ରୋଜଗାର ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ

ରୋଜଗାର ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ

ରା.ଉଦୟଗିରି: ଝିଅଟିଏ ହୋଇ ବି ପରିବାର ପାଇଁ ପୁଅ ଭଳି କାମ କରିବାକୁ ଚାହୁଁଥିଲେ। ଏଥିପାଇଁ ଆର୍ଥିକ ଦୁଃସ୍ଥିତିରେ ଚଳୁଥିବା ପରିବାରର ଦୁଃଖ ସହିନପାରି କର୍ମ ଅନ୍ବେଷଣରେ ଯାଇଥିଲେ ସୁଦୂର ବାଙ୍ଗାଲୋର। ସିଲେଇ ତାଲିମ ନେଇ ଘରକୁ ଫେରିବେ, ଆଉ ନିଜକୁ ସ୍ୱାବଲମ୍ବୀ କରିବା ସହ ପରିବାରର ଆର୍ଥିକ ସ୍ଥିତି ସୁଧାରିବେ। ହେଲେ ସବୁ ଆଶା ପାଣିଫୋଟକା ପରି ମିଳାଇଗଲା। ପରିବାରର ଦୁଃଖ ବୁଝିବା ପୂର୍ବରୁ ସେମାନଙ୍କୁ ଦୁଃଖ ଦେଇ ଆରପାରି କି ଚାଲିଯାଇଛନ୍ତି ୨୧ବର୍ଷୀୟା ସୁଶୋଜିତା ବର୍ଦ୍ଧନ। ଓରମାସ୍‌ ପକ୍ଷରୁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍‌ ରାମଗିରିର ସୁଶୋଜିତା ଗତବର୍ଷ ମାର୍ଚ୍ଚ ମାସରେ ସିଲେଇ ଶିଖିବା ପାଇଁ ମନୋନୀତ ହୋଇଥିଲେ। ଏପ୍ରିଲ ମାସରୁ ବାଙ୍ଗାଲୋର ସ୍ଥିତ ସାହି ଏକ୍ସପର୍ଟ ନାମକ ଏକ ଘରୋଇ କମ୍ପାନିରେ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥିଲେ। ତେବେ ଦୁର୍ଭାଗ୍ୟବଶତଃ ସୁଶୋଜିତା କୌଣସି ଏକ ରୋଗରେ ପୀଡ଼ିତ ହୋଇ ଗତ ୧୬ ତାରିଖରେ ସେଠାରେ ମୃତ୍ୟୁବରଣ କରିଥିଲେ। ଏ ଘଟଣାରେ ପରିବାର ଲୋକେ ଏବେ ଭାଙ୍ଗି ପଡ଼ିଛନ୍ତି।

ତେବେ ଦୈନନ୍ଦିନ କାମ କରି ରୋଜଗାର କଲେ ଚଳୁଥିବା ଏହି ପରିବାର ପାଇଁ ଝିଅର ମୃତଦେହ ଆଣିବା ଖର୍ଚ୍ଚ ଉଠାଇବା ମଧ୍ୟ କଷ୍ଟକର ଥିଲା। ତେବେ କମ୍ପାନି ପକ୍ଷରୁ ସୁଶୋଜିତାର ମୃତଦେହକୁ ଏୟାର ଲିଫ୍ଟ କରି ଆଜି ସକାଳେ ଭୁବନେଶ୍ୱର ପଠାଇ ଦିଆ ଯାଇଥିଲା। ପରିବାରର ଦୁଃଖ ଶୁଣି ଭୁବନେଶ୍ୱର ବିମାନ ବନ୍ଦରରେ ଆମ୍ବୁଲାନ୍ସ ସହ ପ୍ରସ୍ତୁତ ହୋଇ ବ୍ଲକ୍‌ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ସହାୟତା କରିଥିଲେ। ଶବକୁ ଗ୍ର‌ାମକୁ ଆଣି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ସୁଶୋଜିତାଙ୍କ ଏଭଳି ଆକସ୍ମିକ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆର୍ଥିକ ଅନଟନରେ ଥିବା ପରିବାରବର୍ଗଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe