ତୁମୁଡ଼ିବନ୍ଧ/କୋଟଗଡ଼ : ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ଥମୁନି। ଏବେ ପୁଣି କନ୍ଧମାଳ ଜିଲ୍ଲାରେ ଗୁଳି ମାଡ଼ରେ ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳର ବେଲଘରରୁ ଝିରିପାଣି ଯିବା ରାସ୍ତା ଶିକାକି ନିକଟରେ ଥିବା ଜଙ୍ଗଲରେ ଏକ ମାଈ ହାତୀକୁ ହତ୍ୟା କରାଯାଇଛି। ହାତୀକୁ ଗୁଳି କରି ହତ୍ୟା କରା ଯାଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।
ଝିରିପାଣି ଗ୍ରାମବାସୀଙ୍କ କହିବାନୁଯାୟୀ, ଗତ କିଛିଦିନ ହେବ କଳାହାଣ୍ଡିରୁ ହାତୀପଲ ଏହି ଅଞ୍ଚଳକୁ ଆସୁଥିଲେ। ସପ୍ତାେହ ତଳେ ଗୁଳି ଶବ୍ଦ ଗ୍ରାମବାସୀ ଶୁଣିବାକୁ ପାଇଥିଲେ। ଗତକାଲି ଗ୍ରାମବାସୀ ଚଳପ୍ରଚଳ ସମୟରେ ଦୁର୍ଗନ୍ଧ ହେଉଥିବାରୁ ନିକଟସ୍ଥ ଜଙ୍ଗଲ ଭିତରେ ତଲାସ କରିଥିଲେ। କିନ୍ତୁ ବନବିଭାଗ କର୍ମଚାରୀ ସେମାନଙ୍କୁ ଘଉଡ଼ାଇ ଦେଇଥିଲେ। ପରେ ସେମାନେ ଏକ ହାତୀକୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ। ତେବେ ବନ ବିଭାଗ କାହାକୁ ନଜଣାଇ ମୃତ ହାତୀକୁ ସେହି ଜଙ୍ଗଲରେ ଜେସିବି ଦ୍ୱାରା ଗାତ ଖୋଳି ପୋତି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଅନ୍ୟପକ୍ଷରେ, ବେଲଘର ରେଞ୍ଜର ମଣିଚନ୍ଦ୍ର ପାତ୍ର ହାତୀକୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାକୁ ଅସ୍ବୀକାର କରିଛନ୍ତି। ଘଟଣାକୁ ଭିତ୍ତିହୀନ କହିବା ସହ ୫ ବର୍ଷର ମାଈହାତୀଟି ଗର୍ଭବତୀ ଥିବା କହିଛନ୍ତି। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ ସୂଚନା ଦେଇଛନ୍ତି।
Follow Us