Shutterstock
ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଝୁଲପିଆପାଲି ଗ୍ରାମର ଗୋପୀନାଥ ଭୁଏଙ୍କ ପତ୍ନୀ ପଙ୍କଜିନୀ ଭୁଏ ଘରେ ଶାଢ଼ିରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ ଗତ ୩ ବର୍ଷ ତଳେ ଗାଈସିଲେଟ ଥାନା ଅଏଁଲାବାହାଲ ଗ୍ରାମର ଚିନ୍ତାମଣି ଭୁଏ ଝିଅ ପଙ୍କଜିନୀଙ୍କୁ ଝୁଲପିଆପାଲିର ଗୋପୀନାଥଙ୍କୁ ବିବାହ ଦେଇଥିଲେ। ମାତ୍ର କରନା ସମୟରେ କାମଧନ୍ଦା ନ ମିଳିବାରୁ ପରିବାର ପୋଷଣ ପାଇଁ ଗୋପୀନାଥ ତାମିଲନାଡୁ ଚାଲିଯାଇ ସେଠାରେ କାମ କରୁଛନ୍ତି। ସେମାନଙ୍କ ଏକ ଛୋଟ ଝିଅ ଅଛି। ତେବେ ଶୁକ୍ରବାର ଭୋର ୫ଟା ବେଳେ ଝିଅ ଖୁବ୍ ଜୋର୍ରେ କାନ୍ଦିବାରୁ ପରିବାର ଲୋକେ ତାକୁ ଆଣିବା ପାଇଁ ପଙ୍କଜିନୀ ଶୋଇଥିବା କୋଠରି ଯାଇ ସେଠାରେ ପଙ୍କଜିନୀ ନିଜ ଶାଢ଼ିରେ ପଙ୍ଖାରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ବରପାଲି ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବ ଝିଅ ଦୁଇ ଦିନ ପୂର୍ବରୁ ତାଙ୍କୁ ଫୋନ କରି ‘ମୋର ପସନ୍ଦର ପୁଅକୁ ବାହା ଦେଲନାହିଁ। ମୁଁ ଏବେ ହଇରାଣ ହେଉଛି। ​ତେଣୁ ଆତ୍ମହତ୍ୟା କରିଦେବି’ ବୋଲି କହିଥିବା ପଙ୍କଜିନୀଙ୍କ ବାପା ଚିନ୍ତାମଣି କହିଛନ୍ତି। ଖବର ପାଇ ଗୋପୀନାଥ ତାମିଲନାଡୁରୁ ଘରକୁ ଫେରୁଥିବା ଜଣାପଡ଼ିଛି।
Follow Us