ଭାଇ ବାସନ୍ଦ ପାଇଁ ଶବକୁ ଦଣ୍ଡ, ଗାଁରୁ ପୁଣିଥରେ ଡାକ୍ତରଖାନାକୁ ଫେରିଲା

Advertisment

୭୦୦ ଟଙ୍କା ପାଇଁ ଡାକ୍ତରଖାନାରେ ପଡ଼ିରହିଲା

୭୦୦ ଟଙ୍କା ପାଇଁ ଡାକ୍ତରଖାନାରେ ପଡ଼ିରହିଲା

ଭାଇ ବାସନ୍ଦ ପାଇଁ ଶବକୁ ଦଣ୍ଡ, ଗାଁରୁ ପୁଣିଥରେ ଡାକ୍ତରଖାନାକୁ ଫେରିଲା

ଅନୁଗୁଳ: ବଡ଼ଭାଇଙ୍କୁ ଗାଁରେ ବାସନ୍ଦ କରାଯାଇଥିଲା। ମାତ୍ର, ମୃତ୍ୟୁ ପରେ ସାନଭାଇଙ୍କୁ ଏଥିପାଇଁ ଦଣ୍ଡ ଭୋଗିବାକୁ ପଡ଼ିଛି। ଗାଁରେ ଶବ ସତ୍କାର ‌ହୋଇନପାରିବାରୁ ବଡ଼ଭାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ଫେରାଇ ଆଣିଥିଲେ। ମାତ୍ର, ମହାପ୍ରୟାଣକୁ ଗାଡ଼ି ବାବଦ ୭୦୦ ଟଙ୍କା ଦେଇ ନ ପାରିବାରୁ ଡାକ୍ତରଖାନାରୁ ଶବ ହସ୍ତାନ୍ତର କରାଯାଇନଥିଲା। ଶେଷରେ, ଜଣେ ସହୃଦୟ ଯୁବ ବ୍ୟବସାୟୀଙ୍କ ମାନବିକତା ଯୋଗୁଁ ଶବ ସତ୍କାର ସମ୍ଭବ ହୋଇଥିଲା। ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କଞ୍ଜରା ଗାଁରେ ଏହି ଘଟଣା ଘଟିଛି।

ମୃତ ବ୍ୟକ୍ତି ହେଲେ, କଞ୍ଜରା ଗାଁର ରାମଚନ୍ଦ୍ର ମହାରଣା(୫୦)। ଡେରଜାଙ୍ଗ ଗାଁର ମୂଳନିବାସୀ ରାମଚନ୍ଦ୍ର ବହୁ ବର୍ଷ ତଳେ ଅନୁଗୁଳ ସହରକୁ ଚାଲି ଆସିଥିଲେ। ସେ ଭିଡିଓ ଅପରେଟର୍ ଭାବେ କିଛି ବର୍ଷ କାମ କଲା ପରେ ଜଣେ ପାନ ମସଲା ଦୋକାନୀଙ୍କ ପାଖରେ ଗୁଆ କାଟି ଦୁଇ ପଇସା ରୋଜଗାର କରୁଥିଲେ। କିଛି ବର୍ଷ ତଳେ ଦ‌ିନେ ଏକ ପାଗଳ କୁକୁର ତାଙ୍କୁ କାମୁଡ଼ି ଦେଇଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ଅବିବାହିତ ରାମଚନ୍ଦ୍ର ମାନସିକ ରୋଗରେ ଆକ୍ରାନ୍ତ ହୋଇ ସହରରେ ଏଣେ ତେଣେ ବୁଲୁଥିଲେ। ଚିହ୍ନା ଲୋକ କିଛି ଲୋକ ଦେଲେ ଖାଉଥିଲେ। ଅପରପକ୍ଷରେ ତାଙ୍କ ବଡ଼ ଭାଇ ଲାଣ୍ଡୁ ମହାରଣା ମଧ୍ୟ ବହୁ ବର୍ଷ ହେଲା ଗାଁ ଛାଡ଼ି ସାରିଥିଲେ। ଲାଣ୍ଡୁ ପ୍ରେମ ବିବାହ କରିଥିଲେ। ପତ୍ନୀଙ୍କ ସହ କୌଣସି କାରଣରୁ ମତଭେଦ ହେବାରୁ ନିଜ ଝିଅ ବାହାଘର ଓ ଶାଶୂଙ୍କ ଶୁଦ୍ଧିକ୍ରିୟା ବେଳେ ଅନୁପସ୍ଥିତ ରହିଥିଲେ। ଏସବୁ କାରଣରୁ ଲାଣ୍ଡୁଙ୍କୁ ଆଉ ଗାଁ ଲୋକେ ଗ୍ରହଣ କରିନଥିଲେ। ତାଙ୍କୁ ଗାଁରୁ ବାସନ୍ଦ କରିଥିଲେ।

ଏଭଳି ପରିସ୍ଥିତିରେ, ରାମଚନ୍ଦ୍ର ଗୁୁରୁତର ଅସୁସ୍ଥ ଥିବା ଦେଖି ଲାଣ୍ଡୁ ଦୁଇ ଦିନ ତଳେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଗତକାଲି ରାତି ସାଢ଼େ ୯ଟାରେ ଲାଣ୍ଡୁ ମହାପ୍ରୟାଣ ଗାଡ଼ିରେ ରାମଚନ୍ଦ୍ରଙ୍କ ଶବ ଧରି କଞ୍ଜରା ଗାଁରେ ପହଞ୍ଚିଥିଲେ। ଗାଁ ଲୋକେ କିନ୍ତୁ ଏହାର ବିରୋଧ କରିଥିଲେ। ସେ(ଲାଣ୍ଡୁ) ବାସନ୍ଦ ହୋଇଥିବା ଏବଂ ରାମଚନ୍ଦ୍ର କଞ୍ଜରାର ବାସିନ୍ଦା ହୋଇନଥିବା କାରଣରୁ ‘ଅନ୍ୟ ଗାଁ’ର ଶବ ଏଠି ସତ୍କାର କରିବାକୁ ଦିଆଯିବ ନାହିଁ କହି ଦୃଢ଼ ପ୍ରତିବାଦ କରିଥିଲେ। ଫଳରେ, ଲାଣ୍ଡୁ ବାଧ୍ୟ ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଶବ ଫେରାଇ ଆଣିଥିଲେ। ଡାକ୍ତରଙ୍କୁ ଅନୁରୋଧ କରିବା ପରେ ସେ ଶବ ସଂରକ୍ଷଣ ଗୃହରେ ରଖିବା ବ୍ୟବସ୍ଥା କରିଥିଲେ।

publive-imageଆଜି ସକାଳ ୯ଟାରେ ଶବ ନେବାକୁ ଆସିବାରୁ ମହାପ୍ରୟାଣ ଗାଡ଼ି ଚାଳକ ଓ ଡାକ୍ତରଖାନା କର୍ମଚାରୀମାନେ କିଲୋମିଟର ପ୍ରତି ୮ ଟଙ୍କା ହିସାବରେ କଞ୍ଜରାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯିବା ଆସିବା ଏବଂ ଆଜି ପୁଣି ସେଠାରୁ ଅନୁଗୁଳର କରଡ଼ାଗାଡ଼ିଆ ଶ୍ମଶାନକୁ ନେବା ପାଇଁ ୭ ଶହ ଟଙ୍କା ଜମା କରିବାକୁ କହିଥିଲେ। ମାତ୍ର ଲାଣ୍ଡୁ କିମ୍ବା ତାଙ୍କ ପତ୍ନୀ ଇନ୍ଦୁଙ୍କ ପାଖରେ ସେତେ ଟଙ୍କା ନଥିଲା। ମହାରଣା ଦମ୍ପତି ଯେତେ ନେହୁରା ହେଲେ ବି କର୍ମଚାରୀମାନେ ମାନି ନଥିଲେ। ଗୁହାରି କରିବାକୁ ଏଡିଏମ୍ଓ, ହସ୍ପିଟାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର ସେମାନେ କାର୍ଯ୍ୟାଳୟରେ ନ ଥିବାରୁ ନିରାଶ ହେବାକୁ ପଡ଼ିଥିଲା।

ଏପଟେ ଟଙ୍କା ଯୋଗାଡ଼ ହୋଇନପାରିବାରୁ ‌ମଧ୍ୟାହ୍ନରେ ଡାକ୍ତରଖାନା ପରିସରରେ ଏକ ଗଛମୂଳେ ବସି ଲାଣ୍ଡୁ କାନ୍ଦୁଥିବା ବ୍ୟବସାୟୀ ସଂଜୟ ସାହୁଙ୍କ ନଜରରେ ପଡ଼ିଥିଲା। ସେ ମହାପ୍ରୟାଣ ଗାଡ଼ି ଭଡ଼ା ବାବଦକୁ ୭ ଶହ ଟଙ୍କା ଡାକ୍ତରଖାନାର କାଉଣ୍ଟରରେ ଜମା କରିଥିଲେ। ଲାଣ୍ଡୁ ଶବ ପୋତା ଯିବା ପରମ୍ପରା ସଂକ୍ରାନ୍ତରେ କହିବାରୁ ଶ୍ରୀ ସାହୁ ଗାତ ଖୋଲିବା ପାଇଁ ପୁଣି ୩୦୦ ଟଙ୍କା ଦେଇ ଜଣେ ଶ୍ରମିକ ନିୟୋଜିତ କରିବା ସହିତ ନିଜେ ବି କରଡ଼ାଗାଡ଼ିଆ ଶ୍ମଶାନକୁ ଯାଇଥିଲେ। ସଂଜୟ ବାବୁଙ୍କ ମାନବିକତା ଯୋଗୁଁ ଆଜି ରାମଚନ୍ଦ୍ରଙ୍କ ଶବ ସତ୍କାର ସମ୍ଭବ ହୋଇପାରିଲା ବୋଲି ଲାଣ୍ଡୁ ଓ ତାଙ୍କ ପତ୍ନୀ ଇନ୍ଦୁ ‘ସମ୍ବାଦ’କୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe