ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ପରେ ପୋଡ଼ି ଦିଆଯାଇଥିବା ସନ୍ଦେହ

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ପରେ ପୋଡ଼ି ଦିଆଯାଇଥିବା ସନ୍ଦେହ

ଭଞ୍ଜନଗର: ଦେହସାରା ପୋଡ଼ି କଳା ପଡିଯାଇଥିବା ବେଳେ ସ୍ପଷ୍ଟ ଭାବେ ଚେହେରା ଜଣାପଡୁନାହିଁ। ଅତ୍ୟନ୍ତ ନିର୍ମମ ଭାବେ ଜଣେ ମହିଳାଙ୍କୁ ମାରି ପୋଡି ଦେଇଥିବା ଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ନୂଆଗଡ଼ ପଞ୍ଚାୟତର ବଜରଗୁମା ଗ୍ରାମ ନିକଟରେ। ଗ୍ରାମଠାରୁ କିଛି ଦୂରରେ ଥିବା ଏକ ପୋକଶୁଙ୍ଗା ବୁଦାମୂଳରେ ଅଧା ପୋଡା ହୋଇ ପଡିଥିବା ଜଣେ ମହିଳାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ପରିଚୟ ଜଣାପଡିନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ ପ୍ରଥମେ ହତ୍ୟା କରାଯିବା ପରେ ପେଟ୍ରୋଲ୍ କିମ୍ବା କିରୋସିନ ଢାଳି ପୋଡିବାକୁ ଉଦ୍ୟମ କରାଯାଇଥିବା ପୁଲିସ୍  ଅନୁମାନ କରିଛି।

ଆଜି ଭୋର ସମୟରେ ମହିଳାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ଘଟଣାସ୍ଥଳରେ ଆସିକା ଏସ୍ଡିପିଓ ସୂର୍ଯ୍ୟମଣୀ ପ୍ରଧାନଙ୍କ ସମେତ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଧରାକୋଟ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠି ପ୍ରମୁଖ ପହଞ୍ଚିଥିଲେ। ପୁଲିସ୍ ମୃତଦେହ ଉଦ୍ଧାର କରିବା ସହ ଛତ୍ରପୁରରୁ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଆସି ପୋଡି ଥିବା କପଡା, ମୃତଦେହ ପଡିଥିବା ସ୍ଥାନର ମାଟି ଆଦି ନମୁନା ସଂଗ୍ରହ କରି ଫେରିଛନ୍ତି।

ମୃତ ମହିଳାଙ୍କ ହାତରେ ଚୁଡି ଓ କାନଫୁଲ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ବୟସ ପାଖାପାଖି ୨୦ରୁ ୧୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ମହିଳାଙ୍କ ବେକରେ ଏକ ଓଢ଼ଣୀ ବନ୍ଧା ଯାଇଥିବା ବେଳେ ଶରୀରର ସବୁ କପଡା ପୋଡି ଯାଇଛି। ତେଣୁ ପ୍ରଥମେ ତାଙ୍କୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବା ପାଇଁ ପୋଡି ଦିଆଯାଇଥିବା ପୁଲିସ୍ ସନ୍ଦେହ କରୁଛି। ପାରିପାର୍ଶ୍ବିକ ସ୍ଥିତିରୁ ଘଟଣାସ୍ଥଳରେ ହତ୍ୟା କରିବା ଭଳି ଅବସ୍ଥା ନଥିବାରୁ ଅନ୍ୟ ସ୍ଥାନରେ ହତ୍ୟା କରି ଏଠାରେ ଫୋପାଡି ଦିଆଯାଇଥିବା ଭଳି ଜଣାପଡୁଥିବା ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ମହିଳାଙ୍କ ମୁହଁଟି ସଂପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏଫ୍ଏମ୍ଟିକୁ ପଠାଯାଇଛି। ଏଥିସହ ମହିଳାଙ୍କ ଫୋଟକୁ ଆଖପାଖ ସମସ୍ତ ଥାନାକୁ ଚିହ୍ନଟ ନିମନ୍ତେ ପଠାଯାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏନେଇ କେସ୍ ନଂ ୩୦୦/୨୦ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ ହୋଇଥିବା କହିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe