ବଭିନ୍ନ ସ୍ଥାନରେ ଅଘଟଣ: କେତେକଙ୍କ ପ୍ରାଣହାନି

ବଭିନ୍ନ ସ୍ଥାନରେ ଅଘଟଣ: କେତେକଙ୍କ ପ୍ରାଣହାନି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ କାରଣରୁ କିଛି ମୂଲ୍ୟବାନ ଜୀବନ ଯାଇଛି।

ନାଳରେ ବୁଡ଼ି ଛାତ୍ର ମୃତ

ନୂଆପଡ଼ା/କରଙ୍ଗାପାଲ/ବୋଡ଼େନ/ଖଡ଼ିଆଳ: ନୂଆପଡ଼ା ଜିଲ୍ଳା ବୋଡ଼େନ ବ୍ଲକ୍ ବୁଢ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତଙ୍କର ସ୍କୁଲ ପାଖ ନାଳରେ ବୁଡ଼ିଯାଇ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଦିନ ପ୍ରାୟ ଗୋଟାଏ ବେଳେ କେଶବ ଶୌଚ ପାଇଁ ସ୍କୁଲ ନିକଟସ୍ଥ ନାଳକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଥିଲେ। ଏହି ଖବର ଜଣାପଡ଼ିବା ପରେ ଗାଁ’ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବୋଡ଼େନ-ଖଡ଼ିଆଳ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପହଞ୍ଚି ବୋଡ଼େନ ଥାନାଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। କେଶବ ବୁଢ଼ାପଡ଼ା ଗ୍ରାମର ରୁଦ୍ର ଜଗତଙ୍କ ଏକମାତ୍ର ପୁଅ ଥିଲେ ବୋଲି ଜଣାପଡ଼ିଛି।

ସାପ କାମୁଡ଼ାରେ ନାବାଳିକା ମୃତ

ନୂଆପଡ଼ା/ବୋଡେନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ସିଆଲଲଟି ଗ୍ରାମରେ ରବିବାର ରାତିରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ ସିଆଲଲଟି ଗ୍ରାମର ହେମସାଗର ମାଝୀଙ୍କ ଭିନ୍ନକ୍ଷମ ଝିଅ ସସ୍ମିତା (୧୭) ରବିବାର ରାତିରେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିବା ଜଣାପଡ଼ିଛି। ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ବୋଡ଼େନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

ମହୁମାଛି ଆକ୍ରମଣରେ ଶିଶୁ ମୃତ

ମ.ରାମପୁର: କଳାହାଣ୍ଡି ଜିଲ୍ଲା ଏମ୍‌.ରାମପୁର ଥାନା ତରଲଙ୍ଗି ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ତରଲଙ୍ଗି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଉପରେ ଥିବା ମହୁଫେଣାକୁ ଦେଖି ଗ୍ରାମର ​ଶିଶୁମାନେ ଢେଲାମାଡ଼ କରିଥିଲେ। ଢେଲାମାଡ଼ରେ ମହୁମାଛି ଏଣେତେଣେ ଉଡ଼ିବା ସହ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ଜଣେ ଏକ ବର୍ଷର ଶିଶୁ ଗୁରୁତର ହୋଇପଡ଼ିଥିଲେ। ଘଟଣା ସଂପର୍କରେ ପରିବାର ଲୋକେ ଜାଣି ଶିଶୁକୁ ଏମ୍.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜଣାପଡ଼ିବା ପରେ ତରଲଙ୍ଗି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

କେନାଲରେ ବୁଡ଼ି ଛାତ୍ର ମୃତ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଜମ୍ଭିରା ପଞ୍ଚାୟତ ସାନଆମ୍ବଗଡ଼ିଆ ଗ୍ରାମର ଜଣେ କଲେଜ ଛାତ୍ର କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଗ୍ରାମର ଭୁବନାନନ୍ଦ ଜେନାଙ୍କ ସାନପୁଅ ଅନିଲ କୁମାର ଜେନା। ସେ ହାଟଡିହି କଲେଜର ଯୁକ୍ତ ଦୁଇ ଛାତ୍ର। ପରୀକ୍ଷା ପାଇଁ ଆଜି କଲେଜରେ ପାଠପଢ଼ା ବନ୍ଦ ଥିବାରୁ ଅନିଲ ଘରେ ଥିଲେ। ଆଜି ମଧ୍ୟାହ୍ନରେ ସେ ଶୌଚ ହେବାକୁ ଜଣେ ସାଙ୍ଗଙ୍କ ସହ ସ୍କୁଲ ନିକଟରେ ଥିବା ବୈତରଣୀ କେନାଲକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଯାଇଥିବା ଯୁବକ ଜଣକ ପାଟି କରିବାରୁ ନିକଟରେ କାମ କରୁଥିବା ଦୁଇଜଣ ଯୁବକ କେନାଲକୁ ଡେଇଁ ଅନିଲଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୋସୋ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ଅନିଲ ଜଣେ ମେଧାବୀ ଛାତ୍ର ଥିଲେ ବୋଲି ହାଟଡିହି କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe