ଟାଉନ୍‌ ଥାନାରେ ହାଜତ ମୃତ୍ୟୁ! ବରଗଡ଼ ସହର ଅଶାନ୍ତ, ଜନତା-ପୁଲିସ୍‌ ଧସ୍ତାଧସ୍ତି

ଟାଉନ୍‌ ଥାନାରେ ହାଜତ ମୃତ୍ୟୁ! ବରଗଡ଼ ସହର ଅଶାନ୍ତ, ଜନତା-ପୁଲିସ୍‌ ଧସ୍ତାଧସ୍ତି

ବରଗଡ଼ : ବରଗଡ଼ ଟାଉନ୍‌ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ତୋରା ଗାଁର ଗୋବିନ୍ଦ କୁମ୍ଭାର(୨୭)। ଏକ ଗଣ୍ଡଗୋଳ ଘଟଣାରେ ଗତରାତିରେ ପୁଲିସ୍‌ ଗୋବିନ୍ଦକୁ ଥାନାକୁ ଉଠାଇ ଆଣିଥିଲା। ଶନିବାର ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଅାଯାଇଥିଲା। ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ତେବେ ଗୋବିନ୍ଦକୁ ଥାନାରେ ନିସ୍ତୁକ ମାଡ଼ ମରାଯାଇଥିଲା ଓ ମାଡ଼ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିନ୍ତୁ ପୁଲିସ୍‌ର କହିବା ହେଲା, ଗତ ରାତି ୨ଟା ବେଳେ ଗୋବିନ୍ଦଙ୍କୁ ଗିରଫ କରି ଥାନାକୁ ଅଣାଯାଇଥିଲା। ରାତିରେ ତାଙ୍କ ପେଟ ଦରଜ ହୋଇଥିଲା। ତୁରନ୍ତ ତାଙ୍କୁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ‌ସେଠା‌ରେ ସାଲାଇନ୍‌ ଏବଂ ଇଞ୍ଜେକ୍‌ସନ୍‌ ଦେବା ପରେ ବି ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଥିଲା। ତେଣୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୋବିନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପରିବାରଲୋକେ ଏବଂ ଶହଶହ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଡାକ୍ତରଖାନା ଭିତରେ ବ୍ୟାପକ ଭଂଗାରୁଜା କରିଥିଲେ। ସେମାନଙ୍କୁ ପୁଲିସ୍‌ ବୁଝାସୁଝା କରିଥିଲେ ହେଁ କିଛି ସୁଫଳ ମିଳିନଥିଲା। ଗ୍ରାମବାସୀ ଶବ ନେଇ ସହରର ଗାନ୍ଧୀ ଛକକୁ ପଳାଇ ଅାସିଥିଲେ। ରାସ୍ତା ଉପରେ ଶବ ରଖି ଅପରାହ୍‌ଣ ୨ଟା ବେଳରୁ ରାସ୍ତାରୋକ କରିଥିଲେ। ରାସ୍ତା ଉପରେ ଟାୟାର ଜାଳି ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ଦଳର ନେତାମାନେ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୋଟିଏ ଟଙ୍କା କ୍ଷତିପୂରଣ, ଗୋବିନ୍ଦଙ୍କ ବିଧବା ପତ୍ନୀଙ୍କୁ ଚାକିରି ଏବଂ ଦୁଇ ଛୋଟ ପିଲାଙ୍କ ପଢ଼ିବା ଖର୍ଚ୍ଚ ବହନ କରିବାକୁ ଲୋକେ ଦାବି କରିଥିଲେ। ପରେ ଶବ ନେଇ ଥାନା ଅଭିମୁଖେ ବାହାରି ଥିଲେ। ସେତିକି ବେଳେ ପୁଲିସ୍‌ ସେମାନଙ୍କ ବାଟ ଓଗାଳି ଥିଲା। ଏହି ସମୟରେ ପୁଲିସ୍‌-ଜନତା ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପୁଲିସ୍‌ ଉପରକୁ ଢେଲା ମାଡ଼ ହେଲା। ଜବାବରେ ପୁଲିସ୍‌ ଲାଠି ଚାର୍ଜ କରିଥିଲା। ଏସ୍‌ପି ଅଫିସ୍‌ ସମ୍ମୁଖରେ ଏଭଳି ଖଣ୍ଡଯୁଦ୍ଧ ହେବା ଯୋଗୁଁ ସହରବାସୀ ଆତଙ୍କିତ ହୋଇଯାଇଥିଲେ। ତୁରନ୍ତ ଦୋକାନ ବଜାର ବନ୍ଦ କରି ଦେଇଥିଲେ। ପରେ ପୁଲିସ୍‌ କର୍ଡନ୍‌ କରି ଶବକୁ ନେଇ ପୁରୁଣା ଡାକ୍ତରଖାନାସ୍ଥିତ ଶବାଗାରକୁ ଆଣିଥିଲା। ସୁରକ୍ଷା ଦୃଷ୍ଟିରୁ ସହର ସାରା ପୁଲିସ୍‌ ଛାଉଣି କରାଯାଇଛି। ପାଖାପାଖି ୧୦ ପ୍ଲାଟୁନ୍‌ ଫୋର୍ସ ସମ୍ବେଦନଶୀଳ ଇଲାକାରେ ମୁତୟନ ଅଛନ୍ତି। ଅନ୍ୟପକ୍ଷରେ ବିଳମ୍ବିତ ସନ୍ଧ୍ୟାରେ ଏସ୍‌ଟିଏଫ୍‌ ଡିଆଇଜି ଜୟନାରାୟଣ ପଙ୍କଜ ବରଗଡ଼ ପହଂଚି ମାମଲାର ତନାଘନା ଆରମ୍ଭ କରିଛନ୍ତି। ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଅନ୍ୟ ପ୍ରତିନିଧିଙ୍କ ନେତୃତ୍ବରେ ମୃତକଙ୍କ ପରିବାରବର୍ଗ ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏସ୍‌ପି ଅଫିସ୍‌ରେ ଆଲୋଚନା ହୋଇଛି। ତେବେ ଘଟଣାକୁ ନେଇ ସହରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି। ବିଳମ୍ବିତ ରାତିରେ ଶବ ବ୍ୟବଚ୍ଛେଦ କରାଯାଇଛି।

publive-image

୬ ମହଲା ଉପରକୁ ଚଢ଼ି ଭାଇର ଆତ୍ମହତ୍ୟା ଉଦ୍ୟମ
ହାଜତ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ପଟେ ମୃତକ ଗୋବିନ୍ଦ କୁମ୍ଭାରଙ୍କ ପରିବାର, ଗ୍ରାମବାସୀ ଏବଂ ପୁଲିସ୍‌ ମଧ୍ୟରେ କଥା କଟାକଟି ଚାଲିଥିଲା। ଅନ୍ୟପଟେ ଗୋବିନ୍ଦଙ୍କ ଭାଇ ଜି‌ତେନ୍ କୁମ୍ଭାରଙ୍କ ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ଅଡ଼ୁଆ ପରସ୍ଥିତି ଉପୁଜିଥିଲା। ପୁଲିସ୍‌ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ଦାବିରେ ଜିତେନ୍‌ ହସ୍ପିଟାଲର ୬ ମହଲା ଉପରକୁ ଚଢ଼ି ସେଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ପୁଲିସ୍‌ ଏବଂ ପରିବାରଲୋକେ ବୁଝାସୁଝା କରିବା ପରେ ତାଙ୍କୁ ତଳକୁ ଓହ୍ଲାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe