ମହୁଲପଡ଼ା ଜଙ୍ଗଲରେ ଛୁଆହାତୀର ମୃତ୍ୟୁ

Advertisment

ଦୁଇ ଦିନ ହେଲା ମା’ ସହ ଜଗିଛନ୍ତି ଅନ୍ୟ ହାତୀ, ପହଞ୍ଚିପାରୁନି ବନ ବିଭାଗ

ଦୁଇ ଦିନ ହେଲା ମା’ ସହ ଜଗିଛନ୍ତି ଅନ୍ୟ ହାତୀ, ପହଞ୍ଚିପାରୁନି ବନ ବିଭାଗ

ମହୁଲପଡ଼ା ଜଙ୍ଗଲରେ ଛୁଆହାତୀର ମୃତ୍ୟୁ

ଢେଙ୍କାନାଳ : ସଦର ବନାଞ୍ଚଳ ବଳଦିଆବନ୍ଧ ପଞ୍ଚାୟତର ମହୁଲପଡ଼ା ଗ୍ରାମ୍ୟ ଜଙ୍ଗଲ ଭିତରେ ଥିବା ଏକ ପୋଖରୀ ନିକଟରେ ଏକ ହାତୀଛୁଆର ମୃତଦେହ ମଙ୍ଗଳବାର ସକାଳୁ ପଡ଼ିଥିବା ଦେଖାଯାଇଛି। ମୃତ ହାତୀର ବୟସ ୬ରୁ ୮ ମାସ ହୋଇଥିବା ଅନୁମାନ କରାଯାଉଛି। ତା ପାଖରେ ମା ହାତୀ ସହ ଅନ୍ୟ ହାତୀମାନେ ଜଗି ରହିଥିବାରୁ ୪୮ ଘଣ୍ଟା ପରେ ମଧ୍ୟ ବନ ବିଭାଗ କର୍ମଚାରୀମାନେ ମୃତ ହାତୀ ଛୁଆ ପାଖରେ ପହଞ୍ଚିପାରି ନଥିବା ଜଣାଯାଇଛି।

ପ୍ରକାଶ ଯେ, ସଦର ବନାଞ୍ଚଳ ମହୁଲପଡ଼ା ଗ୍ରାମ ପାଟିପୁରୀ ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ଏକ ପୋଖରୀ କୂଳ କାଦୁଅ ଭିତରେ ହାତୀ ଛୁଆଟି ମରିପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ମଙ୍ଗଳବାର ସକାଳୁ ବନ ବିଭାଗକୁ ଖବର ଦେଇଥିଲେ। ଜିଲ୍ଲା ବନଖଣ୍ତ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନୀ, ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ସମେତ ଫରେଷ୍ଟର, ଏବଂ ହାତୀ ସ୍କ୍ବାଡ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ। ତେବେ ଅନ୍ୟହାତୀମାନେ ମୃତ ହାତୀ ଛୁଆକୁ ଜଗି ରହି ଗର୍ଜନ କରୁଥିବାରୁ ବିଭାଗୀୟ ଅଧିକାରୀମାନେ ଭୟରେ ସେଠାରୁ ଫେରି ଆସିଥିଲେ। ଆଜି ସଂଧ୍ୟା ସୁଦ୍ଧା ମଧ୍ୟ ସମାନ ପରିସ୍ଥିତି ରହିଛି। ମୃତ ଛୁଆହାତୀଠାରୁ ହାତୀମାନେ ୨/୩ ମିନିଟ୍ ପାଇଁ ଜଙ୍ଗଲ ଭିତରକୁ ଯାଇ ପୁଣି ସେଠାକୁ ଫେରିଆସୁଛନ୍ତି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଗତ ଦୁଇଦିନ ଧରି ଦୂରରୁ ଜଗି ରହିଥିବା ଜଣାଯାଇଛି।

ଏ ସଂପର୍କରେ ଜିଲ୍ଲା ବନଖଣ୍ତ ଅଧିକାରୀ ଶ୍ରୀ ଗୋଗିନେନୀଙ୍କୁ ପଚାରିବାରୁ ସେ କହିଲେ, ମୃତହାତୀଛୁଆକୁ ଅନ୍ୟ ହାତୀମାନେ ଜଗି ରହିଛନ୍ତି। ଯେଉଁଥିପାଇଁ ସେଠାରେ ଆମେ ପହଞ୍ଚିପାରି ନାହୁଁ। ହାତୀମାନେ ମୃତଛୁଆକୁ ଛାଡ଼ିଯିବା ପରେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରାଯିବ। ହାତୀ ଛୁଆର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe