ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର

Advertisment
ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଖଇରମୁଣ୍ଡା ଗାଁ ପାଖ ଜଙ୍ଗଲରୁ ରବିବାର ଦିନ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀର ବୟସ ୩୦ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ସୂଚନା ଅନୁଯାୟୀ, ରବିବାର ଦିନ କେତେକ ବ୍ୟକ୍ତି ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ଏକ ମାଈ ହାତୀ ପଡ଼ିଥିବା ଦେଖି ଗ୍ରାମରେ ଖବର ଦେଇଥିଲେ। ଏହାପରେ ବନ ବିଭାଗ ପକ୍ଷରୁ ମହାବିରୋଡ଼ ରେଞ୍ଜ ଦାୟିତ୍ବରେ ଥିବା କାମାକ୍ଷାନଗର ଇଷ୍ଟରେଞ୍ଜ ଅଧିକାରୀ ସତ୍ୟ ନାରାୟଣ ସାହୁ ଟିମ୍‌ ସହିତ ସେଠାରେ ପହଞ୍ଚି ତଦନ୍ତ କରିଥିଲେ। କଙ୍କଡାହାଡ଼ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟ ବିକ୍ରମ ତରାଇ ଶବ ବ୍ୟବଚ୍ଛେଦ କରିଥିଲେ। ମାଈ ହାତୀଟି ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏହାର ଗର୍ଭରୁ ମୃତ ଛୁଆକୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ସେଠାରେ ପୋତାଯାଇଥିଲା।

publive-image

ମହାବିରୋଡ଼ ରେଞ୍ଜରେ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ସ୍ଥାୟୀ ରେଞ୍ଜ ଅଧିକାରୀ ନଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ମହାବିରୋଡ଼ ରେଞ୍ଜ ଅଧୀନରେ ଥିବା ଜଙ୍ଗଲରେ ଅନେକ ସମୟରେ ବନ୍ୟପ୍ରାଣୀ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ୍ ତାର ବିଛାଇଥାନ୍ତି। ମୃତ ହାତୀଠାରୁ ୧୦୦ ମିଟର ମଧ୍ୟରେ ବିଦ୍ୟୁତ ଯାଇଥିବାରୁ ଏହି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ କାମାକ୍ଷାନଗର ଇଷ୍ଟ ରେଞ୍ଜ ଅଧିକାରୀ ସତ୍ୟନାରାୟଣ ସାହୁଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଲେ, ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସମସ୍ତ ତଥ୍ୟ ଜଣାପଡ଼ିବ। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହୋଇଛି ସେ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe