ପୋଖରୀରୁ ଯୁବତୀଙ୍କ ହାତବନ୍ଧା ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Advertisment
ପୋଖରୀରୁ ଯୁବତୀଙ୍କ ହାତବନ୍ଧା ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପଣ୍ତାପଡ଼ା: କେନ୍ଦୁଝର ଜିଲ୍ଲା ପଣ୍ତାପଡ଼ା ଥାନା ବସନ୍ତପୁର ପଞ୍ଚାୟତ ବୁଢ଼ାଖମଣ ସାହିର ଏକ ପରିତ୍ୟକ୍ତ ଗାଡ଼ିଆରୁ ହାତବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ ସେହି ସାହିର ଧୀର ଦଣ୍ତପାଟଙ୍କ ଝିଅ ରିନା ଦଣ୍ତପାଟ (୨୦)। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଗାଡ଼ିଆରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ରାତିରେ ମା’ଝିଅ ଗୋଟିଏ କୋଠରିରେ ଶୋଇଥିଲେ। ରାତି ପ୍ରାୟ ୧୨ଟାବେଳେ ଝିଅ ରିନା ବାହାରକୁ ଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ସକାଳୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଅପରାହ୍‌ଣ ୩ଟାବେଳେ ବୁଢ଼ାଖମଣ-ପାତନାସାହି ରାସ୍ତାକଡ଼ରେ ଥିବା ଏକ ପରିତ୍ୟକ୍ତ ଗାଡ଼ିଆରେ ତାଙ୍କ ମୃତଦେହ ଭାସୁଥିବା ଦେଖି ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ରିନାଙ୍କ ହାତ ଦୁଇଟି ପଛକୁ ବନ୍ଧା ଯାଇଥିବା ଏବଂ ନିକଟରେ ଥିବା ଏକ ମହୁଲ ଗଛ ପାଖରୁ ତାଙ୍କ ଅନ୍ତଃବସ୍ତ୍ର ଓ ଚପଲ ପଡ଼ିଥିବାରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କେନ୍ଦୁଝର ଏସ୍‌ଡିପିଓ ପ୍ରକାଶ ଜେମ୍‌ସ ଟପୋ, ପଣ୍ତାପଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ, ଏଏସ୍‌ଆଇ ଶଶିଭୂଷଣ ବିଶ୍ବାଳ, ଏଏସ୍‌ଆଇ ମନୋରଞ୍ଜନ ସେଠୀ ଓ ପୁଲିସ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe