Xpress India News
କଟକ : ମରିଗଲା ମାନବିକତା! ଶ୍ମଶାନରେ ଶବ ଛାଡ଼ି ଛୁ ମାରିଲେ ପରିବାର ଲୋକ। ଆଜି ଏଭଳି ଏକ ହୃଦୟବିଦାରକ ଘଟଣା ଖାନନଗର ଶ୍ମଶାନରେ ଦେଖିବାକୁ ମିଳିଛି। ଶ୍ମଶାନ କର୍ମଚାରୀ ଏ ନେଇ ଖବର ଦେବା ପରେ ପୁଲିସ ଶ୍ମଶାନରୁ ଶବ ଉଠାଇ ନେଇ କଟକ ବଡ଼ ମେଡିକାଲ୍ ଶବ ସଂରକ୍ଷଣ ଗୃହରେ ରଖି ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ପରିବାର ଲୋକ ଶବ ଛାଡ଼ି ପଳାଇ ଯାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।
ଘଟଣାଟି ଥିଲା ଏହିପରି। ଦିନ ପ୍ରାୟ ୧୨ଟା ହେବ। ଶ୍ମଶାନ କର୍ମଚାରୀଙ୍କ କହିବାନୁଯାୟୀ, ଏକ ଅଟୋରେ ୩୫ ବର୍ଷୀୟ ଜନୈକା ମହିଳାଙ୍କ ଶବ ଧରି ତାଙ୍କ ପରିବାର ଲୋକ ଆସିଥିଲେ। ଖାନନଗର ଶ୍ମଶାନରେ ପହଞ୍ଚିବା ପରେ ଅଟୋରୁ ଶବ ଓହ୍ଲାଇ ତଳେ ଶୁଆଇ ଦେଇଥିଲେ। ବଡ଼ ମେଡିକାଲରୁ ମିଳିଥିବା ଡିସଚାର୍ଜ ରସିଦ୍ ବି ଦେଖାଇଥିଲେ। ଏହାପରେ କାଠ ଆଣିବାକୁ ଯାଉଛୁ ବୋଲି କହଥିଲେ। କିନ୍ତୁ ଦୀର୍ଘ ସମୟ ଯିବା ପରେ ବି ଆଉ ଫେରିନଥିଲେ। ମହିଳାଙ୍କ ହାତରେ ସାଲାଇନ ଛୁଞ୍ଚି ଲାଗିଥିବ ବେଳେ ମେରୁଦଣ୍ଡରେ ଛୋଟ ଧରଣର ଅପରେସନ ହେଇଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ଶ୍ମଶାନ କର୍ମଚାରୀ ଏ ସଂକ୍ରାନ୍ତରେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଖୋଳତାଡ଼ ଆରମ୍ଭ କରିଥିଲା। କିନ୍ତୁ ପରିବାର ଲୋକଙ୍କ ସଂପର୍କରେ କୌଣସି ସନ୍ଧାନ ପାଇନଥିଲା। ପରେ ମହିଳାଙ୍କ ମୃତଦେହକୁ ବଡ଼ ମେଡିକାଲ୍ ଶବ ସଂରକ୍ଷଣ ଗୃହକୁ ପଠାଇ ଦିଆଯାଇଥିଲା।
ବାଦାମବାଡ଼ି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ କହିଛନ୍ତି, ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏବେ ଶବ ବଡ଼ ମେଡ଼ିକାଲ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ଆସନ୍ତାକାଲି ତଦନ୍ତ କରାଯିବ। ମେଡିକାଲ୍ ରେଜିଷ୍ଟ୍ରାର୍ରେ ପରିବାର ଲୋକଙ୍କ ଠିକଣା ଖୋଜାଯିବା ଦିଗରେ ଉଦ୍ୟମ କରାଯିବ।
Follow Us