କେନ୍ଦୁଝରରେ ମା' ଓ ଶିଶୁ ହାତୀର ମୃତ୍ୟୁ: ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

ମଦ କିମ୍ବା ପଣସରେ ବିଷ ଦେଇ ହତ୍ୟା ସନ୍ଦେହ

କଟକ ବନାଞ୍ଚଳରେ ବିପଦରେ ହାତୀ

କେନ୍ଦୁଝର : ହାତୀ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି କେନ୍ଦୁଝର। ରବିବାର ସକାଳେ ମା' ଓ ଶିଶୁ ହାତୀର ମୃତଦେହକୁ ଠାବ କରାଯାଇଛି। କେନ୍ଦୁଝର ଜିଲ୍ଲା‌ରେ ବାରମ୍ବାର ଏଭଳି ହାତୀ ମୃତ୍ୟୁ ହେଉଥିବାରୁ ବନ ବିଭାଗର ଚିନ୍ତା ବଢ଼ି ଯାଇଛି। କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପୀଢ(ବିଜେପି) ରେଞ୍ଜ ଶୁଆକାଟୀ ସେକ୍ସନ କୁଶକଳା ବିଟ ଅନ୍ତର୍ଗତ ରବ ଗାଁ ପଣସଡିହି ନିକଟରେ ଆଜି ସକାଳେ ଦୁଇ ହାତୀର ମୃତଦେହ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତନାଘନା କରିଥିଲେ।

publive-image

ବନ ବିଭାଗର ସୂଚନା ଅନୁସା‌ର, ଗତ କିଛିଦିନ ହେବ ଗୋଟିଏ ଦନ୍ତାହାତୀ, ଗୋଟିଏ ମାଈହାତୀ ଓ ଗୋଟିଏ ଛୁଆହାତୀ ରବ ଜଙ୍ଗଲରେ ରହିଥିଲେ । ଗତ ୨ ଦିନ ତଳେ ଦନ୍ତାହାତୀଟି ପାଲଲହଡା ଆଡେ ପଳାଇଥିବା ବେଳେ ମା' ଓ ଶିଶୁ ହାତୀଟି ଏହି ଜଙ୍ଗଲରେ ଥିଲେ । ତେବେ ସୋମବାର ସକାଳେ ହଠାତ୍ ମାଈହାତୀ ଗୋଟିଏ ସ୍ଥାନରେ ଏବଂ ଶିଶୁହାତୀଟି ସେଠାରୁ ୪୦୦ ମିଟର ଦୂରରେ ମରି ପଡିଥିବାର ଦେଖିବାକୁ ମିଳିଥିଲା । ମା' ହାତୀର ବୟସ ୨୦ ବର୍ଷ ଏବଂ ଅଣ୍ଡିରା ଶିଶୁହାତୀର ବୟସ ୫ ବର୍ଷ ହେବ ବୋଲି ଜଣାପଡିଛି । ମାଈହାତୀର ପାଟିରୁ ରକ୍ତ ବାହାରୁଥିବା ବେଳେ ମୃତ୍ୟୁ ସମୟରେ ମା ଓ ଶିଶୁ ହାତୀ କିଛି ବାଟ ଘୁଷୁରିଘୁଷୁରି ଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି । ମଦ କିମ୍ବା ପଣସରେ ବିଷ ଦେଇ ହାତୀକୁ ମରାଯାଇଥିବା ସନ୍ଦେହ କରାଯାଉଛି । ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖୁଥିଲେ ହେଁ ହାତୀର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି।

ଖବର ପାଇ ଆରସିସିଏଫ ଅରୁଣ କୁମାର ମିଶ୍ର, ଡିଏଫଓ ସ୍ୱୟମ ମଲ୍ଲିକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ବାଂଶପାଳ ବ୍ଲକ ପ୍ରାଣୀ ଚିକିତ୍ସା ବିଭାଗ ଡାକ୍ତର ସୁକାନ୍ତ ନାୟକ ଏବଂ ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡବ୍ଲୁଟିଆଇ)ର ପ୍ରାଣୀ ଚିକିତ୍ସକ ବନ୍ଦିତା ମିଶ୍ର ମୃତ ହାତୀ ଦୁଇଟିର ବ୍ୟବଚ୍ଛେଦ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ବୋଲି ଡିଏଫଓ ସ୍ବୟଂ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe