ହଜିଗଲା ମାନବିକତା; କୋଭିଡ୍ ଭୟରେ ଶବ ଛୁଇଁଲେନି ସମ୍ପର୍କୀୟ, ଗ୍ରାମବାସୀ, ବାପାଙ୍କୁ କାନ୍ଧ ଦେଲେ ୩ ଝିଅ 

Advertisment
ହଜିଗଲା ମାନବିକତା; କୋଭିଡ୍ ଭୟରେ ଶବ ଛୁଇଁଲେନି ସମ୍ପର୍କୀୟ, ଗ୍ରାମବାସୀ, ବାପାଙ୍କୁ କାନ୍ଧ ଦେଲେ ୩ ଝିଅ 

ଖଲ୍ଲିକୋଟ: କୋଭିଡ୍ ଭୟରେ ଶବ ପାଖତଡ଼ ମାଡ଼ିଲେନି ସମ୍ପର୍କୀୟ ଓ ଗ୍ରାମବାସୀ। ଦୀର୍ଘ ୧୦ ଘଣ୍ଟା କାଳ ଶବ ଘରେ ପଡ଼ି ରହିବା ପରେ ପ୍ରଶାସନର ହସ୍ତକ୍ଷେପରେ ତିନି ଝିଅ ମିଶି ବାପାଙ୍କ ଶବକୁ କାନ୍ଧ ଦେଲେ। ଆଉ ବିଳମ୍ବିତ ରାତିରେ ଶ୍ମଶାନରେ ଶବ ସତ୍କାର ହେଲା। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଲଙ୍ଗଳେଶ୍ବର ଗ୍ରାମରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଲଙ୍ଗଳେଶ୍ବର ଗ୍ରାମ ଓଡ଼ିଆରପି କଲୋନିରେ ରହୁଥିବା ଟୁକୁନା ସୁର (୫୪) ‌କ‌ରୋନା‌ରେ ସଂକ୍ରମିତ ହୋଇ ଗତ ଦେଢ଼ ମାସ ହେଲା ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ‌ହେଉଥିଲେ। ସୁସ୍ଥ ହେବା ପରେ ଚାରିଦିନ ତଳେ ଘରକୁ ଫେରିଥିଲେ। ତେବେ ଗତକାଲି ଅପରାହ୍‌ଣ ୨ଟାରେ ହଠାତ୍ ଟୁକୁନା ଅସୁସ୍ଥ ହେବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇଥିଲା। ଆଉ ଘ‌ରେ ହିଁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତେବେ କରୋନା ଭୟରେ କୌଣସି ସମ୍ପର୍କୀୟ କି ଗ୍ରାମବାସୀ ଶବକୁ କାନ୍ଧ ଦେବାକୁ ନଆସିବାରୁ ସତ୍କାରରେ ବିଳମ୍ବ ହୋଇଥିଲା। ଏପରିକି ପଡ଼ୋଶୀରେ ରହୁଥିବା ସଂପର୍କୀୟ ଭାଇ ମଧ୍ୟ ଆସି ନଥିଲେ। ଫଳରେ ଦୀର୍ଘ ୧୦ ଘଣ୍ଟା ଧରି ଶବ ପଡ଼ି ରହିଥିଲା।

ଜିଲ୍ଲା ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ପ୍ରମୁଖ ରାତି ୧୨ ଟାରେ ତାଙ୍କ ଘରେ ପହଞ୍ଚିଥିଲେ। ତିନି ଝିଅ ଓ ଗୋଟିଏ ପୁଅ ଏବଂ ପତ୍ନୀ ମିଶି 'ରାମ ନାମ ସତ୍ୟ ହେ' ଉଚ୍ଚାରଣ କରି ଟୁକୁନାଙ୍କ ଶବକୁ ବାହାରକୁ ବୋହି ଆଣିବା ଦୃଶ୍ୟ ଅତି ହୃଦୟବିଦାରକ ଥି‌ଲା। ସେଠାରୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ଅଣାଯାଇଥିବା ଗାଡ଼ିରେ ଶବକୁ ନିଆଯାଇ ପେଣ୍ଡୁରାପଲ୍ଲୀ ଶ୍ମଶାନରେ ସତ୍କାର କରାଯାଇଥିଲା।

ତହସିଲ ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ, ଭେଜିପୁଟ ଆରଆଇ ରମେଶ ଚନ୍ଦ୍ର ଜେନା, ଖଲ୍ଲିକୋଟ ଆରଆଇ ମୀନକେତନ ଶବର, ଖୋଜାପଲ୍ଲୀ ଆର ଆଇ ବି.ଉଦୟ ଯାଦବ, ସ୍ବେଚ୍ଛାସେବୀ ରବୀନ୍ଦ୍ର ନାଥ ସାହୁ, ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ସାହୁ, ଜିପି ମନିଟର କାର୍ତ୍ତିକ ସାହୁ, ଗଣମାଧ୍ୟମ ପ୍ରତିନିଧି ପ୍ରଦୀପ୍ତ କୁମାର ସାହୁ ଓ ଅମର ସାହୁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଏନ୍‌ଏସି ସଫେଇ କର୍ମଚାରୀ ମାନେ ପିପିଇ କିଟ୍ ପିନ୍ଧି ଶବକୁ ଦାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe