Shutterstock
ଭଦ୍ରକ: ଟାଉନ ଥାନା ଅର୍ନ୍ତଗତ ଜାନୁଗଞ୍ଜସ୍ଥିତ ଏକ ଘରୋଇ ମହିଳା ଛାତ୍ରାବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ମୃତଦେହକୁ ଉଦ୍ଧାର କରିଛି। ମୃତ ଛାତ୍ରୀଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁରିକଣା ଗ୍ରାମରେ ବୋଲି ଜଣା ପଡ଼ିଛି।
ଶବ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଥିଲା। ଖବର ପାଇ ମୃତ ଛାତ୍ରୀଙ୍କ ପରିବାର ଲୋକ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ପ୍ରକାଶ ଥାଉ କି ଜାନୁଗଞ୍ଜର ଘରୋଇ ମହିଳା ଛାତ୍ରାବାସରେ ପ୍ରାୟ ୨୫ ଜଣ ଛାତ୍ରୀ ରହି ପାଠ ପଢ଼ନ୍ତି। ଗୁରୁବାର ରାତିରେ ଖାଇ ସାରିବା ପରେ ସଂପୃକ୍ତ ଛାତ୍ରୀ ନିଜ ରୁମ୍ରେ ଶୋଇଥିଲେ। ରାତିରେ ସବୁ ଶୋଇ ସାରିବା ପରେ ଛାତ୍ରୀ ଜଣକ ପଙ୍ଖାରେ ଝୁଲି ପଡ଼ିଥିଲେ। ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ କୋଠରିର ଭିତର ପାର୍ଶ୍ବରୁ କବାଟ ବନ୍ଦ ଥିଲା। ଛାତ୍ରାବାସର ମାଲିକଙ୍କ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ସେ ଏଭଳି ପଦକ୍ଷେପ ନେଇଥିଲେ ତାହା ଜଣାପଡ଼ି ନାହିଁ।
Follow Us