ThePleasantDream
ଖଜୁରୀପଡ଼ା: ପକ୍କା ରାସ୍ତା ନଥିବାରୁ କାନ୍ଧରେ ବୁହା ହେଲା ଶବ। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ବିଲାବାଡ଼ି ପଞ୍ଚାୟତରୁ ଏଭଳି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ସୂଚନାନୁସାରେ, ଏହି ପଞ୍ଚାୟତ ଅନ୍ତର୍ଗତ ସମାପାଜୁ ଗ୍ରାମର ରୋହିତ କହଁର ଗତ ଶୁକ୍ରବାର ସଦର ଥାନା ଅଧୀନ ତୁଡ଼ିପାଜୁ ଘାଟିରେ ଏକ ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତେବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଗତକାଲି ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ତେବେ ଶବକୁ ଗ୍ରାମକୁ ଆଣିବା ଲାଗି ସଂପର୍କୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମହାପ୍ରୟାଣ ଗାଡ଼ି ଖରାପ ହୋଇଥିବା ଜଣାପଡ଼ିବା ପରେ ଏକ ବେସରକାରୀ ଗାଡ଼ି ଭଡ଼ା କରାଯାଇ ଶବକୁ ଆଣିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା।
ଫୁଲବାଣୀରୁ ସମାପାଜୁ ଗ୍ରାମ ୫୦ କିମି ଦୂର ହୋଇଥିବା ବେଳେ ବିଲାବାଡ଼ି ପଞ୍ଚାୟତ ମୁଖ୍ୟାଳୟରୁ ଏହି ଗାଁର ଦୂରତା ହେଉଛି ୮ କିଲୋମିଟର। ତେବେ ଏହି ୮ କିଲୋମିଟର ଦୂରତାରେ ପକ୍କାରାସ୍ତା ନାହିଁ। ଏହାମଧ୍ୟରେ ଥିବା କରଡ଼ାବଣି ଓ ଟିକିରାସାହି ନାଳ ଉପରେ ପୋଲ ନାହିଁ। ଫଳରେ ସଂପର୍କୀୟମାନେ ବାଧ୍ୟ ହୋଇ ଶବକୁ ବୌଦ୍ଧ ଜିଲ୍ଲା ଚାରିଛକ ଦେଇ ପ୍ରାୟ ୯୦ କିମି ରାସ୍ତା ଅତିକ୍ରମ କରି ଗାଁକୁ ଆଣିଥିଲେ। କିନ୍ତୁ ସମାପାଜୁ ଗାଁ ଠାରୁ ଅଧକିଲୋମିଟର ଦୂର ବଡ଼ନାଳ ପାଖରେ ଗାଡ଼ି ରହିଯାଇଥିଲା। ସେଠାରୁ ସଂପର୍କୀୟମାନେ ଶବକୁ ଏକ ଖଟିଆରେ ବୋହି ଘର ପର୍ଯ୍ୟନ୍ତ ଆଣିଥିଲେ।
ସୂଚନା ଥାଉକି, ୨୦୧୮ ମସିହାରେ ତତ୍କାଳୀନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ବିଲାବାଡ଼ି ପଞ୍ଚାୟତକୁ ପୋଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପଞ୍ଚାୟତର ଭାଗ୍ୟ ବଦଳିପାରିନି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ସବୁ ଦୃଷ୍ଟିରୁ ଆଜି ପର୍ଯ୍ୟନ୍ତ ଏହି ଇଲାକା ବିଚ୍ଛିନ୍ନାଞ୍ଚଳ ହୋଇରହିଛି। ବହୁଦିନ ହେଲା ସମାପାଜୁ ଗ୍ରାମବାସୀ ରାସ୍ତା ସମସ୍ୟାର ସମ୍ମୁଖୀନ ହେଉଥିବା ବିଲାବାଡ଼ି ସରପଞ୍ଚ ରବୀନ୍ଦ୍ର ଭୁକ୍ତା କହିଛନ୍ତି। ଏନେଇ ବ୍ଲକ୍ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ହେଁ, କୌଣସି ସୁଫଳ ମିଳୁ ନଥିବା ସେ କହିଛନ୍ତି।
Follow Us