ଫାଣ୍ଡି ହାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ଆତ୍ମହତ୍ୟା ନା ପିଟିପିଟି ହତ୍ୟା?

ଫାଣ୍ଡି ହାଜତରେ ଯୁବକଙ୍କ ମୃତ୍ୟୁ ଘଟଣା: ଆତ୍ମହତ୍ୟା ନା ପିଟିପିଟି ହତ୍ୟା?

ଚଣ୍ଡିଖୋଲ : ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଫାଣ୍ଡି ହାଜତରେ ଜଣେ ଯୁବକର ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ଆତ୍ମହତ୍ୟା କରିଥିବା ପୁଲିସ କହୁଥିବା ବେଳେ ମୃତକଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କ ପୁଅକୁ ପିଟିପିଟି ହତ୍ୟା କରାଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଡାକ୍ତରଖାନାରେ ମୃତ୍ୟୁ: ପୁଲିସ
କୋର୍ଟଚାଲାଣ ନକରି ଫାଣ୍ଡିରେ ରଖିଥିଲେ କାହିଁକି?: ପରିବାର

ମୃତ ଯୁବକ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ସିନ୍ଧୁପୁର ଗ୍ରାମର ପଦନ ସେଠୀଙ୍କ ପୁଅ ଈଶ୍ୱର ସେଠୀ।ବଡ଼ଚଣା ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମର ଜଣେ ଯୁବତୀଙ୍କ ସହିତ ଈଶ୍ୱରଙ୍କ ଦୀର୍ଘ ୩ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ତେବେ, ମୃତ ଈଶ୍ୱର ସେହି ଯୁବତୀଙ୍କୁ ବିବାହ ପାଇଁ ଅଡ଼ି ବସିଥିବା ବେଳେ ଯୁବତୀ ଜଣକ ରାଜି ହୋଇ ନଥିଲେ। ଫଳରେ, ଈଶ୍ୱର ଯୁବତୀଙ୍କ ଗ୍ରାମକୁ ଯାଇ ବିଭିନ୍ନ ଅଶ୍ଳୀଳ ଫଟୋକୁ ପୋଷ୍ଟର ଭଳି ଅନେକ ସ୍ଥାନରେ ମାରିଥିଲା। ଏ ନେଇ ବଡ଼ଚଣା ଥାନାରେ ଈଶ୍ୱର ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା। ଥାନା କେସ ନମ୍ବର ୫/୨୩ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଗତ ୩ ତାରିଖ ରାତିରେ ବଡ଼ଚଣା ପୁଲିସ ମାହାଙ୍ଗା ଥାନା ସହଯୋଗରେ ଅଭିଯୁକ୍ତ ଈଶ୍ୱରଙ୍କ ଘରେ ଚଢ଼ଉ କରି ତାଙ୍କୁ ଉଠାଇ ଆଣିଥିଲେ। କୌଣସି କାରଣରୁ ପୁଲିସ ବଡ଼ଚଣା ଥାନାରେ ନରଖି ଧାନମଣ୍ଡଳ ଫାଣ୍ଡି ହାଜତରେ ରଖିଥିଲା। ଗତକାଲି ଫାଣ୍ଡି ଅଧିକାରୀ ଓ କର୍ମଚାରୀମାନେ ବଣଭୋଜି ପାଇଁ ବାହାରକୁ ଯାଇଥିବା ବେଳେ ଫାଣ୍ଡିରେ ଜଣେ ମାତ୍ର ସେଣ୍ଟ୍ରି ରହିଥିଲେ। ଈଶ୍ୱର ଫାଣ୍ଡି ହାଜତରେ ଥିବା ଏକ୍‌ଜହଟ୍‌ ଫ୍ୟାନରେ ଝୁଲିପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଫାଣ୍ଡି କର୍ମଚାରୀମାନେ ଈଶ୍ୱରଙ୍କୁ ଚିକିତ୍ସା ପାଇଁ ବଡ଼ଚଣା ମେଡିକାଲ ଏବଂ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ, ଈଶ୍ବରଙ୍କୁ ପିଟିପିଟି ପୁଲିସ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଈଶ୍ବରଙ୍କୁ ୩ ତାରିଖରୁ ଧରି ଆଣିବା ପରେ ୪ ତାରିଖରେ କୋର୍ଟଚାଲାଣ କରାଗଲା ନାହିଁ କାହିଁକି ? କେଉଁ କାରଣରୁ ଥାନା ହାଜତରେ ନରଖି ଧାନମଣ୍ଡଳ ଫାଣ୍ଡିରେ ରଖାଗଲା ? ବୋଲି ପରିବାର ପକ୍ଷରୁ ପ୍ରଶ୍ନ କରାଯାଇଛି। ହାଜତରେ ହିଁ ଈଶ୍ବରଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଲିସ ଆତ୍ମହତ୍ୟା​ର ରୂପ ଦେବାକୁ ଯାଇ ଶବକୁ ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ନେଇଥିଲା ବୋଲି ମଧ୍ୟ ଅଭିଯୋଗ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe