Image Courtesy of The Quint
ସୋନପୁର/ଉଲୁଣ୍ଡା: ଶନିବାର ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗର ବଲେରୋ ଧକ୍କାରେ ଜଣେ ଗଞ୍ଜେଇ ବୋପରୀର ମୃତ୍ୟୁ ଘଟିଥିଲା। ଉଲୁଣ୍ଡା ଥାନା କୁତପାଲି ଛକରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରକାଶଥାଉ କି, ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ କୌଶଲ୍ୟା ବିହାରର ପ୍ରଦୀପ ମହାନ୍ତି (୫୩) ଏବଂ ଛେଣ୍ଡ ଅଞ୍ଚଳର ପ୍ର ମୋଦ ପାଢ଼ୀ (୨୨) ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ହାବୁଡ଼ରେ ପଡ଼ିଥିଲେ। ତେବେ ଉଭୟେ ସେଠାରୁ ସ୍କୁଟିକୁ ଦ୍ରୁତ ଗତିରେ ନେଇ ଫେରାର ହେଉଥିବା ବେଳେ ଗୁଇନ୍ଦା ବିଭାଗର ବଲେରୋ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ପ୍ରଦୀପ ଏବଂ ପ୍ର ମୋଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବିଭାଗୀୟ କର୍ମଚାରୀମାନେ ନିଜ ଗାଡ଼ିରେ ବୁର୍ଲା ଡକ୍ତରଖାନାକୁ ନେଇଥିଲା।
କିନ୍ତୁ ସେଠାରେ ଡାକ୍ତର ପ୍ରଦୀପକୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାଗ୍ରସ୍ତ ସ୍କୁଟିରୁ ୧୭ କେଜି ୬୭୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣାର ଅନ୍ୟ ଅଭିଯୁକ୍ତ ପ୍ରମୋଦକୁ ପୁଲିସ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ଅବକାରୀ ଗୁଇନ୍ଦା ବିଭାଗର ଗାଡ଼ି ଚାଳକ ସତ୍ୟଜିତ ସାହୁ ଉଲୁଣ୍ଡା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ କୁତପାଲି ଛକ ନିକଟରେ ବିଭାଗର ଗାଡ଼ି ଅଟକି ରହିଥିଲା। ଏହି ସମୟରେ ଉକ୍ତ ଦୁଇ ଗଞ୍ଜେଇ ବେପାରୀ ସ୍କୁଟିରେ ଦ୍ରୁତ ଗତିରେ ଆସୁଥିଲେ। ତେବେ ବଲେରୋରେ ଲାଗିଥିବା ବିଭାଗର ବୋର୍ଡ ଦେଖି ଭୟଭୀତ ହୋଇ ଗାଡ଼ିକୁ ଧକ୍କା ଦେଇ ଉଭୟ ତଳେ ପଡ଼ିଯାଇଥିଲେ। ମାତ୍ର କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁଯାୟୀ ଅବାକରୀ ଗୁଇନ୍ଦା ବିଭାଗ ଗାଡ଼ି ଧକ୍କାରେ ଏଭଳି ଘଟଣା ଘଟିଛି। ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ବୀରମହାରାଜପୁର ଏସଡିପିଓ ଡୋଳାମଣି ଭୋଇ ସୂଚନା ଦେଇଛନ୍ତି।
Follow Us