image source: India today
ତେଲକୋଇ : ଟେଣ୍ଟରୁ ପଡ଼ି ଗୁରୁତର ହୋଇଥିବା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡ଼ା ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ପୁଅ ସ୍ବପ୍ନେଶ୍ବର ସେଠୀ (୩୦)ଙ୍କ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ତେଲକୋଇ ପୁଲିସ କେସ୍ ନମ୍ବର ୧୦/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କାମ ସାରିଦେଇଥିବାରୁ ମୃତକଙ୍କ ପରିବାର ଓ ଗ୍ରାମବାସୀ ନାପସନ୍ଦ କରିଛନ୍ତି।
ସୂଚନାଯୋଗ୍ୟ, ସ୍ବପ୍ନେଶ୍ବର ତେଲକୋଇ ଥାନା ହାଲପୋଡ଼ି ଗ୍ରାମର ଟେଣ୍ଟ ମାଲିକ ହୃଦାନନ୍ଦ ପ୍ରଧାନଙ୍କ ନିକଟରେ କାମ କରୁଥିଲେ। ଫେବ୍ରୁଆରି ୧୨ ତାରିଖରେ ଏକ ବିବାହ ଉତ୍ସବରେ ଟେଣ୍ଟ କାମ କରୁଥିବାବେଳେ ତଳକୁ ଖସିପଡ଼ିବାରୁ ଗୁରୁତର ହୋଇଥିଲେ। ଟେଣ୍ଟ ମାଲିକ ସ୍ବପ୍ନେଶ୍ବରଙ୍କୁ ଡାକ୍ତରଖାନା ନ ନେଇ ଏକ ଗାଡ଼ିରେ ବିଳମ୍ବିତ ରାତିରେ ଆଣି ତାଙ୍କ ଖୁଣ୍ଟାପଡ଼ାସ୍ଥିତ ଘରେ ଛାଡ଼ି ପଳାଇଥିଲେ। ୧୩ ତାରିଖରେ ପରିବାର ଲୋକେ ତାଙ୍କୁ ପ୍ରଥମେ ତେଲକୋଇ ପରେ କେନ୍ଦୁଝର ଓ ସେଠାରୁ କଟକ ବଡ଼ଡାକ୍ତରଖାନା ନେଇଥିଲେ। ସ୍ବପ୍ନେଶ୍ବରଙ୍କ ଚିକିତ୍ସାରେ ଅର୍ଥ ବାଧକ ନେଇ ମାର୍ଚ୍ଚ ୪ ତାରିଖରେ ସମ୍ବାଦରେ ପ୍ରକାଶ ପାଇବା ପରେ ଯଶୋବନ୍ତ ରଣା ନାମକ ଜଣେ ବ୍ୟକ୍ତି ଏନେଇ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଜିଲ୍ଲା ପ୍ରଶାସନକୁ ଟୁଇଟ୍ କରି ଜଣାଇଥିଲେ। ୬ ତାରିଖରେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିପିଏମ୍ ପପୁ କୁମାର ସାହୁ ସ୍ବପ୍ନେଶ୍ବରଙ୍କ ଘରକୁ ଯାଇ ତଦନ୍ତ କରିବା ପରେ ରିପୋର୍ଟ ଦେଇଥିଲେ। ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିବାରୁ ପରିବାର ଲୋକେ କଟକରୁ ଗୁରୁତର ସ୍ବପ୍ନେଶ୍ବରଙ୍କୁ ଘରକୁ ଫେରାଇ ଆଣିଥିଲେ। ଗତକାଲି ସେ ଅଧିକ ଗୁରୁତର ହୋଇପଡ଼ିବାରୁ ଏକ ଅଟୋରେ ତେଲକୋଇ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସରେ କେନ୍ଦୁଝର ନିଆଯାଇଥିଲା। ବିଳମ୍ବିତ ରାତିରେ ସ୍ବପ୍ନେଶ୍ବରଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ସ୍ବପ୍ନେଶ୍ବରଙ୍କ ସ୍ତ୍ରୀ ତପସ୍ବିନୀ ଟେଣ୍ଟ ମାଲିକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଉଭୟ ପକ୍ଷ ମଧ୍ୟରେ ବୁଝାମଣା କରାଇଥିଲା। ଚିକିତ୍ସାରେ ଯାହା ଖର୍ଚ୍ଚ ହେବ ଟେଣ୍ଟ ମାଲିକ ଅଧା ଅର୍ଥ ବହନ କରିବେ ବୋଲି ପୁଲିସ ପାଖରେ ଚୁକ୍ତି କରିଥିଲେ। ମାତ୍ର ୨/୩ ହଜାର ଟଙ୍କା ଦେଇ ଟେଣ୍ଟ ମାଲିକ ଆଉ ଧରାଛୁଆଁ ଦେଲେ ନାହିଁ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଟେଣ୍ଟ ମାଲିକଙ୍କ ଦାୟିତ୍ୱହୀନତା ପାଇଁ ସ୍ବପ୍ନେଶ୍ବରଙ୍କ ମୃତ୍ୟୁ ଘଟିଲା ବୋଲି ବାପା ଲକ୍ଷ୍ମୀଧର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏସ୍ପି, ଜିଲ୍ଲାପାଳ ଓ ଶ୍ରମ କମିସନର ଏଥିପ୍ରତି ଦୃଷ୍ଟି ଦେବାକୁ ପରିବାର ଲୋକେ ଦାବି କରିଛନ୍ତି। ଏନେଇ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଚୈତନ୍ୟ ନାୟକଙ୍କୁ ପଚାରିବାରୁ, ୨୧ ଦିନ ତଳୁ ଘଟଣା ଘଟିଥିବାରୁ ନିୟମ ଅନୁଯାୟୀ ଅପମୃତ୍ୟୁ ମାମଲା କରାଯାଇଛି ବୋଲି କହିଛନ୍ତି।
Follow Us