ନୂଆପଡ଼ା: କିଛି ଦିନ ପୂର୍ବରୁ ନୂଆପଡ଼ା ସହରରେ ଆତଙ୍କ ସୃଷ୍ଟି କରିଥିବା ଜଙ୍ଗଲୀ ଭାଲୁର ମୃତଦେହ ଆଜି ଉଦ୍ଧାର କରାଯାଇଛି। ପିଜୁଳି ଖାଇବାକୁ ଯାଇ ଭାଲୁ କୂଅରେ ପଡ଼ି ପ୍ରାଣ ହରାଇଥିବା କୁହାଯାଉଛି।
ସୂଚନା ଅନୁସାରେ ନୂଆପଡ଼ା ବନଖଣ୍ଡ ଅଧୀନ ମହାଭଟାସ୍ଥିତ ମୋହନ ରଣାଙ୍କ ଜମିରେ ଏକ ପିଜୁଳି ଗଛ ରହିଛି। ଏବେ ଗଛରେ ପିଜୁଳି ପାକଳ ହୋଇଛି। ଦିନେ/ଦୁଇ ଦିନ ପୂର୍ବରୁ ଭାଲୁଟି ପିଜୁଳି ଖାଇବାକୁ ଯାଇ କୂଅରେ ପଡ଼ି ଯାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଭାଲୁକୁ ଆଜି କୂଅ ଭିତରୁ ଉଦ୍ଧାର କରାଯାଇଛି। ଭାଲୁକୁ ଉଦ୍ଧାର ସମୟରେ ଏସିଏଫ୍, ନୂଆପଡ଼ା ରେଂଜର ଆଲୋକ ମାଝୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ବନ ବିଭାଗ ମୃତ ଭାଲୁକୁ କୂଅରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିଛି। ଏହା ପରେ ମୃତଦେହକୁ ମାଟିରେ ପୋତି ଦେଇଛନ୍ତି।
ବନ ବିଭାଗର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ ବିଭାଗ ଯଦି ଭାଲୁକୁ ଜଙ୍ଗଲ ଭିତରେ ଛାଡ଼ିଥାନ୍ତା, ତା’ହେଲ ଏହାର ମୃତ୍ୟୁ ହୋଇ ନଥାନ୍ତା ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଏହି ଭାଲୁଟି ବିଗତ ୫ ଦିନ ହେଲା ନୂଆପଡ଼ା ସହର ଭିତରେ ଆତଙ୍କ ସୃଷ୍ଟି କରିଥିଲା। ଗତ ୧୮ ତାରିଖ ସକାଳୁ ଜଣେ ମହିଳା ଫୁଲ ତୋଳୁଥିବା ବେଳେ ତାଙ୍କୁ ଅତିର୍କତ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣର ଶିକାର ହୋଇ ମହିଳା ଜଣକ ଲହୁଲୁହାଣ ହୋଇଥିଲେ। ଏହି ଘଟଣାର ଅଳ୍ପ ସମୟ ପରେ ଅନ୍ୟ ୨ ଜଣ ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହୋଇଥିବା ତିନି ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Follow Us