ଭୁବନେଶ୍ବରରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

କାର୍ଯ୍ୟରତ ସମୟରେ ଖାତକୁ ଗଳିପଡିଲେ ଓଡ଼ିଆ ଯବାନ, ବାଂଲାଦେଶୀ ନାଗରିକ ମାରିଦେବା ନେଇ ବଡଭାଇଙ୍କ ଅଭିଯୋଗ

ଭୁବନେଶ୍ବରରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ବର/ଗୋପ: ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ସମୟରେ ଦୁର୍ବୃତ୍ତଙ୍କ ଦ୍ବାରା ସଂଘବଦ୍ଧ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରତାପ ରଂଜନ ପରିଡ଼ାଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି। ସହିଦ ଯବାନଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଲା ପରେ ଏଠାରେୁ ଖୋର୍ଦ୍ଧାସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପକୁ ନିଆଯାଇଛି। ସନ୍ଧ୍ୟା ହୋଇଯାଇଥିବାରୁ ବିମାନବନ୍ଦରରେ ଗାର୍ଡ ଅଫ୍‌ ଅର୍ନର ଦିଆଯାଇପାରି ନାହିଁ। ନିମାପଡ଼ା ବିଧାୟକ ସମୀର ରଂଜନ ଦାଶଙ୍କ ସମେତ ପୁଲିସ ଓ ଅନ୍ୟମାନେ କେବଳ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ଦର୍ଶନ କରିଛନ୍ତି।

ଅନ୍ୟପଟରେ ସାନଭାଇଙ୍କ ସହିଦ ହେବା ଖବରକୁ ନେଇ ବଡଭାଇ ପ୍ରେମ ରଞ୍ଜନ ପରିଡ଼ା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସ୍ଥାନୀୟ ବାଂଲାଦେଶୀମାନେ ମାରିଦେଇ ଏକ ୪ ଫୁଟିଆ ଖାଲରେ ପକାଇ ଦେଇ ଚାଲିଯାଇଥିଲେ। ପରେ ସ୍ଥାନୀୟ ଗ୍ରାମବାସୀମାନେ ଆର୍ମି ଅଫିସରେ ଜଣାଇବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ସୁଦ୍ଧା ସେ ଶେଷରେ ସହିଦ ହୋଇଯାଇଥିଲେ। ତାଙ୍କର ସହିଦକୁ ନେଇ ସ୍ଥାନୀୟ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ,ଗୋପ ତହସିଲଦାର ରଞ୍ଜନ କୁମାର ପରିଡା, ଗୋପ ଶିକ୍ଷାଧିକାରୀ ସୁଶିଲ କୁମାର ବ୍ରହ୍ମା, ଗୋପ ଥାନାଧିକାରୀ ମହେଶ୍ୱର ସେଠୀ ପ୍ରମୂଖ ଶୋକବ୍ୟକ୍ତ କରିଛନ୍ତି। ସେହିପରି ଏହି ଘଟଣାକୁ ନେଇ ସମଗ୍ର ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

୫୨ ବର୍ଷୀୟ ଓଡିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ା ସୂଦୁର ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ସମୟରେ ଦୁର୍ବୃତ୍ତଙ୍କ ଦ୍ବାରା ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଏକ ଖାତକୁ ଗଳି ପଡିଥିଲେ। ପରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତାପ ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ। ଏକ ବାଇକ୍‌ରେ ସୀମାର ସମସ୍ତ କାର୍ଯ୍ୟକୁ ନୀରିକ୍ଷଣ କରୁଥିବା ସମୟରେ ଏହି ଭଳି ଦୁଃଖଦ ଘଟଣା ଘଟିଥିଲା। ପ୍ରତାପ ଙ୍କ ସହିଦ ହେବା ଖବର ପାଇବା ପରେ ଗୋପ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ସୋସିଆଲ ମିଡିଆରେ ତାଙ୍କର ସହିଦ ହେବା ଖବରକୁ କେହି ସହଜରେ ଗ୍ରହଣ କରିପାରୁ ନଥିଲେ। ସେ ଅତ୍ୟନ୍ତ ମେଳାପି ତଥା ହସଖୁସି ମିଜାଜର ପିଲା ଭାବେ ଗ୍ରାମ ଠାରୁ ଗୋପ ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଜାଣିଥିଲେ। ତାଙ୍କର ସହିଦ ହେବା ଖବରକୁ ନେଇ ସାଙ୍ଗସାଥି ଠାରୁ ଆରମ୍ଭ କରି ଗ୍ରାମବାସୀ ମାନେ ଗଭୀର ଭାବେ ମର୍ମାହତ ହୋଇଛନ୍ତି। ପୁରୀ ଜିଲ୍ଲା ଗୋପ ବ୍ଲକ ବଡତରା ପଂଚାୟତର ମଲ୍ଲଗ୍ରାମରେ ଜନ୍ମିତ ପ୍ରତାପଙ୍କ ସମେତ ତାଙ୍କ ବଡ ଭାଇ ପ୍ରେମ ରଞ୍ଜନ ପରିଡା ମଧ୍ୟ ସେନାରେ କାର୍ଯ୍ୟରତ। ବଡଭାଇ ଜାମସେଦପୁର ଟାଟାରେ କେନ୍ଦ୍ରୀୟ ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିବା ବେଳେ ସାନଭାଇର ସହିଦ ଖବର ପାଇ ନିଜ ଘରେ ପଂହଚିଛନ୍ତି। ପ୍ରତାପ ଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି। ନିମାପଡା ବିଧାୟକ ସମିର ରଞ୍ଜନ ଦାଶ ଶୋକ ସନ୍ତପ୍ତ ପରିବାରରେ ପଂହଚି ସାନ୍ତ୍ୱନା ଦେବା ସହିତ ସରକାର ତାଙ୍କ ପରିବାର ସହିତ ଅଛନ୍ତି ବୋଲି କହିଛନ୍ତି। ବୀର ସହିଦଙ୍କ ଅନ୍ତିମ ସଂସ୍କାର ନିଜ ଗ୍ରାମରେ କରାଯିବାର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe