ଚିନ୍ତାମଣିଙ୍କ ମୃତ୍ୟୁକୁ ନେଇ ସନ୍ଦେହ: ତିନି ଦିନ ପରେ ମାଟିତଳୁ ବାହାରିଲା ଶବ

ଚିନ୍ତାମଣିଙ୍କ ମୃତ୍ୟୁକୁ ନେଇ ସନ୍ଦେହ: ତିନି ଦିନ ପରେ ମାଟିତଳୁ ବାହାରିଲା ଶବ

ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସଗରା ପଞ୍ଚାୟତ ବୁଣ୍ଡୁକାମାଲ ଗ୍ରାମରେ ଗତ ୧୭ ତାରିଖ ଘଟିଥିବା ଏକ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଇଛି। ମୃତ୍ୟୁର କାରଣ ସନ୍ଦେହଜନକ ଥିବା ନେଇ ଅଭିଯୋଗ ହେବା ପରେ ଶନିବାର ପୁଲିସ ମାଟିତଳୁ ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରିବା ପରେ ବୁଣ୍ଡୁକାମାଲ ଗ୍ରାମର ଚିନ୍ତାମଣି ନାଏକ (୫୦)ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ପତ୍ନୀ ସୌଦାମିନୀ ନାଏକ ତୁରନ୍ତ ପୁଅ ଆକାଶକୁ ଡକାଇ ତାଙ୍କୁ ମେଡିକାଲ୍‌ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାତିରେ ଶବ ଘରକୁ ଫେରାଇ ଆଣିଥିଲେ। ପରଦିନ ସକାଳେ ଗାଁ ଶ୍ମଶାନରେ ଗ୍ରାମବାସୀଙ୍କ ଉପସ୍ଥିତିରେ ସାମାଜିକ ରୀତି ଅନୁସାରେ ପୋତି ଦିଆଯାଇଥିଲା। ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ମୃତକଙ୍କ ଫୋଟୋ ମଧ୍ୟ ଉଠାଯାଇଥିଲା। ସେଥିରେ ମୃତକଙ୍କ ବେକରେ ଏକ କଳା ଦାଗ ଦେଖିବାକୁ ମିଳିଥିଲା। ଫଟୋଟି ଭାଇରାଲ ହେବା ସହ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମବାସୀ ଏକ ବୈଠକ ଡାକି ପରିବାରବର୍ଗଙ୍କୁ ଉପସ୍ଥିତ ହେବାକୁ ସୂଚନା ଦେଇଥିଲେ। ମାତ୍ର ପରିବାରର କୌଣସି ସଦସ୍ୟ ଏହି ବୈଠକରେ ସାମିଲ ନ ହେବାରୁ ଗାଁ ଲୋକଙ୍କ ସନ୍ଦେହ ବଢ଼ିଥିଲା। ଶେଷରେ ଗ୍ରାମବାସୀ ପୁଲିସର ଦ୍ଵାରସ୍ଥ ହୋଇଥିଲେ। ଶୁକ୍ରବାର ଅପରାହ୍‌ଣରେ ଗ୍ରାମର କିଛି ଯୁବକ ପ୍ରଥମେ ଗଡ଼ପୋଷ ଫାଣ୍ଡି ଓ ପରେ ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ପ୍ରଥମେ ଗୋବିନ୍ଦପୁର ଥାନା କେସ୍‌ ନମ୍ବର ୨୨/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ।

ଘର ଲୋକଙ୍କୁ ଜେରା କରିବା ପରେ ଶବ ପୋତା ହୋଇଥିବା ସ୍ଥାନର ତଦନ୍ତ କରି ସେଠାରେ ଜଗିବାର ବ୍ୟବସ୍ଥା କରିଥିଲେ। ଶନିବାର ଶବ ଖୋଳାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ କହିଥିଲା। ଆଜି ମଧ୍ୟାହ୍ନରେ ମ୍ୟାଜସଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ବାମରା ତହସିଲଦାର ଅନିଲ କୁମାର କୁଲ୍ଲୂଙ୍କ ଉପସ୍ଥିତିରେ ପୋତା ଯାଇଥିବା ଶବକୁ ଉଦ୍ଧାର କରାଯାଇଥିଲା। ଏହି ସମୟରେ କୁଚିଣ୍ଡା ଉପଖଣ୍ଡସ୍ତରୀୟ ଥାନା ଅଧିକାରୀ ରାଜକିଶୋର ମିଶ୍ର, ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ କୁମାର ରଣା, ମହୁଲପାଲି ଥାନା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ବେହେରା ଓ ଗଡ଼ପୋଷ ଫାଣ୍ଡି ଅଧିକାରୀ ଜେ କିସାନ ପ୍ରମୁଖ ଉପସ୍ଥିତ ଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ଏଫ୍‌ଏମ୍‌ଟିକୁ ପଠାଯାଇଛି। ସମ୍ବଲପୁରରୁ ବିଜୟଲକ୍ଷ୍ମୀ ତିର୍କୀଙ୍କ ନେତୃତ୍ଵରେ ସାଇଣ୍ଟିଫିକ୍‌ ଦଳ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏହି ସମୟରେ ପରିବାର ଲୋକଙ୍କ ବ୍ୟତୀତ ଗ୍ରାମବାସୀ ଉପସ୍ଥିତ ଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ଵାଭାବିକ ମୃତ୍ୟୁ ନା ଅନ୍ୟ କିଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe