଇଥିଲା। ମୃତଦେହକୁ ଧରି ବାଇକ୍‌ ପଛରେ ଆଉ ଜଣେ ଲୋକ ବସିଥିଲେ। ଏଭଳି ଏକ ଦୁଃଖଦ ପରିସ୍ଥିତିରେ ମୃତଦେହକୁ ବାଇକ୍‌ରେ କେଶାପାଲିକୁ ନିଆଯାଇଥିଲା।

ତେବେ ବାଇକ୍‌ରେ ମୃତଦେହକୁ ଉଭୟ ସୁବର୍ଣ୍ଣପୁରର ଅମରପାଲି ଠାରୁ ସମ୍ବଲପୁର ଜିଲ୍ଲାର କେଶାପାଲି ପର୍ଯ୍ୟନ୍ତ ନେବା ସମୟରେ ୮ଟି ଗ୍ରାମର ଶହଶହ ଲୋକ ଦେଖିଥିଲେ। ଯେଉଁ ବୁଦ୍ଧିଜୀବୀମାନେ ଏହି ଶୋକାକୁଳ ପରିସ୍ଥିତି ଦେଖିଥିଲେ ବାଃ ବାଃରେ ଆମ ବ୍ୟବସ୍ଥା ବୋଲି କହୁଥିଲେ। ଆଉ କେତ‌େ ବର୍ଷ ପରେ ଗରିବ ଲୋକେ ସଶକ୍ତ ହେବେ ବୋଲି ଚର୍ଚ୍ଚା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe