ନଦୀଘାଟରୁ ଦୁଇ ଅଚିହ୍ନା ମୃତଦେହ ଜବତ

Advertisment
ମଧ୍ୟାହ୍ନ ଭୋଜନ ହଣ୍ଡାରେ ପଡ଼ି ୩ ବର୍ଷୀୟା ଶିଶୁକନ୍ୟା ମୃତ

image source-indiatoday

କେନ୍ଦୁଝର/ଚମ୍ପୁଆ : ନଦୀ ଘାଟରୁ ମିଳିଲା ଗୋଟିଏ ଅଖାରେ ଭର୍ତ୍ତି ହୋଇଥିବା ଦୁଇଟି ଅଚିହ୍ନା ମୃତଦେହ। ସେଥିରୁ ଗୋଟିଏ ଜଣେ ପୁରୁଷଙ୍କର ଓ ଅନ୍ୟଟି ମହିଳାଙ୍କର। ତାହା ପୁଣି ହାତଗୋଡ଼ ବନ୍ଧା ଓ ଅଖା ଭିତରେ ଇଟା ଥିବା ଅବସ୍ଥାରେ ମିଳିଛି। ଅର୍ଥାତ କେହି ସେମାନଙ୍କୁ ହତ୍ୟା କଲାପରେ କିମ୍ବା ଜୀବିତ ଅବସ୍ଥାରେ ହିଁ ଦୁହିଁଙ୍କ ହାତଗୋଡ଼ ବାନ୍ଧି ଏକ ଜରି ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗି ଦେଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଫୁଲକଅଁଳେଇ ଗ୍ରାମ ନିକଟ ବୈତରଣୀ ନଦୀର ଖଲିଚଉପତି ଘାଟରୁ ମୃତଦେହ ଦୁଇଟି ମିଳିବା ପରେ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏଯାଏ ମୃତଦେହ ଚିହ୍ନଟ ହୋଇ ପାରି ନାହିଁ।

ସୂଚନା ଅନୁସା‌ରେ, ଗତକାଲି ସନ୍ଧ୍ୟାରେ ଫୁଲକଅଁଳେଇ ଗ୍ରାମର କିଛି ଲୋକ ନଦୀଘାଟକୁ ଯାଇଥିଲେ। ସେଠା‌ରେ ଏକ ଅଖାରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଉତ୍କଟ ଦୁର୍ଗନ୍ଧ ହେଉଥିଲା। ସେମାନେ ଗାଁକୁ ଫେରି ଜଣାଇବା ପରେ ଗ୍ରାମବାସୀ ସ୍ଥାନୀୟ ବାରିଆ ଥାନାକୁ ଖବର ଦେଇଥିଲେ। ଆଜି ସକାଳେ ବାରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଖା ଭିତରେ ଦୁଇଟି ମୃତଦେହ ଥିବା ଦେଖିବାକୁ ପାଇଥିଲେ। ଶରୀରରେ କଟା ଦାଗ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। ପୁରୁଷ ଜଣଙ୍କ ଜିନ୍‌ ପ୍ୟାଣ୍ଟ ଓ ସାର୍ଟ ଥିବା ବେଳେ ମହିଳାଙ୍କ ଦେହରେ ଶାଢ଼ି ରହିଛି।

ବାରିଆ ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି କହିଛନ୍ତି, ଆଜି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛୁ। ପରିଚୟ ଜଣା ପଡ଼ୁ ନ ଥିବାରୁ ବିଭିନ୍ନ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହ ଚିହ୍ନଟ ପାଇଁ ଆଖପାଖ ଥାନା ଅଞ୍ଚଳକୁ ଖବର କରାଯାଇଥିବା ଚମ୍ପୁଆ ଏସ୍‌ଡିପିଓ ହରିହର ପାଣି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe