ମିଳିଲାନି ଗାଡ଼ି, ବାଇକରେ ଗଲା ଶବ

Advertisment
ମିଳିଲାନି ଗାଡ଼ି, ବାଇକରେ ଗଲା ଶବ

କଣ୍ଟାପଡ଼ା : ଗ୍ରାମାଞ୍ଚଳ ଲୋକମାନଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ସରକାର ଅନେକ ଯୋଜନା କରିଥିଲେ ମଧ୍ୟ ତାହା ପ୍ରହସନରେ ପରିଣତ ହୋଇଛି। ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କଟକ ଜିଲ୍ଲା ଅନ୍ତର୍ଗତ କଣ୍ଟାପଡ଼ା ବ୍ଲକର ଅଡ଼ଶପୁର ସ୍ୱାସ୍ଥ୍ୟକେନ୍ଦ୍ରରେ। ଚିକିତ୍ସାଧୀନ ଅବସ୍ଥାରେ ଅଡ଼ଶପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ମୃତ୍ୟୁ ପରେ ରାତିତମାମ ପଡିରହିଲା ଶବ। ମାତ୍ର ଗାଡି ମିଳିଲାନି। ଆମ୍ବୁଲାନ୍ସ ନେବାକୁ ମନାକଲା। ଫଳରେ ବାଧ୍ୟ ହୋଇ ଆଜି ସକାଳେ ମୃତକଙ୍କ ସଂପର୍କୀୟ ନିଜ ବାଇକ୍‌ରେ ମୃତଦେହକୁ ଗାଁକୁ ନେବାକୁ ବାଧ୍ୟ ହୋଇଥିଲେ।

ସୂଚନା ଅନୁସାରେ, ଦାନ ମାଝି ନିଜ ସ୍ତ୍ରୀର ମୃତଦେହକୁ କାନ୍ଧେଇ କାନ୍ଧେଇ ନେବା ଘଟଣା ପରେ ଆରମ୍ଭ ହେଲା ମହାପ୍ରୟାଣ ଯୋଜନା। ମୃତଦେହକୁ ଘର ପର୍ଯ୍ୟନ୍ତ ପହଞ୍ଚାଇବା ଏହି ଯୋଜନାର ଲକ୍ଷ୍ୟ। କିନ୍ତୁ କଣ୍ଟାପଡା ବ୍ଲକ୍‌ରେ ଆଜି ଶବକୁ ବାଇକ୍‌ରେ ଘରକୁ ନେବା ଘଟଣା ପୁଣି ଚର୍ଚ୍ଚାର ବିଷୟ ହୋଇଛି। ଝାରପଡ଼ା ପଞ୍ଚାୟତ ଅନ୍ତର୍ଗତ ଚଉପଡ଼ା ଗ୍ରାମର ଦଳିତ କୈଳାସ କାଣ୍ଡିଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗତରାତିରେ ଅଡ଼ଶପୁର ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କୈଳାସଙ୍କ ମୃତ୍ୟୁ ହେଲା। ମାତ୍ର ମୃତଦେହକୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ରାଜି ହେଲାନାହିଁ। ଫଳରେ ରାତି ତମାମ ଶବ ଡାକ୍ତରଖାନାରେ ପଡ଼ି ରହିଲା। ଆଜି ସକାଳେ ତାଙ୍କ ସମ୍ପର୍କୀୟ ନିଜ ବାଇକରେ କୈଳାସଙ୍କ ମୃତଦେହକୁ ଚଉପଡ଼ାକୁ ନେଇଥିଲେ। ଏ ସଂକ୍ରାନ୍ତରେ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡା. ହିମାଂଶୁଶେଖର ସାହୁଙ୍କୁ ପଚାରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ପରାମର୍ଶ ପରେ ସମ୍ପୃକ୍ତ ଦଳିତ ପରିବାରକୁ ଯାହାକିଛି ସରକାରୀ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe