sisat
କେନ୍ଦୁଝର/ପଣ୍ଡାପଡ଼ା: ଚିକିତ୍ସା ପାଇଁ ଅର୍ଥ ନଦେବାରୁ ଭଉଣୀକୁ ଗୁଳି କରି ହତ୍ୟା କରିଛି ଭାଇ। ଆଜି ସକାଳୁ ସକାଳୁ ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ସୋମଗିରି ଗ୍ରାମରେ। ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୋମଗିରି ଗଉଡ଼ସାହିରେ ନୀଳାମ୍ବର ବାରିକଙ୍କ ପୁଅ ପ୍ରସନ୍ନ ବାରିକ (୩୮) ଏକ ଘରୋଇ କମ୍ପାନିରେ ଗନ୍ମ୍ୟାନ୍ ଭାବେ କାର୍ଯ୍ୟ କରନ୍ତି। ଗାଁରେ ତାଙ୍କ ଅବିବାହିତା ଭଉଣୀ ମାଳତୀ ବାରିକ (୩୨) ରହୁଥିଲେ। ପ୍ରସନ୍ନଙ୍କ ଦେହ ଖରାପ ଯୋଗୁଁ ସେ ନିଜର କର୍ମସ୍ଥଳ ଛାଡ଼ି ଗାଁକୁ ଆସିଥିଲେ। ନିଜର ଚିକିତ୍ସା ପାଇଁ ଆଜି ସକାଳେ ପ୍ରସନ୍ନ ଭଉଣୀ ମାଳତୀଙ୍କୁ କିଛି ଟଙ୍କା ମାଗିଥିଲେ। ସେ ଟଙ୍କା ନ ଦେବାରୁ ପ୍ରସନ୍ନ ଉତ୍ତ୍ୟକ୍ତ ହୋଇ ନିଜ ବନ୍ଧୁକରୁ ମାଳତୀଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲେ। ମାଳତୀ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ ପଣ୍ଡାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଳତୀଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା।
ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପଣ୍ଡାପଡ଼ା ଥାନାରେ କେସ୍ ନମ୍ବର ୧୪୪/୨୦୨୩ରେ ଏକ ମାମଲା ରୁଜୁ ହୋଇଛି। ପଣ୍ଡାପଡ଼ା ଥାନା ଅଧିକାରୀ ଅବିନାଶ ପଣ୍ଡା କହିଛନ୍ତି ଯେ ଗୁଳିକାଣ୍ଡ ପରେ ତତ୍କାଳ ପଦକ୍ଷେପ ନିଆଯାଇଛି। ଅଭିଯୁକ୍ତ ଭାଇକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
Follow Us