Advertisment

ଅଖା ଭିତରୁ ମିଳିଲା ଖଣ୍ଡବିଖଣ୍ଡିତ ଶବ

Advertisment

ମୃତକଙ୍କ ପରିଚୟ ମିଳିନି, ନିର୍ମମ ହତ୍ୟାକାଣ୍ଡ ସନ୍ଦେହ

ମୃତକଙ୍କ ପରିଚୟ ମିଳିନି, ନିର୍ମମ ହତ୍ୟାକାଣ୍ଡ ସନ୍ଦେହ

ଅଖା ଭିତରୁ ମିଳିଲା ଖଣ୍ଡବିଖଣ୍ଡିତ ଶବ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଟିକରପଙ୍ଗା ପଞ୍ଚାୟତ ଅଧୀନ ନାରାୟଣପୁର ଛକ ନିକଟ ୫ ନମ୍ବର(କ)ଜାତୀୟ ରାଜପଥ କଡ଼ରୁ ଆଜି ଏକ ଅଖା ଭିତରୁ ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଜବତ କରାଯାଇଛି। ମୃତବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିିବା ପରେ ଦୁର୍ବୃତ୍ତ ମୃତଦେହକୁ ଏଠାରେ ଫିଙ୍ଗି ପଳାଇଥିବା ଅନୁମାନ କରାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ନାରାୟଣପୁର ଛକ ନିକଟରେ ଏକ ଅଖା ପଡ଼ିଥିବା ଲୋକେ ଦେଖିଥିଲେ। ଏଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିବାରୁ ସେମାନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଖବରପାଇ ପୁଲିସ ପହଞ୍ଚି ଅଖା ଖୋଲିବା ପରେ ସେଥିରୁ ବିଖଣ୍ଡିତ ମୃତଦେହ ବାହାରିଥିଲା। ଶରୀରରୁ ମୁଣ୍ଡ ଓ ଆଣ୍ଠୁ ଉପରକୁ ଦୁଇ ଗୋଡ଼ କାଟି ଦିଆଯାଇଥିଲା। ସେହିପରି ଗୁପ୍ତାଙ୍ଗ ମଧ୍ୟ କାଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦ୍ରାପଡ଼ା ଏସ୍‌ପି ଦୟାନିଧି ଗୋଚ୍ଛାୟତ, ଏସଡିପିଓ କେଦାରନାଥ ସାହୁ, ମାର୍ଶାଘାଇ ଥାନାଧିକାରୀ ପି.କେ. ସିଂ, ଅତିତିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ପ୍ରମୁଖ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ। ଅନୁସନ୍ଧାନ ବେଳେ ମୃତଦେହ ପଡ଼ିଥିବା ଜାତୀୟ ରାଜପଥର ଅପରପାର୍ଶ୍ୱରୁ ଦୁଇ କଟା ଗୋଡ଼ ମିଳିଥିଲା। ସେହିପରି ୧୦୦ ମିଟର ଦୂରରେ ଖପୁରୀର ଟୁକୁଡ଼ା ଅଂଶ ମିଳିଥିଲା। ସେଠାରେ ଦାନ୍ତ, ପାଚିଲା କେଶ ଆଦି ବିଛାଡ଼ି ହୋଇ ପଡ଼ିଥିଲା। ପାଚିଲା କେଶରୁ ମୃତବ୍ୟକ୍ତି ଜଣଙ୍କ ବୟସ୍କ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ଅତି ବିଭତ୍ସ ଭାବେ ତାଙ୍କୁ ହତ୍ୟା କରାଯାଇ ମୃତଦେହକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି। ଦୁର୍ବୃତ୍ତ ଜଣଙ୍କ ମୃତବ୍ୟକ୍ତିଙ୍କ ପରିଚୟ ନଷ୍ଟ କରିଦେବାକୁ ଯଥାସମ୍ଭବ ଉଦ୍ୟମ କରିଛି।

ପୁଲିସ ବ୍ୟବଚ୍ଛେଦ ପାଇଁ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛି। ନିଜ ଆଡ଼ୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe